ମୋବାଇଲ ଚାର୍ଜିଂ ବେଳେ ହେଲା ବିସ୍ଫୋରଣ, ୪ ଜଣ କୁନି ଶିଶୁଙ୍କର ମୃତ୍ୟୁ । ହସ୍ପିଟାଲ ବେଡରେ ଜୀବନ ସହ ସଂଗ୍ରାମ କରୁଛନ୍ତି ବାପା-ମା’, ଉତ୍ତରପ୍ରଦେଶରୁ ଆସିଲା ଅଭାବନୀୟ ଖବର ।

350

କନକ ବ୍ୟୁରୋ : ଉତ୍ତରପ୍ରଦେଶର ମେରଠରୁ ଆସିଛି ଦୁଃଖଦ ଖବର । ମୋବାଇଲ ବିସ୍ଫୋରଣରେ ଚାଲିଯାଇଛି ୪ ଜଣ କୁନି ପିଲାଙ୍କ ଜୀବନ । ଯାହା ମୁଜଫରନଗରରେ ଶୋକର ଛାୟା ଖେଳାଇ ଦେଇଛି । ମୋବାଇଲ ଚାର୍ଜ ସମୟରେ ସଟସର୍କିଟ କାରଣରୁ ଏଭଳି ଅଭାବନୀୟ ଦୁର୍ଘଟଣା ଘଟିଛି । ସଟସର୍କିଟ କାରଣରୁ ମୋବାଇଲରେ ବିସ୍ଫୋରଣ ହୋଇ ପୂରା ଘରେ ନିଆଁ ଲାଗି ଯାଇଥିଲା । ଯେଉଁଥିରେ ପରିବାରର ୬ ଜଣ ପୋଡି ହୋଇଯାଇଛନ୍ତି । ଯେଉଁମାନଙ୍କ ମଧ୍ୟରୁ ୪ ଜଣଙ୍କର ମୃତ୍ୟୁ ହୋଇଛି । ସମସ୍ତ ଗୁରୁତର ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଶନିବାର ରାତିରେ ଏଭଳି ଘଟଣା ଘଟିଛି ।

ମିଳିଥିବା ସୂଚନା ଅନୁଯାୟୀ, ଦିନ ମଜୁରିଆ ଭାବେ କାମ କରୁଥିବା ଜନି ପତ୍ନୀ ବବିତା ଓ ୪ ଜଣ ସନ୍ତାନଙ୍କ ସହ ଘରେ ଥିବା ବେଳେ ମୋବାଇଲ ଚାର୍ଜି ହେଉଥିବା ବିଦ୍ୟୁତ ବୋର୍ଡରେ ସଟସର୍କିଟ ହୋଇଥିଲା । ଯାହାଫଳରେ ମୋବାଇଲଟି ବିସ୍ଫୋରଣ ହୋଇ ବିଛଣାରେ ପଡିଥିଲା । ଫୋମ ଉପରେ ବିଛଣା ପଡିଥିବାରୁ ନିଆଁ ସଙ୍ଗେ ସଙ୍ଗେ ଉଗ୍ର ରୂପ ଧାରଣ କରିଥିଲା । ଛୁଆଙ୍କୁ ବଞ୍ଚାଇବାକୁ ଯାଇ ଜନି ଓ ତାଙ୍କ ପତ୍ନୀ ମଧ୍ୟ ପୋଡି ଯାଇଥିଲେ । ତୁରନ୍ତ ହସ୍ପିଟାଲରେ ସଭିଙ୍କୁ ଭର୍ତ୍ତି କରାଯାଇଥିଲା । ତେବେ ସକାଳ ସୁଦ୍ଧା ନିଆଁରେ ପୋଡି ହୋଇଥିବା ୪ ଶିଶୁ ମୃତ୍ୟୁବରଣ କରିଥିଲେ । ଉଭୟ ସ୍ୱାମୀ ଓ ସ୍ତ୍ରୀ ଅତି ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ନିଆଁ ଲାଗିବା ପରେ ପରସ୍ପରକୁ ବଞ୍ଚାଇବା ଚକ୍କରରେ ପରିବାରର ୪ ଶିଶୁ ପ୍ରାଣ ହରାଇଛନ୍ତି ।