କନକ ବ୍ୟୁରୋ: ରାଜ୍ୟ ସରକାରଙ୍କ ପ୍ରସ୍ତାବିତ ମୋ-ଘର ଯୋଜନାରେ ସହାୟତା ପାଇଁ ଆସନ୍ତାକାଲିଠାରୁ ଆରମ୍ଭ ହେବ ଆବେଦନ । ପଞ୍ଚାୟତ ବ୍ଲକ ଓ ମୋ-ସେବା କେନ୍ଦ୍ରରେ ହିତାଧିକାରୀ ଆବେଦନ କରିପାରିବେ । ଯେଉଁମାନେ ଆବେଦନ କରିିବେ ସେମାନଙ୍କ ମଧ୍ୟରୁ ଯୋଗ୍ୟ ହିତାଧିକାରୀ ଚୟନ କରାଯିବ । ତେବେ ମୋ ଘର ଯୋଜନାରେ ସାମିଲ ହେବାକୁ ହେଲେ, ହିତାଧିକାରୀ କେମିତି ଆବେଦନ କରିବେ? ଆବେଦନକାରୀଙ୍କୁ କଣ କରିବା ପାଇଁ ପଡିବ? କି କି କାଗଜପତ୍ର ଦେବାକୁ ପଡିବ? ଜାଣନ୍ତୁ...
କେମିତି କରିବେ ଆବେଦନ?
- ମୋ ଘର ଯୋଜନାରେ ଆବେଦନ ପାଇଁ ଏକ ନିର୍ଦ୍ଦିଷ୍ଟ ୱେବସାଇଟ୍ ରହିଛି
- ଏହି (rhodisha.gov.in/moghara) ୱେବସାଇଟରେ ଆବେଦନ କରିବେ
- ସହାୟତା ପାଇବା ପାଇଁ ଆବେଦନ ପୂର୍ବରୁ ୱେବସାଇଟରେ ପଞ୍ଜୀକରଣ କରିବାକୁ ପଡ଼ିବ
- ଆବେଦନକାରୀଙ୍କୁ ଆଧାରକାର୍ଡ, ପାସପୋର୍ଟ ଫଟୋ, କେୱାଇସି ଡକ୍ୟୁମେଣ୍ଟ ଦେବାକୁ ପଡ଼ିବ
- ଆୟ ପ୍ରମାଣ ପତ୍ର ଦେବାକୁ ପଡିବ
ଯେଉଁମାନଙ୍କର କଚ୍ଚା ଘର ଥିବ, କିମ୍ବା ଗୋଟିଏ କୋଠରୀ ଥିବା ପକ୍କା ଘର ଥିବ, ପରିବାରର ଆୟ ୨୫ ହଜାରରୁ କମ୍ ଟଙ୍କା ଥିବ, ସେହିମାନେ ମୋ-ଘର ପାଇବାକୁ ଯୋଗ୍ୟ । ତେବେ ଘର ନିର୍ମାଣ ପାଇଁ ପୂର୍ବରୁ ୭୦ ହଜାରରୁ ଅଧିକ ଟଙ୍କା ସରକାରୀ ସହାୟତା ପାଇଥିଲେ ମୋ ଘର ଯୋଜନାରେ ସାମିଲ କରାଯିବ ନାହିଁ । ହେଲେ, ପ୍ରକୃତ ହିତାଧିକାରୀଙ୍କୁ ଚୟନ କରିବା ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ।
ରାଜ୍ୟ ସରକାର ମୋ-ଘର ଯୋଜନାରେ, ନିମ୍ନ ଓ ନିମ୍ନ ମଧ୍ୟବିତ ପରିବାରକୁ ଘର ନିର୍ମାଣ, ମରାମତି, ଉନ୍ନତିକରଣ ଓ ସମ୍ପ୍ରସାରଣ ପାଇଁ ହିତାଧିକାରୀଙ୍କୁ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ରୁଣ ଯୋଗାଇ ଦିଆଯିବ । ପ୍ରାୟ ୪ଲକ୍ଷ ହିତାଧିକାରୀଙ୍କୁ ୨ବର୍ଷ ମଧ୍ୟରେ ଘର ପାଇଁ ସହାୟତା ଯୋଗାଇ ଦେବାକୁ ୨୧୫୦କୋଟି ଟଙ୍କା ବ୍ୟୟ ଆକଳନ କରିଛନ୍ତି ରାଜ୍ୟ ସରକାର ।