ମୋ ବସରୁ ଯାତ୍ରୀଙ୍କୁ ଠେଲିଦେବା ଅଭିଯୋଗ ଘଟଣା : ବସରେ କଣ ଘଟିଥିଲା, ଭିଡିଓ ଜାରି କଲା କ୍ରୁଟ

305

କନକ ବ୍ୟୁରୋ : ମୋ ବସରୁ ଯାତ୍ରୀଙ୍କୁ ଠେଲିଦେଇଥିବା ଅଭିଯୋଗ ଘଟଣାରେ ଆସିଲା ସିସିଟିଭି ଫୁଟେଜ୍ । ବସ ଭିତରେ କଣ ଘଟିଥିଲା ତାର ଏକ ଭିଡିଓ ଜାରି କରିଛି ମୋ ବସ ଚଳାଉଥିବା ସଂସ୍ଥା ‘କ୍ରୁଟ୍’ । ଏଥିରୁ ଜଣାପଡୁଛି ବସରେ ଥିବା କର୍ମଚାରୀଙ୍କ ସହ ନିର୍ମଳେନ୍ଦୁଙ୍କ ବଚସା ହୋଇଥିଲା । ସେହି ସମୟରେ ନିର୍ମଳେନ୍ଦୁ ବସ କଣ୍ଡକ୍ଟରଙ୍କୁ ମଧ୍ୟ ଟଣାଓଟରା କରୁଥିବା ସିସିଟିଭିରୁ ଜଣାପଡୁଛି ।

ଆଉକିଛି ପାସେଞ୍ଜର ମଧ୍ୟ ନିର୍ମଳେନ୍ଦୁଙ୍କୁ କିଛି କହୁଥିବାର ଭିଡିଓରୁ ଜଣାପଡୁଛି । ଏବଂ ପରବର୍ତୀ ସମୟରେ ନିର୍ମଳେନ୍ଦୁ ବସର ଡୋରକୁ ଆଉଜି ଛିଡା ହୋଇଥିବାବେଳେ ଡୋର ଅଚାନକ ଖୋଲି ଯାଇଛି । ଏବଂ ସେହି ସମୟରେ ବସରୁ ସେ ତଳେ ପଡିଯାଇଛନ୍ତି । ପଡିବା ସମୟରେ କେହି ତାଙ୍କୁ ଠେଲିବାର ଦୃଶ୍ୟ ଏହି ଭିଡିଓରେ ନାହିଁ । ଡୋରଟି ଅଚାନକ ଖୋଲିଯିବାରୁ ସେ ତଳେ ପଡିଯିବାର ଦେଖିବାକୁ ମିଳୁଛି ।

ତେବେ ଡୋରଟି କିଏ ଖୋଲିଥିଲା ଓ କେମିତି ଅଚାନକ ଖୋଲିଗଲା ତାହା ଜଣାପଡୁ ନାହିଁ । ଏଥିସହ କେଉଁ ପ୍ରସଙ୍ଗକୁ ନେଇ ତାଙ୍କ ଭିତରେ ବଚସା ହେଉଥିଲା ତାହା ଜଣାପଡୁ ନାହିଁ । ତେବେ ସେ ବସରୁ ଖସି ପଡ଼ିବା ପରେ ମଧ୍ୟ ବସଟି ଅଟକି ନଥିଲା । ଏପଟେ ନିର୍ମଳେନ୍ଦୁଙ୍କ କହିବା କଥା ହେଉଛି, ତାଙ୍କୁ କଣ୍ଡକ୍ଟର ବସରୁ ଠେଲି ଦେଇଥିଲେ ଏବଂ ଟିକେଟକୁ ନେଇ ସେମାନଙ୍କ ଭିତରେ ବଚସା ହୋଇଥିଲା । ସେ କହିଛନ୍ତି, ଶ୍ରିୟା ଟକିଜ ଛକରୁ ହଂସପାଳ ଯିବା ପାଇଁ ବସରେ ଚଢ଼ିଥିଲେ, କିନ୍ତୁ କଣ୍ଡକ୍ଟର ମାଷ୍ଟରକାଂଟିନରୁ ହଂସପାଳ ଯାଏଁ ଟିକେଟ କାଟିଥିଲେ । ଫଳରେ ତାଙ୍କୁ ୧୦ ଟଙ୍କା ଅଧିକ ପଡିଥିଲା । ଏହାକୁ ନେଇ ଯୁକ୍ତିତର୍କ ଆରମ୍ଭ ହୋଇଥିଲା ।