ଏବେ ଆହୁରି ମହଙ୍ଗା ହେବ ମୋବାଇଲରେ କଥାବାର୍ତ୍ତା…! ବଢିବ କଲିଂ ଦର, ଟାରିଫ୍ ପ୍ଲାନର ମୂଲ୍ୟ । ୧୦ରୁ ୨୦ ପ୍ରତିଶତ ପର୍ଯ୍ୟନ୍ତ ଦର ବୃଦ୍ଧି କରିବାକୁ ନେଇ ଟେଲିକମ୍ କଂପାନୀଙ୍କ ଯୋଜନା

964

କନକ ବ୍ୟୁରୋ: ମୋବାଇଲ ଗ୍ରାହକଙ୍କ ପାଇଁ ଜରୁରୀ ଖବର । ଏଣିକି ହ୍ୟାଲୋ କହିବା ପାଇଁ ଆପଣଙ୍କ ପକେଟରୁ ଖର୍ଚ୍ଚ ହୋଇପାରେ ଅଧିକ ଟଙ୍କା । କରୋନା ମହାମାରୀ କ୍ଷତିରୁ ଆଶ୍ୱସ୍ତି ପାଇବା ପାଇଁ ଏବେ ନିଜ ନିଜର ଟାରିଫ୍ ପ୍ଲାନ ବୃଦ୍ଧି କରିପାରନ୍ତି ଟେଲିକମ କଂପାନୀ । ତେବେ
ଭୋଡାଫୋନ-ଆଇଡିଆ ଏବଂ ଏୟାରଟେଲ ଭଳି ଟେଲିକମ କଂପାନୀମାନେ ନିଜର ଟାରିଫ୍ ପ୍ରାଇସକୁ ୧୦ରୁ ୨୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ବର୍ତ୍ତମାନ ଟେଲିକମ କଂପାନୀମାନଙ୍କ ରେଗୁଲେଟର ତରଫରୁ ଫ୍ଲୋର ପ୍ରାଇସ୍ ଫିକ୍ସ କରିବାରୁ ବିଚାରବିମର୍ଶ ଚଳାଇଛନ୍ତି । ଯଦିଓ କଂପାନୀମାନେ ଏହାକୁ ୨୫ ପ୍ରତିଶତ ବୃଦ୍ଧି କରିବାକୁ ଚାହୁଁଛନ୍ତି ତେବେ ଥରକରେ ଏହାକୁ ବୃଦ୍ଧି କରିବା ସମ୍ଭବ ନୁହେଁ । ସେପଟେ ଭୋଡାଫୋନ-ଆଇଡିଆ ଏମଡିଙ୍କ ସୂଚନା ଅନୁସାରେ, ଆଗକୁ ମୋବାଇଲର ଟାରିଫ ଦାମକୁ ଆହୁରି ବୃଦ୍ଧି କରାଯିବ । ତେବେ ଏଠାରେ ଆମେ କହି ରଖୁଛି ଯେ, ବର୍ତ୍ତମାନ ଭୋଡାଫୋନ ପ୍ରତି ୟୁଜର ୧୧୯ ଟଙ୍କା, ଏୟାରଟେଲ ୧୬୨ ଟଙ୍କା ଏବଂ ରିଲାଏନ୍ସ ଜିଓ ୧୪୫ ଟଙ୍କା ପ୍ରତି ୟୁଜର ହିସାବରେ ଚାର୍ଜ କରୁଛନ୍ତି ।

ଅନ୍ୟପଟେ ବିଶେଷଜ୍ଞଙ୍କ ମତରେ, ଭୋଡାଫୋନ ପାଇଁ ଏବେ ଟାରିଫ ପ୍ରାଇସ ବୃଦ୍ଧି କରିବା ବହୁତ ଜରୁରୀ ହୋଇପଡିଛି । କାହିଁକି ନା ଖୁବ ଶୀଘ୍ର ତାକୁ ଏଜିଆର କିସ୍ତି ପେମେଂଟ କରିବାକୁ ହେବ । ଏଥି ସହିତ ହିଁ ଭୋଡାଫୋନ ୪ଜି ନେଟଓକକୁ ମଜଭୁତ କରିବା ପାଇଁ ଇନଭେଷ୍ଟମେଂଟ କରିବାକୁ ଚାହୁଁଛି । ଯେଉଁଥି ପାଇଁ କଂପାନୀକୁ ଏବେ ଟଙ୍କାର ଘୋର ଆବଶ୍ୟକତା ପଡିପାରେ । ସେହିଭଳି କରୋନା ମହାମାରୀ ପାଇଁ ବାକି ଟେଲିକମ କଂପାନୀମାନଙ୍କୁ ବି କ୍ଷତିର ସାମ୍ନା କରିବାକୁ ପଡିଛି । ଆଉ ଏହି କ୍ଷତିରୁ ଭରଣ କରିବା ପାଇଁ ସେମାନେ ମୋବାଇଲ ଶୁଳ୍କ ବୃଦ୍ଧି କରିବାକୁ ଯୋଜନା କରୁଛନ୍ତି ।