ଫେବ୍ରୁଆରୀରୁ ନୂଆ ରୂପରେ ‘ମୋ ସାଇକେଲ୍‌’ : କାର୍ଯ୍ୟକାରୀ ହେବ ‘ମୋ ସାଇକେଲ୍ ଆପ୍‌’; ଦୁଇଟି ସାଇକେଲ୍‌ ଟ୍ରାକ୍‌ର ହେବ ଉନ୍ନତୀକରଣ

175

କନକ ବ୍ୟୁରୋ : ‘ମୋ ସାଇକେଲ୍’କୁ ନୂଆ ରୂପ ଦେବା ଲାଗି ଖୁବ୍‌ଶୀଘ୍ର ‘ମୋ ସାଇକେଲ୍ ଆପ୍’ କାର୍ଯ୍ୟକାରୀ କରାଯିବ । ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍‌ ଓ ଭୁବନେଶ୍ୱର ମହାନଗର ନିଗମ ମିଳିତ ଭାବେ ଏଭଳି ପଦକ୍ଷେପ ନେବେ । ସ୍ମାର୍ଟସିଟିର ସିଇଓ ତଥା ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀଙ୍କ ନିର୍ଦ୍ଦେଶରେ ସାଇକେଲ୍‌ ଚାଳକଙ୍କୁ ଉତ୍ସାହିତ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ଫେବ୍ରୁଆରିଠାରୁ ଏହି ସୁବିଧାର ଉପଯୋଗ ହୋଇପାରିବ। ଫଳରେ କେବଳ ଗୋଟିଏ ଆପ୍‌କୁ ବ୍ୟବହାର କରି ଚାଳକମାନେ ୩ଟି କମ୍ପାନିର ସାଇକେଲ୍‌ ଚଢ଼ି ପାରିବେ। କ୍ୟାପିଟାଲ୍ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ(ସିଆର୍‌ୟୁଟି)ରୁ ‘ମୋ ସାଇକେଲ୍’ ଦାୟିତ୍ୱ କାଢ଼ି ନିଆଯିବା ପରେ ବିଏସ୍‌ସିଏଲ୍ ଓ ବିଏମ୍‌ସିର ମିଳିତ ପ୍ରୟାସରେ ଏହାର ପୁନରୁଦ୍ଧାର ଏବଂ ନବୀକରଣ ସ୍ୱରୂପ ବିଭିନ୍ନ ସାଇକେଲ୍ ଡିପୋରେ ଥିବା ସାଇକେଲ୍‌କୁ ସର୍ଭେ କରାଯାଇଛି ।

ବର୍ତମାନ ସମୁଦାୟ ୨ ହଜାର ସାଇକେଲ୍‌ରୁ ୧୬୦୦ଟି କାର୍ଯ୍ୟକାରୀ ଅବସ୍ଥାରେ ରହିଛି । ବାକି ୪୦୦ଟି ସାଇକେଲ୍‌ର ମରାମତି ପାଇଁ ପଦକ୍ଷେପ ନିଆଯାଇଛି । ପବ୍ଲିକ୍ ବାଇ ସାଇକେଲ୍ ସେୟାରିଂ ବା ପିବିଏସ୍‌କୁ ଅଧିକ ଲୋକାଭିମୁଖୀ କରାଯିବ। ପଦକ୍ଷେପସ୍ୱରୂପ, ୨ଟି ମୁଖ୍ୟ ସାଇକେଲ୍ ଟ୍ରାକ୍‌ରେ ପିବିଏସ୍‌ର ଉନ୍ନତି ଘଟାଇବା, ଶିଶୁଭବନ ଛକରୁ ବାଣୀବିହାର ପର୍ଯ୍ୟନ୍ତ ଓ ପଟିଆ ଛକରୁ ଇନ୍‌ଫୋସିଟି ଦେଇ କିଟ୍ ପର୍ଯ୍ୟନ୍ତ ସାଇକେଲ୍ ଟ୍ରାକ୍‌ର ଉନ୍ନତି କରିବା ଏବଂ ଏହି ଟ୍ରାକ୍‌ରେ ଅଧିକରୁ ଅଧିକ ସାଇକେଲ୍‌ର ବ୍ୟବହାର କରାଇବା; ଏହା ଏକ ଦୃଷ୍ଟାନ୍ତମୂଳକ ପଦକ୍ଷେପ ହେବ ବୋଲି କର୍ତ୍ତୃପକ୍ଷ ଆଶା ରଖିଛନ୍ତି ।

