୫-ଜି ସ୍ପେକ୍ଟ୍ରମ୍ ପ୍ରଭାବ : ଟାରିଫ ବଢାଇବାକୁ ସଜବାଜ ହେଲେଣି ଟେଲିକମ୍ କମ୍ପାନୀ । ବଢିବ କି ମୋବାଇଲ ବିଲ?

537

କନକ ବ୍ୟୁରୋ: ମାଷ୍ଟରଷ୍ଟ୍ରୋକରେ ଏବେ ୫-ଜି ସ୍ପେକ୍ଟ୍ରମ୍ ଅର୍ଥାତ୍ ଫିଫତ୍ ଜେନେରେସନ୍ ଇଣ୍ଟରନେଟ୍ ନେଟୱର୍କ ଲଞ୍ଚିଙ୍ଗ । ୫ଜି ସ୍ପେକ୍ଟ୍ରମ୍ ନିଲାମୀ ଶେଷ ହୋଇଛି । ଏଥିରୁ କେନ୍ଦ୍ର ହାତକୁ ଆସିଛି ୧.୫ ଲକ୍ଷ କୋଟି ଟଙ୍କା । ରିଲାଏନ୍ସ, ଭାରତୀ ଏୟାରଟେଲ୍ସ, ଭୋଡାଫୋନ୍ ଆଇଡିଆ ଓ ଆଦାନି ଡାଟା ନେଟୱାର୍କସ୍ ବିଭିନ୍ନ ବ୍ୟାଣ୍ଡରେ ୫-ଜି ଏୟାରୱେଭ୍ ହାତେଇଛନ୍ତି । ଏସବୁ ମଧ୍ୟରେ ମୋବାଇଲ ଉପଭୋକ୍ତାଙ୍କ ପାଇଁ କିନ୍ତୁ ଚିନ୍ତା ବଢିଯାଇଛି ।

ଏହାର ଅର୍ଥ ଆଗକୁ ସାଧାରଣ ଲୋକଙ୍କ ପକେଟ୍ ଉପରେ ମହଙ୍ଗା ମାଡ ହେବ । ମୋବାଇଲ ରିଚାର୍ଜ ଦର ବଢିଯାଇପାରେ । ବିଶେଷଜ୍ଞଙ୍କ କହିବା ଅନୁସାରେ କମ୍ପାନୀଗୁଡିକ ୫-ଜି ସ୍ପେକ୍ଟ୍ରମ୍ କିଣିବା ପାଇଁ ଯେଉଁ କୋଟିକୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ଏହାର ଭରଣା ସେମାନେ ଗ୍ରାହକଙ୍କ ଠାରୁ କରିପାରନ୍ତି । ତେଣୁ ଖର୍ଚ୍ଚ କରିଥିବା ଟଙ୍କା ମୋବାଇଲ ରିଚାର୍ଜ ଦରକୁ ବଢାଇ ଅସୁଲ କରିବାକୁ ଚାହାଁନ୍ତି । ଏହା ପୂର୍ବରୁ କମ୍ପାନୀଗୁଡିକ ଗତ ବର୍ଷ ନଭେମ୍ବରରେ ମଧ୍ୟ ରିଚାର୍ଜ ଦର ବଢାଇଥିଲେ ।

କ୍ରିସିଲ ରେଟିଙ୍ଗସର ବରିଷ୍ଠ ନିର୍ଦ୍ଦେଶକ ମନୀଷ ଗୁପ୍ତା କୁହନ୍ତି ଯେ, ଟେଲିକମ୍ କମ୍ପାନୀଗୁଡିକ ସ୍ପେକ୍ଟ୍ରମ୍ କିଣିବା ପାଇଁ ବିପୁଳ ଅର୍ଥ ଖର୍ଚ୍ଚ କରିଛନ୍ତି । ତେଣୁ ୫-ଜି ସେବା ପ୍ରଦାନ ଲାଗି ଗ୍ରାହକଙ୍କ ଠାରୁ ଅଧିକ ଟଙ୍କା ଅସୁଲ କରିବେ । ଗ୍ରାହକଙ୍କୁ ୫ଜି ସହ ଯୋଡିବା ପାଇଁ କମ୍ପାନୀଗୁଡିକ ୪-ଜି ସେବାର ଟାରିଫ୍ ବି ମହଙ୍ଗା କରିପାରନ୍ତି । ଟାରିଫ୍ ବଢିଲେ ଏୟାରଟେଲ୍, ରିଲାଏନ୍ସ ଜିଓ ଓ ଭୋଡାଫୋନ୍ ଆଇଡିଆର ମୋବଇଲ ଟାରିଫ୍ ମହଙ୍ଗା ହୋଇଯିବ ।

