ପୁଣି ମଣିଷ ମାରିଲା ମୋବାଇଲ…! ଚାର୍ଜରେ ବସିଥିଲା ବେଳେ ହଠାତ୍ ବିସ୍ଫୋରଣ ହେଲା ମୋବାଇଲ ଫୋନ: ଚାହୁଁ ଚାହୁଁ ଘର ସହ ଜୀଅନ୍ତା ଜଳିଗଲେ ମାଆ ସମେତ ୨ କୁନି କୁନି ଶିଶୁ

2,395

କନକ ବ୍ୟୁରୋ: ପୁଣି ଜୀବନ ନେଲା ଫୋନ । ମୋବାଇଲରେ ବିସ୍ଫୋରଣ ଘଟି ଜଳିପୋଡି ପାଉଁଶ ହୋଇଗଲା ହସ ଖୁସିର ପୂରା ପରିବାର । ମୋବାଇଲ ଫୋନ ଚାର୍ଜ ବସାଇ ଶୋଇଥିବା ବେଳେ ଘଟିଯାଇଛି ଏଭଳି ଏକ ଲୋହଟାଙ୍କୁରା ଦୁର୍ଘଟଣା । ତେବେ ଘଟଣାଟି ଘଟିଛି ତାଲିମନାଡୁ କରୁର ଜିଲ୍ଲାର ରାୟନୁର ଅଂଚଳରେ ।

ମୋବାଇଲ ବିସ୍ଫୋରଣ ହେବା ଖବର ଆପଣ ଅନେକ ସମୟରେ ବିଭିନ୍ନ ଗଣମାଧ୍ୟମରେ ଦେଖିବାକୁ ଏବଂ ପଢିବାକୁ ପାଇଥିବେ । ଅନେକ ସମୟରେ ମୋବାଇଲ ଫୋନ ଫାଟି କେଉଁଠି ଘର ଜଳିଗଲାଣି ତ ପୁଣି କେଉଁଠି କାହାର ଜୀବନ ଗଲାଣି ଆଉ ପୁଣି କେହି ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହେଲେଣି । ତେବେ ମୋବାଇଲ ଫୋନର ବ୍ୟବହାରକୁ ନେଇ ଲୋକଙ୍କୁ ବହୁବାର ସଚେତନ କରାଗଲେବେ କୌଣସି ଲାଭ ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ । ପୁଣି ମୋବାଇଲକୁ ନେଇ ତାମିଲନାଡୁରୁ ଘଟିଯାଇଛି ଏଭଳି ହିଁ ଏକ ହୃଦୟବିଦାରକ ଦୁର୍ଘଟଣା ।

ମିଳିଥିବା ସୂଚନା ଅନୁସାରେ, ମୁଥୁଲକ୍ଷ୍ମୀ ନାମକ ଜଣେ ମହିଳା ଗତ ରବିବାର ରାତିରେ ନିଜ ମୋବାଇଲ ଫୋନକୁ ଚାର୍ଜରେ ବସାଇ ଦୁଇ ଶିଶୁଙ୍କୁ ଧରି ଶୋଇପଡିଥିଲେ । ମାତ୍ର ବିଳମ୍ବିତ ରାତିରେ ହଠାତ୍ ଫୋନଟି ବିସ୍ଫୋରଣ ହୋଇଯାଇଥିଲା ଏବଂ ଏଥିରୁ ନିଆଁ ବ୍ୟାପୀ ସାରା ଘରକୁ ଗ୍ରାସ କରି ଯାଇଥିଲା । ଫଳରେ ଘରେ ଶୋଇଥିବା ମହିଳାଙ୍କ ସମେତ ତାଙ୍କର ୨ ଶିଶୁ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ତେବେ ଦୁର୍ଘଟଣାଟି ବିଳମ୍ବିତ ରାତିରେ ଘଟିଥିବାରୁ ଏସଂକ୍ରାନ୍ତରେ କେହି ଜାଣିପାରି ନଥିଲେ । ପରଦିନ ସକାଳୁ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇ ଥିଲେ ଏବଂ ପୁଲିସ ଛାନଭିନ କରି ଜାଣିବାକୁ ପାଇଥିଲା କି ମୋବାଇଲରେ ବିସ୍ଫୋରଣ ଯୋଗୁ ଏହି ଦୁର୍ଘଟଣା ଘଟିଛି ।