ସୂଚନା ଅନୁଯାୟୀ, ‘ମୋ ସାଇକେଲ୍‌’ ଆରମ୍ଭରୁ ୩ଟି କମ୍ପାନି ୨ହଜାର ସାଇକେଲ୍‌କୁ ନେଇ ଭୁବନେଶ୍ୱରରେ ପିବିଏସ୍‌ର ଆରମ୍ଭ କରିଛନ୍ତି। ଏଥିରେ ୟାନାର ୫୦୦ଟି ଥିବା ବେଳେ ୟୁଲୁର ୫୦୦ ଓ ହେକ୍ସି କମ୍ପାନିର ଏକ ହଜାର ସାଇକେଲ୍‌ ରହିଛି। ବର୍ତମାନ ସାଇକେଲ୍‌ ଚଳାଳିଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ୨୦୨୦ ଅକ୍ଟୋବର ୨୦ ସୁଦ୍ଧା ୬୪୬୦ ଜଣ, ନଭେମ୍ବର ୨୦ ସୁଦ୍ଧା ୬୫୬୪ ଜଣ ଓ ଡିସେମ୍ବର ୨୦ ସୁଦ୍ଧା ୬୬୯୯ ଜଣ ପିବିଏସ୍‌ର ଉପଯୋଗ କରିଛନ୍ତି। ଅନ୍ୟପକ୍ଷରେ ଫିଟ୍ ଇଣ୍ଡିଆ ସାଇକେଲ୍ ଯାତ୍ରାରେ ଭୁବନେଶ୍ୱରର ଅନେକ ନାଗରିକ ବିଶେଷକରି ଯୁବପିଢ଼ି ସାଇକେଲ୍‌ର ଉପଯୋଗ କରିଛନ୍ତି ।

ପ୍ରତ୍ୟେକ ଶୁକ୍ରବାର ସାଇକେଲ୍ ଟ୍ରାକ୍ ଅବରୋଧ ଉଚ୍ଛେଦ ପାଇଁ ସହରାଞ୍ଚଳ କର୍ତୃପକ୍ଷଙ୍କ ଉଦ୍ୟମ ଜାରି ରହିଛି । ପ୍ରତ୍ୟେକ ଜୋନ୍‌ରେ ଜୋନାଲ୍ ଡେପୁଟି କମିସନରଙ୍କ ତତ୍ତ୍ବାବଧାନରେ ଏହି ଉଚ୍ଛେଦ କାର୍ଯ୍ୟ କରାଯାଇ ସାଇକେଲ୍ ଟ୍ରାକ୍‌କୁ ଅଧିକ ଗୁରୁତ୍ୱ ଦେବା ଓ ସାଇକେଲ୍ ଚାଳକଙ୍କୁ ପ୍ରୋତ୍ସାହନ ଦେବାର ପ୍ରଚେଷ୍ଟା ଜାରି ରହିଛି । ୨୦୧୮ ନଭେମ୍ବର ୨୬ରେ ଭୁବନେଶ୍ୱରରେ ଆରମ୍ଭ କରାଯାଇଥିବା ପିବିଏସ୍ ଏହାର ନୂଆ ରୂପରେ ଅଧିକ ଲୋକାଭିମୁଖୀ ହେବ । ଏଥିପାଇଁ ନାଗରିକମାନଙ୍କ ସହଯୋଗ କାମନା କରିଛନ୍ତି ବିଏମ୍‌ସି ଡେପୁଟି କମିସନର କମଲ୍‌ଜିତ୍ ଦାସ କହିଛନ୍ତି ।