ମୋବାଇଲ୍ ରିଚାର୍ଜ ନାଁ’ରେ ଠକେଇ, କଟକ ୪୨ ମୌଜାରୁ ଆସିଲା ସଙ୍ଗୀନ ଅଭିଯୋଗ

205

କନକ ବ୍ୟୁରୋ: ୯୯୯ ଟଙ୍କା ରିଚାର୍ଜ କର । ବର୍ଷକ ପାଇଁ ଅନଲିମିଟେଡ୍ କଲ ସହ ଦିନକୁ ୨ ଜିବି ଡାଟା ପାଅ । ଏମିତି ଏକ ଲୋଭନୀୟ ଅଫରର ଶିକାର ହୋଇଛନ୍ତି ରାଜ୍ୟର ହଜାର ହଜାର ଗ୍ରାହକ । ଅଭିଯୋଗ ହୋଇଛି ଯେ, କଟକ ୪୨ ମୌଜାର “ସାଙ୍ଗଭି ଏଂଟରପ୍ରାଇଜର୍ସ’ ନାମକ ଏକ ସଂସ୍ଥା ଏଭଳି ଅଫର ଦେଇ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଛି ।

  • ଠକାମୀର ନୂଆ ଫର୍ମୁଲା
  • ୯୯୯ ଟଙ୍କାରେ ମୋବାଇଲ୍ ରିଚାର୍ଜ କର
  • ବର୍ଷକ ପାଇଁ ଅନଲିମିଟେଡ୍ କଲ୍ ସହ ଦୈନିକ ୨ ଜିବି ଡାଟା

ଏମିତି ଏକ ଲୋଭନୀୟ ଅଫର୍ର ଜାଲରେ ପଡିଛନ୍ତି ରାଜ୍ୟର ହଜାର ହଜାର ଲୋକ । ମାତ୍ର ଦୁଇ-ତିନି ମାସ ପରେ ମାସିକ ରିଚାର୍ଜ ବନ୍ଦ ହୋଇଯିବାରୁ ବଡ଼ ଧରଣର ଠକାମୀ ପଦାକୁ ଆସିଛି । କଟକ ୪୨ ମୌଜାର “ସାଙ୍ଗଭି ଏଂଟରପ୍ରାଇଜର୍ସ’ ନାମକ ଏକ ସଂସ୍ଥା ବିରୋଧରେ ଏଭଳି ଅଭିଯୋଗ ଆସିଛି । ଲୋକଙ୍କଠାରୁ “ସାଙ୍ଗଭି ଏଂଟରପ୍ରାଇଜର୍ସ’ ୯୯୯ ଟଙ୍କା ନେଇଛି ଏବଂ ପ୍ରତି ମାସରେ ୨୪୯ ଟଙ୍କା ଲେଖାଁଏ ୧୨ ଥର ରିଚାର୍ଜ କରିବ ବୋଲି ପ୍ରତିଶ୍ରୁତି ଦେଇଛି । ଅର୍ଥାତ୍ ପାଖାପାଖି ୩ ହଜାର ଟଙ୍କାର ମୋବାଇଲ୍ ରିଚାର୍ଜକୁ ମାତ୍ର ୯୯୯ ଟଙ୍କାରେ ଦେବ ବୋଲି ପ୍ରତିଶ୍ରୁତି ଦେଇଛି ଏହି ସଂସ୍ଥା । ଏପରିକି ଦୈନିକ ଜିଓର ୨ ଜିବି ଡାଟା କିମ୍ବା ଏୟାରଟେଲର ଦେଢ଼ ଜିବି ଡାଟା ଦିଆଯିବ ବୋଲି କୁହାଯାଇଛି । ସେପଟେ ସଂସ୍ଥାର ମୁଖ୍ୟ ପରିଚାଳକ ବିପ୍ର ଚରଣ ସ୍ୱାଇଁ କହିଛନ୍ତି- ସର୍ଭର ଡାଉନ୍ ଯୋଗୁଁ ରିଚାର୍ଜ ହେଉନି । ଧୀରେ ଧୀରେ ସବୁ କିଛି ଠିକ୍ ହୋଇଯିବ ।

ଗୋଟିଏ ପଟେ ଲୋକେ ଠକାମୀରେ ପଡୁଥିବା ଅଭିଯୋଗ ହେଉଛି, ଅନ୍ୟପଟେ “ସାଙ୍ଗଭି ଏଂଟରପ୍ରାଇଜର୍ସ’ ନୂଆ ନୂଆ ଗ୍ରାହକଙ୍କୁ ପ୍ରଲୋଭିତ କରିଚାଲିଛି । ତେବେ ସବୁଠୁ ବଡ଼ କଥା ହେଉଛି, ଶସ୍ତା ଅଫର ଯୋଗୁଁ ବାରମ୍ବାର ଲୋକ ବିଭିନ୍ନ ଠକାମୀରେ ପଡୁଥିବା ବେଳେ ପୁଣିଥରେ ରାଜ୍ୟବ୍ୟାପୀ ହଜାର ହଜାର ଲୋକ ଏପରି ଠକେଇର ଶିକାର ହେବା ଆଶ୍ଚର୍ଯ୍ୟ କରୁଛି।