କନକ ବ୍ୟୁରୋ : ଲୋକସଭା ନିର୍ବାଚନରେ ଏନଡିଏକୁ ବିନା ସର୍ତ୍ତରେ ସମର୍ଥନ ଦେଇଥିବା ରାଜ ଠାକରେଙ୍କ ଏମଏନଏସ ଏବେ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ପାଖରେ ସର୍ତ୍ତ ପରେ ସର୍ତ୍ତ ରଖିବା ଆରମ୍ଭ କରିଦେଇଛନ୍ତି । ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ ଠାକରେ ବିଜେପି ପାଖରେ ୨୦ ଟି ବିଧାନସଭା ଆସନ ପାଇଁ ଦାବି କରିଛନ୍ତି । ଏହାସହ ବର୍ଲି ଆସନରେ ଶିବସେନା(ଉଦ୍ଧବ ଗୋଷ୍ଠୀ) ରୁ ଆଦିତ୍ୟ ଠାକରେ ନିର୍ବାଚନ ଲଢିବାକୁ ଯାଉଥିବା ବେଳେ ତାଙ୍କ ବିରୋଧରେ ଏମଏନଏସ ସନ୍ଦୀପ ଦେଶପାଣ୍ଡେଙ୍କୁ ପ୍ରାର୍ଥୀ କରିବ ବୋଲି ଯୋଜନା କରିଛି ।

Advertisment

ସେପଟେ ବିଜେପି ମଧ୍ୟ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଲୋକସଭା ନିର୍ବାଚନରେ ବିଜେପିକୁ ମହାରାଷ୍ଟ୍ରରେ ବଡ ଝଟକା ଲାଗିଥିବାରୁ ବିଧାନସଭା ନିର୍ବାଚନ ପୂର୍ବରୁ ନୂଆ ରଣନୀତି ପ୍ରସ୍ତୁତ କରୁଛି । ମହାରାଷ୍ଟ୍ର ୨୦୧୯ ଲୋକସଭା ନିର୍ବାଚନରେ ବିଜେପିକୁ ୨୩ ଆସନ ମିଳିଥିବା ବେଳେ ଚଳିତ ଲୋକସଭା ନିର୍ବାଚନରେ ବିଜେପି ମାତ୍ର ୯ ଆସନରେ ସୀମିତ ରହିଛି ।

ଏସବୁ ଭିତରେ ମହାରାଷ୍ଟ୍ରରେ ବିଜେପି ମେଣ୍ଟ ସରକାରରେ ସାମିଲ ଥିବା ଅଜିତ୍ ପାୱାର, ଏକନାଥ ସିନ୍ଦେ କେନ୍ଦ୍ରରେ ମନ୍ତ୍ରୀପଦ ଭାଗବଣ୍ଟାକୁ ନେଇ ଅସନ୍ତୁଷ୍ଟ ଜାହିର କରିଛନ୍ତି । ଏବେ ରାଜ୍ ଠାକରେ ୨୦ ବିଧାୟକ ଆସନ ମାଗିବା ବିଜେପି ପାଇଁ କାଳ ହୋଇପାରେ ବୋଲି ଆଲୋଚନା ହେଉଛି ।