କନକ ବ୍ୟୁରୋ: ଆପଣ ଯଦି ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି ଆଉ ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି । ତେବେ ଆପଣଙ୍କ ପାଇଁ ଆସିଛି ବଡ ଖବର । କାହିଁକି ନା ପୁଣିଥରେ ମହଙ୍ଗା ହେବାକୁ ଯାଉଛି ମୋବାଇଲ୍ ରିଚାର୍ଜ । ଆଉ ଶସ୍ତାରେ ମୋବାଇଲ୍ ସେବା ପାଇବା ଯୁଗ ଏବେ ଶେଷ ହେବାକୁ ଯାଉଛି । ଦେଶର ପ୍ରମୁଖ ଟେଲିକମ୍ କମ୍ପାନୀଗୁଡିକ ଚଳିତ ବର୍ଷ ପୁଣିଥରେ ରିଚାର୍ଜ ଦାମ ବଢାଇବା ବିଷୟରେ ଚିନ୍ତା କରୁଥିବା ସୂଚନା ମିଳିଛି । ତେଣୁ ଇଣ୍ଟରନେଟ୍ ୟୁଜର୍ସ ଏବେ ନେଟ୍ ବ୍ୟବହାର କରିବାକୁ ଅଧିକ ଟଙ୍କା ଗଣିପାରନ୍ତି । ତେବେ ଖର୍ଚ୍ଚର ଚାପ ଓ ୫ଜି ସେବା ଲାଗି ଟଙ୍କା ଯୋଗାଡ କରିବା ପାଇଁ ଟାରିଫ୍ ପ୍ଲାନ୍ ବଢାଇବାକୁ ପଡିବ ବୋଲି ଏୟାରଟେଲ୍ କମ୍ପାନୀ ତରଫରୁ କୁହାଯାଇଛି ।
ଗତବର୍ଷ ନଭେମ୍ବର ମାସରେ ମୋବାଇଲ୍ ରିଚାର୍ଜ ଦରରେ ହଠାତ୍ ବୃଦ୍ଧି ଦେଖିବାକୁ ମିଳିଥିଲା । ନେଟ୍ ଓ ଟକଟାଇମ୍ ପାଇବାକୁ ଗ୍ରାହକମାନେ ପୂର୍ବ ଅପେକ୍ଷା ଅଧିକ ଟଙ୍କା ଗଣିିଥିଲେ ଓ ଏବେ ମଧ୍ୟ ଗଣୁଛନ୍ତି । ତେବେ ଏୟାରଟେଲ ହିଁ ପ୍ରଥମ କମ୍ପାନୀ ଥିଲା, ଯିଏକି ନିଜର ଟାରିଫ୍ ପ୍ଲାନ୍ ପ୍ରଥମେ ବୃଦ୍ଧି କରିଥିଲା । ଏହାପରେ ପରେ ଭୋଡାଫୋନ୍-ଆଇଡିଆ ଓ ଜିଓ କମ୍ପାନୀ ମଧ୍ୟ ନିଜ ନିଜର ରିଚାର୍ଜ ଦାମ ବଢାଇଥିଲେ । ଯାହାକି ଗ୍ରାହକଙ୍କୁ ଏକ ବଡ ଝଟକା ଦେଇଥିଲା ।
ମୋବାଇଲ୍ ରିଚାର୍ଜରେ ପୂର୍ବଥର ଟେଲିକମ୍ କମ୍ପାନୀଗୁଡିକ ପ୍ରାୟତଃ ୨୦-୨୫ ପ୍ରତିଶତ ଦାମ ବଢାଇଥିଲା । ଫଳରେ ତିନି ମାସିଆ ପ୍ଲାନ୍ ପାଇଁ ଯେଉଁ ଗ୍ରାହକଙ୍କୁ ମାତ୍ର ୬ ଶହ ଟଙ୍କା ଦେବାକୁ ପଡୁଥିଲା, ଏବେ ସେମାନଙ୍କୁ ୭ ଶହ ଟଙ୍କା ଗଣିବାକୁ ପଡୁଛି । ତେଣୁ ଏବେ ଏହି ଦାମ ପୁଣିଥରେ ବଢିଲେ, ସେହି ସମାନ ପ୍ଲାନର ଦାମ ପାଖାପାଖି ୮ଶହ ଉପରେ ହୋଇପାରେ ବୋଲି ଅନୁମାନ କରାଯାଉଛି ।
ଗତଥର ରିଚାର୍ଜ ମୂଲ୍ୟ ବଢାଇବା ପରେ ଟେଲିକମ୍ କମ୍ପାନୀଗୁଡିକର ଲାଭ ବେସ୍ ବଢିଯାଇଥିଲା । କମ୍ପାନୀ ପୂର୍ବ ଅପେକ୍ଷା ଅଧିକ ଟଙ୍କା ଆୟ କରିଥିଲେ । ହେଲେ ଅନ୍ୟପଟରେ ଏୟାରଟେଲ ତା’ର ୬ ଲକ୍ଷ ଓ ଜିଓ ନିଜର ୮୫ ଲକ୍ଷ ଗ୍ରାହକଙ୍କୁ ହରାଇଥିଲା । ଅନେକ ଲୋକ ମୋବାଇଲ୍ ନେଟ୍ ୟୁଜ୍ ମଧ୍ୟ ବନ୍ଦ କରିଦେଇଥିଲେ । ତେଣୁ ଆଗକୁ ଯଦି ଏହି ଦାମ ଆହୁରି ବଢେ, ତେବେ ୟୁଜର୍ସଙ୍କ ଉପରେ ଏହାର ଏକ ବଡ ପ୍ରଭାବ ପଡିବ ବୋଲି କୁହାଯାଉଛି ।
ଦେଶରେ ଏବେ ୫ଜି ମୋବାଇଲ୍ ସେବା ଆରମ୍ଭ କରିବା ପାଇଁ ଟେଲିକମ୍ କମ୍ପାନୀଗୁଡିକ ଜୋରସୋରରେ ଉଦ୍ୟମ କରୁଛନ୍ତି । ତେବେ ୪ଜି ସମୟରେ ଜିଓ ଯେଉଁଭଳି ବାଜିମାତ କରି ନେଇଥିଲା, ଏବେ ସେମିତି ସ୍ଥିତି ଆଉ ଥରେ ସୃଷ୍ଟି ନହେଉ ବୋଲି ଅନ୍ୟ କମ୍ପାନୀମାନେ ଲକ୍ଷ୍ୟ ରଖିଛନ୍ତି । ତେଣୁ ଆସନ୍ତା ମେ-ଜୁନ୍ ଭିତରେ ହେବାକୁ ଥିବା ୫ଜି ସ୍ପେକ୍ଟ୍ରମ ନିଲାମ ପାଇଁ ଟଙ୍କା ଯୋଗାଡରେ ଲାଗିପଡିଛନ୍ତି ସବୁ କମ୍ପାନୀ । ଯାହାର ସିଧାସଳଖ ପ୍ରଭାବ ଏବେ ୟୁଜର୍ସଙ୍କ ଉପରେ ପଡିବାକୁ ଯାଉଛି । ଆଉ ରିଚାର୍ଜ ଦାମ ବଢିବ ବୋଲି ସୂଚନା ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2022/02/12-12.jpg)