କନକ ବ୍ୟୁରୋ : ମହାରାଷ୍ଟ୍ରରେ ବଳ ଗୋଟାଉଛି ଏନଡିଏ । କେଇ ଦିନ ତଳେ କଂଗ୍ରେସର ବରିଷ୍ଠ ନେତା ଅଶୋକ ଚୌହ୍ୱାନ ବିଜେପିରେ ସାମିଲ ହୋଇଥିବା ବେଳେ ଏବେ ଏନଡିଏରେ ସାମିଲ ହୋଇପାରେ ରାଜ ଠାକରେଙ୍କ ମହାରାଷ୍ଟ୍ର ନବନିର୍ମାଣ ସେନା । ମହାରାଷ୍ଟ୍ର ବିଜେପି ସଭାପତିଙ୍କ ସହ ରାଜ ଠାକରେଙ୍କ ରୁଦ୍ଧଦ୍ୱାର ବୈଠକ ପରେ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି । ଉଭୟ ନେତାଙ୍କ ମଧ୍ୟରେ ପ୍ରାୟ ଏ ଘଣ୍ଟାରୁ ଅଧିକ ସମୟ ଧରି ରୁଦ୍ଧଦ୍ୱାର ବୈଠକ ହୋଇଥିଲା । ତେବେ ଉଭୟ ପକ୍ଷରୁ ଏଯାଏଁ ଏନଡିଏରେ ରାଜ ଠାକରେ ସାମିଲ ହେବା ନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ ।
ବୈଠକ ପରେ ରାଜ ଠାକରେ କହିଛନ୍ତି, ଆଜି ଭିନ୍ନ ଏକ ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଥିଲା । ନିର୍ବାଚନକୁ ନେଇ ଯେତେବେଳେ ଆଲୋଚନା ହେବ ସେତେବେଳେ ସ୍ପଷ୍ଟ ଭାବେ କହିବି । ସୁଯୋଗ ମିଳିଛି ବୋଲି ନିର୍ବାଚନକୁ ନେଇ ପ୍ରଶ୍ନ କରନ୍ତୁନି । ସେହିଭଳି ବିଜେପି ଅଧ୍ୟକ୍ଷ ଆଶିଷ ଶେଲାର କହିଛନ୍ତି, ରାଜନୈତିକ ବୈଠକ ଜାରି ରହିଥାଏ କିନ୍ତୁ ଯଦି କିଛି ସେଭଳି ସମ୍ଭାବନା ସୃଷ୍ଟି ହୁଏ ତେବେ ଦେବେନ୍ଦ୍ର ଫଡନବୀଶ କହିବେ । ସେହିଭଳି ଏମଏନଏସର ମୁଖପାତ୍ର କହିଛନ୍ତି, ରାଜ ଠାକରେ ଓ ଆଶିଷ ଶେଲାର ଭଲ ବନ୍ଧୁ ଏବଂ ମଝିରେ ମଝିରେ ଉଭୟ ପରସ୍ପରକୁ ଭେଟିଥାନ୍ତି । ତେଣୁ ଏହି ବୈଠକକୁ ନେଇ ବେଶି ଚର୍ଚ୍ଚା କରିବା ଠିକ୍ ନୁହେଁ ।
ଏହାପୂର୍ବରୁ ରାଜ ଠାକରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଭେଟିଥିଲେ । ସେହିଭଳି ଦେବେନ୍ଦ୍ର ଫଡନବୀଶ ଓ ଅଜିତ ପାୱାରଙ୍କ ସହ ତାଙ୍କର ଭଲ ସମ୍ପର୍କ ରହିଛି । ଏହାଭିତରେ ଦେବେନ୍ଦ୍ର ଫଡନବୀଶ କହିଥିଲେ ଯେ, ନିକଟ ଭବିଷ୍ୟତରେ କିଛି ହୋଇପାରେ ଏବଂ ସଠିକ୍ ସମୟରେ ଏ ବାବଦରେ ସମସ୍ତେ ଜାଣିବେ ।