ଏବେ ବି ଗାଁକୁ ଆସୁନି ମୋବାଇଲ ନେଟୱର୍କ । କାମ ନସରିବାରୁ ବ୍ଲକ ଅଫିସରେ ଧାଡିରେ ଛିଡା ହେଲେ ଲୋକେ । କନ୍ଧମାଳ ରଟିଙ୍ଗିଆର ଘଟଣା ।

71

କନକ ବ୍ୟୁରୋ: ରାସ୍ତା କଡରେ ଚାଲିଲା ସରକାରୀ କାମ । ଗାଁରେ ଆସୁନି ମୋବାଇଲ ନେଟୱର୍କ । ଆଉ ଲୋକଙ୍କୁ ସେବା ଯୋଗାଇବାକୁ ଯାଇ କନ୍ଧମାଳ ଜିଲ୍ଲା ଘୁ ଉଦୟଗିରି ବ୍ଲକ ରଟିଙ୍ଗିଆରେ ରାସ୍ତା କଡରେ ବସିଛି ଅଫିସ । ସାରା ଦେଶର ଗାଁକୁ ଯେତେବେଳେ ୫ଜି ଏବଂ ବ୍ରଡବ୍ୟାଣ୍ଡ ସଂଯୋଗ ପାଇଁ ପ୍ରୟାସ ହେଉଛି । ସେତେବେଳେ ବାଲିଗୁଡାର ଏହି ଚିତ୍ର ଅନେକ କିଛି ବୟାନ କରୁଛି । ରାସନକାର୍ଡଧାରୀଙ୍କୁ ଦୁଇଟି ଝୋଟ ବ୍ୟାଗ ସହ ଏକ ହଜାର ଟଙ୍କା ପ୍ରଦାନ ନିମନ୍ତେ ସରକାରୀ କର୍ମଚାରୀ ନୟାନ୍ତ ହୋଇଛନ୍ତି । ନେଟୱର୍କ ସମସ୍ୟା ଯୋଗୁଁ ସରକାରୀ କର୍ମଚାରୀ ଗାଁ ଗାଁ ବୁଲି ନେଟୱର୍କ ଖୋଜିଥିଲେ । ରଟିଙ୍ଗିଆ ଛକରେ ରାସ୍ତାକଡ଼ରେ ନେଟୱର୍କ ଆସୁଥିବା ଦେଖି ଅଫିସ କାମ କରିଛନ୍ତି । କିଛି ଘଣ୍ଟା ଭିତରେ ମାତ୍ର ୨୦ର ୨୫ଜଣ ରାସନକାର୍ଡଧାରୀଙ୍କୁ ଏକ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା ।

କାମ ଅଧାରେ ନେଟୱର୍କ ସମସ୍ୟା ହେବାରୁ ଟଙ୍କା ଦେବା ବନ୍ଦ କରି ଯୋଗାଣ ବିଭାଗ କର୍ମଚାରୀ କାର୍ଡଧାରୀଙ୍କୁ ବ୍ଳକକୁ ଆସିବାକୁ କହିଥିଲେ । ହିତାଧିକାରୀ କାମଧନ୍ଦା ଛାଡି ବ୍ଲକ ଅଫିସକୁ ଆସିଲ ଘଂଟାଘଂଟା ଧରି ଲାଇନ୍ରେ ଅପେକ୍ଷା କରିଥିଲେ । ଅନ୍ୟପଟେ ରଟିଙ୍ଗିଆ ଗ୍ରାମବାସୀ ନେଟୱାର୍କ ସମସ୍ୟା ବାବଦରେ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଥିଲେ । କିନ୍ତୁ ଏଯାଏଁ ସମାଧାନ ହୋଇନି । ନିର୍ବାଚନ ପୂର୍ବରୁ ରଟିଙ୍ଗିଆରେ ମୋବାଇଲ ନେଟୱାର୍କ ସମସ୍ୟାର ସମାଧାନ ନହେଲେ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।