ମହଙ୍ଗା ହେବ ମୋବାଇଲ୍ କଲ୍ । ଟାରିଫ୍ ପ୍ଲାନରେ ବୃଦ୍ଧି କଲେ ଏହି ୪ଟି ଟେଲିକମ୍ କମ୍ପାନୀ, ଆସନ୍ତା ଡିିସେମ୍ବରରୁ ଆପଣଙ୍କୁ ଗଣିବାକୁ ହେବ ଅଧିକ ଟଙ୍କା ।

2,594

କନକ ବ୍ୟୁରୋ : ଏଣିକି କଲ୍ ପାଇଁ ଆପଣଙ୍କୁ ଗଣିବାକୁ ହେବ ଅଧିକ ଟଙ୍କା । ଆସନ୍ତା ଡିସେମ୍ବର ମାସ ୧ ତାରିଖରୁ ମହଙ୍ଗା ହେବାକୁ ଯାଉଛି ମୋବାଇଲ୍ କଲ୍ । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଆଇଡିଆ, ଏୟାରଟେଲ୍, ଭୋଡାଫୋନ୍ ସମେତ ଜିଓର ଟାରିଫ ପ୍ଲାନରେ ବୃଦ୍ଧି କରାଯିବ । ଅର୍ଥାତ ଆପଣ ପୂର୍ବରୁ ଏହି ଟେଲିକମ୍ କମ୍ପାନୀ ଗୁଡିକ ଠାରୁ ଯେଉଁ ସେବା ପାଉଥିଲେ, ସେଥିପାଇଁ ଏବେ ଆପଣଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।

ଅତି ଶୋଚନୀୟ ସ୍ଥିତି ଦେଇ ଗତି କରୁଛି ଅଧିକାଂଶ ଟେଲିକମ୍ କମ୍ପାନୀ । ଏପରିକି ହଜାର ହଜାର କୋଟି ଟଙ୍କାର କ୍ଷତି ମଧ୍ୟ କମ୍ପାନୀ ଗୁଡିକୁ ସହିବାକୁ ପଡୁଛି । ଆଉ ଏସବୁ ଭିତରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏଭଳି ସ୍ଥିତିରୁ ବାହାରିବା ପାଇଁ ହୁଏତ, ଟେଲିକମ୍ କମ୍ପାନୀ ଗୁଡିକ ପାଖରେ ଆଉ କୌଣସି ବିକଳ୍ପ ନାହିଁ । ଆଉ ଯେଉଁଥିପାଇଁ ଆପଣଙ୍କ ପକେଟରୁ ଏଣିକି ଅଧିକ ଟଙ୍କା ନେବେ ଟେଲିକମ୍ କମ୍ପାନୀ ।

ଆସନ୍ତା ମାସରୁ ମୋବାଇଲ କଲ୍ କରିବାକୁ ହେଲେ ଗ୍ରାହକଙ୍କୁ ଅଧିକ ଖର୍ଚ୍ଚ କରିବାକୁ ହେବ । କାରଣ ଦେଶର ପ୍ରମୁଖ ମୋବାଇଲ ସେବା ପ୍ରଦାନକାରୀ ଟେଲିକମ୍ କମ୍ପାନୀ ନିଜର କଲ୍ ରେଟ୍ ବଢ଼ାଇବାକୁ ଯାଉଛନ୍ତି । ଜିଓ ସମେତ ଭୋଡାଫୋନ୍, ଆଇଡିଆ ଓ ଭାରତୀୟ ଏୟାରଟେଲ ଆସନ୍ତାମାସରୁ ନିଜର ଟାରିଫ ପ୍ଲାନ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି ।

ଟେଲିକମ୍ କ୍ଷେତ୍ରରେ ଦେଖାଦେଇଥିବା ଅସ୍ଥିରତାରୁ ମୁକୁଳିବା ପେଇଁ ଏହି ନିଷ୍ପତି ନିଆଯାଇଥିବା କୁହାଯାଉଛି । ଭୋଡାଫୋନ, ଆଇଡିଆ, ଜିଓ ଓ ଏୟାରଟେଲର କ୍ଷତି ବୃଦ୍ଧି ପାଉଥିବା ନେଇ ଖବର ପରେ ଏହି ନୂଆ ପଦକ୍ଷେପ ସାମ୍ନାକୁ ଆସିଛି । ତେବେ ପୂର୍ବରୁ ମଧ୍ୟ ଜିଓ ତାର ଟାରିଫ୍ ପ୍ଲାନରେ ବୃଦ୍ଧି କରିସାରିଛି । ନନ୍ ଜିିଓ କଲିଙ୍ଗ ଉପରେ ମାଗଣା ସେବା ହଟାଇବା ସହ ଟାରିଫ୍ ପ୍ଲାନରେ ବୃଦ୍ଧି କରିଥିଲା ରିଲାଏନ୍ସ ଜିଓ । ଆଉ ଏବେ ପୁଣି ଥରେ ଜିଓ ସମେତ ଆଉ ତିନୋଟି ଟେଲିକମ୍ କମ୍ପାନୀ ଗୁଡିକ ଆସନ୍ତା ଡିସେମ୍ବର ମାସ ୧ ତାରିଖରୁ ନିଜ ଟାରିିଫ୍ ପ୍ଲାନରେ ବୃଦ୍ଧି କରିବାକୁ ଯାଉଛନ୍ତି । ଯାହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ବଢିବାରେ ଲାଗିଛି ।