କନକ ବ୍ୟୁରୋ: ଆଉ କିଛି ମାସ ପରେ ଦେଶର ଚାରିଆଡେ ଉପଲବ୍ଧ ହେବ ୫-ଜି ସେବା । ହେଲେ ଏହାସହ ମହଙ୍ଗା ହୋଇଯିବ ମୋବାଇଲ ରିଚାର୍ଜ ଦର । ୨୦୨୩ ଗ୍ରା‌ହକମାନଙ୍କ ପକେଟ୍‌କୁ ମଧ୍ୟ ଅଧିକ ଫାଙ୍କା କରିବ। ଏହିବର୍ଷ କଂପାନିଗୁଡ଼ିକ ପୁଣି ଥରେ ରିଚାର୍ଜ ମୂଲ୍ୟ ବଢ଼ାଇବେ ବୋଲି କୁହାଯାଉଛି।

Advertisment

୨୦୨୩ରେ ଟେଲିକମ୍ କ୍ଷେତ୍ରରେ ପ୍ରାୟ ୧.୨୫ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ହେବ। ଟେଲିକମ୍ ସଚିବ କେ ରାଜାରମଣ କହିଛନ୍ତି ଯେ ଟେଲିକମ୍ କଂପାନିଗୁଡ଼ିକର ପରିଚାଳନା ଖର୍ଚ୍ଚ କିଭଳି କମ୍ ହୋଇପାରିବ ସେଥିପାଇଁ ସରକାର ପଦକ୍ଷେପ ଗ୍ରହଣ କରିବେ। ୫ଜି ନେଟ୍‌ୱର୍କ ବିକାଶ କରିବା ଲାଗି ରିଲାଏନ୍ସ ଜିଓ ୨ ଲକ୍ଷ କୋଟି ଟଙ୍କା ବ୍ୟୟ କରିବ ବୋଲି କହିଛି। ସେଥିରୁ ପ୍ରାୟ ୮୮ ହଜାର କୋଟି ଟଙ୍କାରେ କଂପାନି ୫ଜିସ୍ପେକ୍ଟ୍ରମ୍ କିଣିଛି। ଏହା ଆଉ ୧.୧୨ ଲକ୍ଷ କୋଟି ଟଙ୍କା ବିନିଯୋଗ କରିବା ବାକି ଅଛି। ସେହିପରି ଏୟାରଟେଲ୍‌ ପ୍ରାୟ ୨୮ ହଜାର କୋଟି ଟଙ୍କା ନିବେଶ କରିବାକୁ ଯାଉଥିବା ବେଳେ ସରକାରୀ କଂପାନି ବିଏସ୍‌ଏନ୍ଏଲ୍‌ ୧୬ ହଜାର କୋଟି ଟଙ୍କା ନିବେଶ କରିବ। ଆଦାନି ଡାଟା ନେଟ୍‌ୱର୍କସ୍‌ ୫ଜି ସ୍ପେକ୍ଟ୍ରମ୍ କିଣିଥିବା ବେଳେ ତାହା କେବେ ନିବେଶ କରିବ ଏପର୍ୟ୍ୟନ୍ତ ଜଣାଇନାହିଁ। ଭୋଡାଫୋନ୍ ଆଇଡିଆ ମଧ୍ୟ ସ୍ପଷ୍ଟ ସଙ୍କେତ ଦେଇନାହିଁ।

ଯେହେତୁ ଟେଲିକମ୍ କମ୍ପାନୀ ଗୁଡିକ ଅଧିକ ଅର୍ଥ ନିବେଶ କରିବେ ତେଣୁ ଗ୍ରାହକଙ୍କ ଉପରେ ଏହାର ପ୍ରଭାବ ପଡିବ ବୋଲି ଅନୁମାନ କରାଯାଉଛି ।