ବିକାଶ ଦେଖୁଛି ସ୍ୱାଭିମାନ ଅଂଚଳ । ଲାଲ ଗଡରେ ପହଁଞ୍ଚିଲା ମୋବାଇଲ ସେବା । ମାଲକାନଗିିରି ଜିଲ୍ଲାର ଅତି ମାଓପ୍ରବଣ ଇଲାକାରେ ପ୍ରଥମ ଥର ପାଇଁ ପହଂଚିଲା ୪ଜି

ଜିଲ୍ଲାପାଳ କହିଲେ, ସାମଗ୍ରିକ ବିକାଶ ଦିଗରେ ହେବ ସହାୟକ

338

କନକ ବ୍ୟୁରୋ: ବିକାଶ ଦେଖୁଛି ସ୍ୱାଭିମାନ ଅଂଚଳ । ଲାଲ ଗଡରେ ପହଁଚିଲା ମୋବାଇଲ ସେବା । ପ୍ରଥମ ଥର କରି ସ୍ୱାଭିମାନ ଅଂଚଳର ଅତି ମାଓ ପ୍ରବଣ ଅଂଚଳରେ ମୋବାଇଲ ସେବା ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ । ଘରୋଇ ଟେଲିକମ କମ୍ପାନୀ ଏଆରଟେଲ ପକ୍ଷରୁ ସ୍ୱାଭିମାନ ଅଂଚଳରେ ୭ ଟି ମୋବାଇଲ ଟାଓର ସ୍ଥାପନ କରା ଯାଇ ଥିବା ବେଳେ ଆଗକୁ ପୁରା ସ୍ୱାଭିମାନ ଅଂଚଳକୁ ଟେଲି ଯୋଗାଯୋଗ ଓ ରୋଡ ନେଟଓର୍କ ସହ ଯୋଡିବାକୁ ଲକ୍ଷ୍ୟ ରଖିଛି ଜିଲ୍ଲା ପ୍ରଶାସନ ।

ଗାଁ ଦାଣ୍ଡରେ ମୋବାଇଲ ଟାୱାର, ହାତରେ ରେ ସ୍ମାର୍ଟ ଫୋନ । ବିକାଶ ଦିଗରେ ଆଉ ଏକ ମାଇଲଖୁଂଟ ଅତିକ୍ରମ କରିଛି ସ୍ୱାଭିମାନ ଅଂଚଳ । ସ୍ୱାଧିନତାର ସାତ ଦଶନ୍ଧୀ ପରେ ପ୍ରଥମ ଥର କରି ଲାଲ ଇଲାକାରେ ମୋବାଇଲ ସେବା ପାଇଛନ୍ତି ସ୍ୱାଭିମାନ ଅଂଚଳବାସୀ । ବିଶେଷ କରି ଅତି ମାଓ ପ୍ରବଣ ଦାରଲାବେଡା, ହନ୍ତାଳଗୁଡା, ପିପଲାପଦର, ଜନ୍ତାପାଇ ଆଦି ୭ ଟି ସ୍ଥାନରେ ପ୍ରଥମ ଥରି କରି ମୋବାଇଲ ସେବା ଆରମ୍ଭ କରିଛି ଘରୋଇ କମ୍ପାନୀ ଏଆରଟେଲ । ଫଳରେ ସ୍ୱାଭିମାନ ଅଂଚଳର ପ୍ରାୟ ୧୦ ହଜାରରୁ ଅଧିକ ଲୋକ ଏହି ଟେଲିକମ ନେଟଓର୍କ ଦ୍ୱାରା ବାହ୍ୟ ଜଗତ ସହ ଯୋଡି ହୋଇଛନ୍ତି ।

ପୂର୍ବରୁ କେବଳ ଜାନବାଇ ଓ ବଡପଦର ଭଳି ଦୁଇଟି ସ୍ଥାନରେ ସାଟେଲାଇଟ ୨ଜି ମୋବାଇଲ ନେଟଓର୍କ ସ୍ଥାପନ କରିଥିଲା ବିଏସଏନଏଲ । ତାହା ବି ଅଧିକାଂଶ ସମୟ ଅକାମି ହୋଇ ପଡୁଥିବା ଅଭିଯୋଗ ହେଉଥିଲା । ତେବେ ଗୁରୁପ୍ରୀୟା ସେତୁ ନିର୍ମାଣର ଦୁଇ ବର୍ଷ ପରେ ପ୍ରଥମ ଥର କରି ୪ଜି ମୋବାଇଲା ସେବା ପହଁଚିଛି ସ୍ୱାଭିମାନ ଅଂଚଳରେ । ବିଶେଷ କରି ଲାଲ ଗଡରେ ମାଓ ଦମନ ସହ ସ୍ୱଭିମାନ ଅଂଚଳର ସାମଗ୍ରୀକ ବିକାଶ ଦିଗରେ ଏହି ମୋବାଇଲ ନେଟଓର୍କ ବେଶ ସହାୟକ ହେବ ବୋଲି କହିଛନ୍ତି ମାଲକାନଗିରି ଜିଲ୍ଲାପାଳ ଓ ଏସପି ।

୨୦୧୮ ଜୁଲାଇ ୧୮ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁପ୍ରୀୟା ସେତୁ ଉଦଘାଟନ କରି ସ୍ୱତନ୍ତ୍ର ସେତୁ ଯୋଜନାର ଶୁଭାରମ୍ଭ କରି ଥିଲେ । ଆଉ ସେହି ଦିନ ଠାରୁ ରାସ୍ତା ଘାଟ, ପାନୀୟ ଜଳ ଠାରୁ ଆରମ୍ଭ କରି ବହୁ ପରିବର୍ତନ ଘଟିଛି ସ୍ୱାଭିମାନ ଅଂଚଳରେ ।