ଗ୍ଲୋବାଲ ମାର୍କେଟ୍ସ ରିସର୍ଚ୍ଚ ଅନୁସାରେ, ଟେଲିକମ୍ କମ୍ପାନୀ ଗୁଡିକ ସେମାନଙ୍କ ଉପଭୋକ୍ତାଙ୍କ ପାଇଁ ଟାରିଫରେ ୪% ଶୁଳ୍କ ବୃଦ୍ଧି କରିପାରନ୍ତି । କିମ୍ବା ଦୈନିକ ୧.୫ ଜିବି ବିଶିଷ୍ଟ ୪-ଜି ପ୍ଲାନରେ ୩୦% ବୃଦ୍ଧି କରାଯାଇପାରେ ।

ଦେଶରେ ୫-ଜି ଅଭିଯାନ ଆରମ୍ଭ ହୋଇଛି । କମ୍ପାନୀ ଗୁଡିକ ୫ଜି ସେବା କ୍ଷେତ୍ରରେ କଡା ଟକ୍କର ଦେବାକୁ ତୟାର । ସ୍ପେକ୍ଟ୍ରମ ନିଲାମୀରେ ସରକାର ଆଦାୟ କରିଛନ୍ତି ଦେଢ ଲକ୍ଷ କୋଟି ଟଙ୍କାର ରାଜସ୍ୱ । ଏହି ନିଲାମୀ ପାଇଁ ବଡ ବଡ ଟେଲିକମ୍ କମ୍ପାନୀ ଖର୍ଚ୍ଚ କରିଛନ୍ତି ଆଖିବୁଜା ଅର୍ଥ । ହେଲେ ନିଲାମୀରେ ସବୁଠୁ ଆଗରେ ରହିଛି ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଜିଓ ।
୫-ଜି ସ୍ପେକ୍ଟ୍ରମ ୍ଦ୍ୱାରା ମାଲାମାଲ ହେବେ ସରକାର । ୨୦୩୭ ସୁଦ୍ଧା ସରାକାରଙ୍କୁ ମିଳିପାରେ ୩୭ ଲକ୍ଷ କୋଟିର ଲାଭ । ଦେଶର ଜିଡିପି ୨୦୨୫ରୁ ୨୦୪୦ ମଧ୍ୟରେ ୧୨ ଲକ୍ଷ କୋଟି ଟଙ୍କା ବୃଦ୍ଧି ପାଇବ । । ଏହାଦ୍ୱାରା କମ୍ୟୁନିକେସନ୍ ଓ ଯୋଗାଯୋଗ କ୍ଷେତ୍ରରେ ଏକ ପ୍ରକାର ବିପ୍ଳବ ଆସିବ ବୋଲି କୁହାଯାଉଛି ।

୫-ଜି ସ୍ପେକ୍ଟ୍ରମ୍ କାର୍ଯ୍ୟକାରୀ ହେଲେ ସାଧାରଣ ଲୋକେ ବି ଉପକୃତ ହେବେ । ଇଣ୍ଟରନେଟ୍ ସ୍ପିଡ୍ ଶତ ପ୍ରତିଶତ ବଢିବ । ଫଳରେ ମୋବାଇଲ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଗେଜେଟ୍ ସବୁ ଇଣ୍ଟରନେଟ୍ରେ ଅପରେଟ୍ ହୋଇପାରିବ । ବିଭିନ୍ନ ପ୍ରକାର ଗେଜେଟ୍କୁ ଏକାସଙ୍ଗରେ କନେକ୍ଟ କରାଯାଇପାରିବ । ହେଲେ ଏସବୁ ବିନିୟମରେ ଗ୍ରାହକଙ୍କୁ ଦେବାକୁ ପଡିପାରେ ଅଧିକ ରାଚାର୍ଜ ଦର