କନକ ବ୍ୟୁରୋ: ମହାରାଷ୍ଟ୍ରରେ ହନୁମାନ ଚାଳିଶା ଓ ଲାଉଡସ୍ପିକରକୁ ନେଇ ରାଜନୀତି ତେଜିବା ଭିତରେ ଏବେ ନେତାଙ୍କର ଅଯୋଧ୍ୟା ଗସ୍ତ ଆରମ୍ଭ ହେଇଛି । ପ୍ରଥମେ ମହାରାଷ୍ଟ୍ର ନବନିର୍ମାଣ ସେନାର ମୁଖ୍ୟ ରାଜ୍ ଠାକରେ ଅଯୋଧ୍ୟା ଯିବାକୁ ଘୋଷଣା କରିବା ପରେ ଏବେ ଶିବସେନା ନେତା ତଥା ଉଦ୍ଧବଙ୍କ ପୁଅ ଆଦିତ୍ୟ ଠାକରେ ମଧ୍ୟ ଅଯୋଧ୍ୟା ଗସ୍ତରେ ଯିବେ ବୋଲି ଜଣାପଡିଛି । ଏନେଇ ଦଳର ମୁଖପାତ୍ର ସଞ୍ଜୟ ରାଉତ ଟୁଇଟ୍ କରି ସୂଚନା ଦେଇଛନ୍ତି ।

Advertisment

ଏହା ପୂର୍ବରୁ ଏମଏନଏସ୍ ଚିଫ୍ ରାଜ ଠାକରେ ଅଯୋଧ୍ୟା ଯିବାକୁ ଘୋଷଣା କରିବା ସହିତ କହିଥିଲେ, ସେ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିବାର କୌଣସି କାର୍ଯ୍ୟକ୍ରମ ନାହିଁ । ସେ କେବଳ ଗୋଟିଏ ଦିନ ପାଇଁ ଅଯୋଧ୍ୟା ଗସ୍ତରେ ଯିବେ । ତେବେ ଉତ୍ତରପ୍ରଦେଶରେ ଲାଉଡସ୍ପିକରକୁ ନେଇ ଯେଉଁଭଳି ଭାବେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତାକୁ ନେଇ ସେ ଉଦ୍ଧବ ସରକାର ଉପରେ ବର୍ଷିଥିଲେ ।
ଗତ କିଛି ଦିନ ହେଲା ମହାରାଷ୍ଟ୍ରରେ ହନୁମାନ ଚାଳିଶାକୁ ନେଇ ବିବାଦ ଦେଖିବାକୁ ମିଳିଛି । ତା ସହିତ ମସଜିଦରେ ଲାଉଡସ୍ପିକରକୁ ନେଇ ମଧ୍ୟ ନେତାଙ୍କୁ ଭିତରେ ଛକାପଞ୍ଝା ଦେଖିବାକୁ ମିଳିଛି । କିଛି ଦିନ ତଳେ ରାଜ ଠାକରେ କହିଥିଲେ ଯେ, ମେ ୩ ତାରିଖ ସୁଦ୍ଧା ଯଦି ମସଜିଦରୁ ଲାଉଡସ୍ପିକର ହଟିବ ନାହିଁ ତେବେ ସେ ମସଜିଦ୍ ସାମ୍ନାରେ ଲାଉଡସ୍କିକର ଲଗେଇ ହନୁମାନ ଚାଳିଶା ପାଠ କରିବେ । ତେବେ ଏହାକୁ ନେଇ ସେତେବେଳେ ବିବାଦ ସୃଷ୍ଟି ହେବା ପରେ ସେ ଏପରି କରିବାରୁ ବିରତ ରହିଥିଲେ । ତେବେ ଏହା ଭିତରେ ମହାରାଷ୍ଟ୍ରର ଦୁଇ ପ୍ରମୁଖ ନେତା ଅଯୋଧ୍ୟା ଗସ୍ତରେ ଯିବା ମହାରାଷ୍ଟ୍ର ରାଜନୀତିକୁ ସରଗରମ କରିଛି ।