ବିଚ୍ଛିନାଞ୍ଚଳରେ ପହଞ୍ଚିବ ମୋବାଇଲ୍ ନେଟୱାର୍କ । ଖୁବଶୀଘ୍ର ସ୍ଥାପନ ହେବ ୫୦୦୦ ଟାୱାର । କେନ୍ଦ୍ର ଆଇଟି ମନ୍ତ୍ରୀଙ୍କ କହିଲେ….

420

କନକ ବ୍ୟୁରୋ: ଓଡିଶାରେ ସ୍ଥାପନ ହେବ ୫୦୦୦ ମୋବାଇଲ୍ ଟାୱାର । ବିଚ୍ଛିନାଞ୍ଚଳରେ ପହଞ୍ଚିବ ମୋବାଇଲ୍ ନେଟୱାର୍କ । ଏଥିପାଇଁ କେନ୍ଦ୍ର ସରକାର ମୋଟ ୫୬୦୦ କୋଟି ଟଙ୍କା ଖର୍ଚ୍ଚ କରିବେ । ଏନେଇ ଆଜି କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି । ଆଜିଠୁ ଓଡିଶାରେ ଆରମ୍ଭ ହୋଇଛି ୫ଜି ସେବା । କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଏହି ସେବାର ଶୁଭାରମ୍ଭ କରିଛନ୍ତି ।

ଏହି ଅବସରରେ ସୂଚନା ଦେଇ କେନ୍ଦ୍ର ଆଇଟି ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ରାଜ୍ୟର ପ୍ରତିଟି ବିଚ୍ଛିନାଞ୍ଚଳରେ ମୋବାଇଲ୍ ନେଟୱାର୍କ ପହଞ୍ଚିବ । ଏଥିପାଇଁ ମୋଦୀ ସରକାର ସମସ୍ତ ଯୋଜନା ପ୍ରସ୍ତୁତ କରିସାରିଛନ୍ତି । ଖୁବଶୀଘ୍ର ଓଡିଶାରେ ମୋଟ୍ ୫୦୦୦ ଟାୱାର ସ୍ଥାପନ ହେବ । ସେ ଭିତରୁ ଆଜି ୧୦୦ଟି ଟାୱାର ଆରମ୍ଭ ହୋଇଛି । ସୂଚନା ମୁତାବକ, ଆଜି କଳାହାଣ୍ଡିରେ ୧୯ଟି , କନ୍ଧମାଳରେ ୧୨ଟି, କୋରାପୁଟରେ ୮ଟି, ମାଲକାନଗିରିିରେ ୨୫ଟି , ନବରଙ୍ଗପୁରରେ ନୂଆପଡା ଓ ରାୟଗଡାକୁ ମିଶାଇ ମୋଟ୍ ୧୦୦ଟି ଟାୱାର ଉଦଘାଟିତ ହୋଇଛି । ତେବେ ପ୍ରତିମାସରେ ଏହି ସଂଖ୍ୟା ବୃଦ୍ଧି ପାଇବା ସହିତ ମୋଟ ୫୦୦୦ ଟି ଟାୱାର ସ୍ଥାପନ ହେବ ବୋଲି ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଓଡିଶାରେ ଆଜିଠୁ ୫ଜି ସେବା ଆରମ୍ଭ ହୋଇଛି । ପ୍ରଥମ ପର୍ୟ୍ୟାୟରେ ଟ୍ୱିନସିଟିରେ ୫ଜି ଯୋଡି ହୋଇଛି । ପରବର୍ତ୍ତୀ ପର୍ୟ୍ୟାୟରେ ୫ଟି ସହରରେ ଏହି ସେବା ଆରମ୍ଭ ହେବ । ୫-ଜି ସେବା ପାଇଁ ରିଲାଏନ୍ସ ଏବଂ ଏୟାରଟେଲ ପକ୍ଷରୁ ୫୧୦ଟି ବିଟିଏସ୍ ବିଭିନ୍ନ ସହରରେ ସ୍ଥାପନ କରାଯାଇଛି । ୫-ଜି ସେବା ଆରମ୍ଭ ହେଲେ ଟେଲିକମ୍ ଓ ଇଣ୍ଟରନେଟ୍ ଗ୍ରାହକମାନେ ଉନ୍ନତମାନର ସେବା ପାଇବେ । ଦେଶରେ ଗତବର୍ଷ ଅକ୍ଟୋବର ପହିଲାରେ ୫-ଜି ସେବା ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଥିବା ବେଳେ ଆଜି ଓଡ଼ିଶାରେ ଆରମ୍ଭ ହୋଇଛି ପଞ୍ଚମ ଜେନେରେସେନ୍ ମୋବାଇଲ୍ ନେଟୱର୍କ ।