ମୁଖ୍ୟମନ୍ତ୍ରୀଙ୍କ ମାଷ୍ଟରଷ୍ଟ୍ରୋକ ‘ମୋ ସରକାର’ । ଦୁର୍ନୀତିଖୋରଙ୍କୁ ମାଫ୍ ନାହିଁ, କାମରେ ଅବହେଳା କଲେ ସିଧା ଆକ୍ସନ ।

144

କନକ ବ୍ୟୁରୋ : ଦୀର୍ଘ ୨ ଦଶନ୍ଧିରୁ ବି ଅଧିକ ସମୟ ଧରି ନିର୍ବାଚନୀ ରାଜନୀତିରେ ସଫଳତା ପଛରେ ରହିଛି ନବୀନଙ୍କ ବ୍ୟକ୍ତିଗତ ସାଧୁତା, ସ୍ୱଚ୍ଛତା, ସରଳତା ଓ ନିରାଡମ୍ବର ଜୀବନଶୈଳୀ । ଯାହା ଓଡିଶାବାସୀଙ୍କ ମନରେ ତାଙ୍କର ଏକ ନିର୍ମଳ ଭାବମୂର୍ତି ଆଙ୍କି ପାରିଛି । ୨୦ ବର୍ଷର ନିରଙ୍କୁଶ ଶାସନ କାଳରେ ସରକାର ବିରୋଧରେ ଦୁର୍ନୀତିର ଅଭିଯୋଗ ବି ଉଠିଛି । ହେଲେ ପ୍ରତିଥର ବିରୋଧୀ ଓ ନିନ୍ଦୁକମାନଙ୍କୁ ମାତ ଦେବାପାଇଁ ନୂଆ ଗୋଟିଚାଳନା କରି ପ୍ରତିପକ୍ଷଙ୍କୁ ଧରାଶାୟୀ କରିଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ପଞ୍ଚମ ପାଳିରେ ବିପୁଳ ଜନାଦେଶ ସହ କ୍ଷମତାକୁ ଆସିବା ପରେ ୫-ଟି ସହ ମୋ ସରକାର ଜରିଆରେ ପ୍ରଶାସନକୁ ଅଧିକ କ୍ରିୟାଶୀଳ କରିବାକୁ ପଦକ୍ଷେପ ନେଇଛନ୍ତି ନବୀନ । ସରକାରରେ ଲୋକଙ୍କ ଭାଗିଦାରୀକୁ ବଢାଇବା ସହ ସେମାନଙ୍କ ମତାମତ ଆଧାରରେ ପ୍ରଶାସନକୁ ଆହୁରି ଲୋକାଭିମୁଖୀ କରିବାକୁ ଅଂଟା ଭିଡିଛନ୍ତି । ଗତବର୍ଷ ଅକ୍ଟୋବରରେ ଆରମ୍ଭ ହୋଇଥିଲା ସରକାରଙ୍କୁ ଲୋକଙ୍କ ନିକଟରେ ଉତରଦାୟୀ କରିବାର ଏକ ନିଆରା ସଂସ୍କାରମୂଳକ ଅଭିଯାନ ମୋ ସରକାର । ଥାନା ଓ ଡାକ୍ତରଖାନାରେ ଲୋକଙ୍କୁ କିଭଳି ସେବା ମିଳୁଛି, ସେ ସଂପର୍କରେ ଜନତାଙ୍କ ମତାମତ ନେଇଥିଲେ ଖୋଦ ମୁଖ୍ୟମନ୍ତ୍ରୀ । ନବୀନ ନିବାସରୁ ରାଜ୍ୟର ୮ଜଣ ଲୋକଙ୍କ ସହ ଫୋନ୍ ଯୋଗେ ସିଧାସଳଖ କଥା ହୋଇଥିଲେ । ବଲାଙ୍ଗୀର, ସୁନ୍ଦରଗଡ଼, ମାଲକାନଗିରି, ଯାଜପୁର ଜିଲ୍ଲାର ସରକାରୀ ଡାକ୍ତରଖାନାରେ କେମିତି ଚାଲିଛି ଚିକିତ୍ସା ସେ ନେଇ ପଚାରିଥିଲେ । ସେହିପରି ନୟାଗଡ଼ ଓ ଭବାନୀପାଟଣା ପୁଲିସ ଥାନାକୁ ଫୋନ୍କରି ଲୋକଙ୍କ ମତାମତ ନେଇଥିଲେ । ଥାନା ଓ ଡାକ୍ତରଖାନାରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଚଳିତବର୍ଷ ମାର୍ଚ୍ଚମାସ ସୁଦ୍ଧା ରାଜ୍ୟର ସବୁ ବିଭାଗରେ କାର୍ଯ୍ୟକାରୀ ହୋଇସାରିଲାଣି ।

ମୋ ସରକାରରେ ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳ ନୀତି ଜରିଆରେ ଦେଖାଯାଉଛି କଡା ଆଭିମୁଖ୍ୟ । ଯେତେବଡ ଅଧିକାରୀ ହେଲେ ମଧ୍ୟ ଯଦି ଦୁର୍ନୀତିର ଅଭିଯୋଗ ଆସୁଛି, ତେବେ ତୁରନ୍ତ ନିଆଯାଉଛି କାର୍ଯ୍ୟାନୁଷ୍ଠାନ । ବାଧ୍ୟତାମୂଳକ ଅବସର ସାଙ୍ଗକୁ କାହାକୁ ଚାକିରୀରୁ ନିଲମ୍ବିତ କରାଯାଉଛି ତ କାହାକୁ ଗିରଫ ମଧ୍ୟ କରାଯାଉଛି । ଲାଂଚ ନେଇ ଜଣେ ଆଇଏଏସ ଅଧିକାରୀ ବନ୍ଧା ହେବା ସାରା ଦେଶ ସାମ୍ନାରେ ଉଦାହରଣ ତିଆରି କରିଛି । ଗତ ୬ ମାସରେ ଦୁର୍ନୀତି ଅଭିଯୋଗରେ କିମ୍ବା ସେବାରେ ଅବହେଳା ଅଭିଯୋଗରେ ୧୦୦ରୁ ଅଧିକ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନବୀନ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଦେଇଛନ୍ତି ।

ଗାନ୍ଧୀଜୀଙ୍କ ମତରେ ଲୋକେ ହିଁ ପ୍ରକୃତ ଶାସକ । ମନ୍ତ୍ରୀ ଓ ପ୍ରତିନିଧି ସେମାନଙ୍କ ସେବକ । ତେଣୁ ରାଜ୍ୟର ଶାସନ ବ୍ୟବସ୍ଥାକୁ ଲୋକଙ୍କ ସେବାରେ ସମର୍ପିତ କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ଏହି ମୋ ସରକାର କାର୍ଯ୍ୟକ୍ରମକୁ ଚାରିଆଡୁ ପ୍ରଶଂସା କରାଯାଉଛି । ହେଲେ ୨୦ ବର୍ଷର ନିରଙ୍କୁଶ କ୍ଷମତା ଶାସନ ଓ ପ୍ରଶାସନକୁ ବେଳେବେଳେ ସ୍ଥାଣୁ ଓ ମନୋମୁଖି କରିପକାଏ । ତେଣୁ ବ୍ୟବସ୍ଥାରେ ଏହି ବିଭ୍ରାଟକୁ ସଜାଡି ପାରିଲେ ନବୀନଙ୍କ ଲୋକପ୍ରିୟତା ସେମିତି ଅତୁଟ ରହିଥିିବ ।