ଫ୍ଲୋର ଟେଷ୍ଟରେ ପାସ୍ ହେଲେ ଉଦ୍ଧବ । କିନ୍ତୁ ମିଳିଳାନି ଭାଇ ରାଜଙ୍କ ଦଳର ବିଧାୟକଙ୍କ ଭୋଟ । 

1,118

କନକ ବ୍ୟୁରୋ : ଫ୍ଲୋର ଟେଷ୍ଟରେ ପାସ୍ ହେଲେ ଉଦ୍ଧବ ଠାକରେ । ବହୁମତ ପରୀକ୍ଷାରେ ବଡ ବିଜୟ ହାସଲ କରିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଉଦ୍ଧବଙ୍କ ସପକ୍ଷରେ ୧୬୯ ଭୋଟ ପଡିଥିବା ବେଳେ ବିପକ୍ଷରେ ଆଦୌ ଭୋଟ ପଡିନଥିଲା । ବିଜେପିର ସମସ୍ତ ସଦସ୍ୟ ଫ୍ଲୋର ଟେଷ୍ଟ ପୂର୍ବରୁ କକ୍ଷତ୍ୟାଗ କରିଥିବା ବେଳେ ୪ ଜଣ ଏମିତି ବିଧାୟକ ଥିଲେ ଯେଉଁମାନେ ଆଦୌ ଭୋଟ ଦେଇନଥିଲେ । ନା ଉଦ୍ଧବଙ୍କ ସପକ୍ଷରେ ନା ବିପକ୍ଷରେ । ଚୁପ୍ ରହିବାକୁ ଶ୍ରେୟସ୍କର ମଣିଥିଲେ ଏହି ୪ ବିଧାୟକ । ଆଉ ତାଲିକାରେ ଉଦ୍ଧବଙ୍କ ଭାଇ ରାଜ ଠାକରେଙ୍କ ଦଳ (ଏମଏନଏସ)ର ଜଣେ ବିଧାୟକ ମଧ୍ୟ ରହିଥିଲେ ।

କେବଳ ଏମଏନଏସର ବିଧାୟକ ନୁହଁନ୍ତି ବରଂ ଏଆଇଏମଆଇଏମର ୨ ଜଣ ଓ ସିପିଆଇଏମର ଜଣେ ବିଧାୟକ ଭୋଟ ଦାନରୁ ନିଜକୁ ଦୂରେଇ ରଖିଥିଲେ । ତେବେ ଭାଇ ଉଦ୍ଧବଙ୍କ ଶପଥଗ୍ରହଣ ଉତ୍ସବରେ ସାମିଲ ଥିବା ରାଜ ଠାକରେଙ୍କ ଦଳର ବିଧାୟକ କାହିଁକି ଭୋଟ ଦାନରୁ ବିରତ ରହିଲେ ତାହାକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ଚଳିତ ବିଧାନସଭାରେ ରାଜ ଠାକରେଙ୍କ ଏମଏନଏସ ଦଳ ମାତ୍ର ଗୋଟିଏ ଆସନରେ ବିଜୟୀ ହୋଇଥିଲା ।

ଏହାପୂର୍ବରୁ ମହାରାଷ୍ଟ୍ରର ଫାୟରବ୍ରାଣ୍ଡ ନେତା କୁହାଯାଉଥିବା ରାଜ ଠାକରେ ଶିବସେନାରେ ଥିଲେ । ବାଲା ସାହେବ ଠାକରେଙ୍କ ପରେ ରାଜ ଦଳର ମଙ୍ଗ ସମ୍ଭାଳିବେ ବୋଲି ମହାରାଷ୍ଟ୍ର ରାଜନୀତିରେ ଜୋରଦାର ଚର୍ଚ୍ଚା ହେଉଥିଲା । ତେବେ ବାଲା ସାହେବ ରାଜଙ୍କ ବଦଳରେ ନିଜ ପୁଅ ଉଦ୍ଧବଙ୍କୁ ଦଳର ସଭାପତି ଭାବେ ଘୋଷଣା କରିବା ଦ୍ୱାରା ଏହା ବିରୋଧରେ ବିଦ୍ରୋହ କରିଥିଲେ ରାଜ । ଏପରିକି ଶିବସେନାକୁ ବାଏ ବାଏ କରି ନିଜର ଏକ ନୂଆ ଦଳ ମହାରାଷ୍ଟ୍ର ନବନିର୍ମାଣ ସେନା ଗଠନ କରିଥିଲେ ରାଜ । ତେବେ ନୂଆ ଦଳ ଗଢି ଭାଗ୍ୟ ପରୀକ୍ଷା କରିଥିଲେ ମଧ୍ୟ ଏଯାଏଁ  ରାଜନୀତିରେ ସେତେଟା ସଫଳତା ପାଇନାହାନ୍ତି ରାଜ ଠାକରେ ।