ଜୀବନଜୀବିକା ପ୍ରତି ବିପଦ ପାଲଟିଛି ଏମଏମ୍ ଲଜିଷ୍ଟିକ କୋଇଲା ଡମ୍ପିଂୟାର୍ଡ । ଅନୁଗୁଳ ଜିଲ୍ଲାପାଳଙ୍କ ଅଫିସ ଆଗରେ ଗ୍ରାମବାସୀଙ୍କ ଧାରଣା 

91

କନକ ବ୍ୟୁରୋ: ଚାଷ ବାସ କରି ଶାନ୍ତିରେ ଜୀବନ ଯାପନ କରୁଥିବା ଗାଁକୁ ମାଡି ଆସିଛି ବିପଦ । ଜନବସତି ଠାରୁ ମାତ୍ର ୧୦୦ ମିଟର ଦୂରରେ ଥିବା ଏମଏମ୍ ଲଜିଷ୍ଟିକ କୋଇଲା ଡମ୍ପିଂୟାର୍ଡ ଏବେ ଗାଁ ପାଇଁ ବିପଦ ଆଣିଛି । ଚାଷ ଜମି ଠାରୁ ଆରମ୍ଭ କରି ପାଣି ପବନ ସବୁ କିଛି କୋଇଲା ଗୁଣ୍ଡରେ ଆଚ୍ଛାଦିତ ହୋଇଯାଇଛି । ପ୍ରଦୂଷିତ ପରିବେଶରେ ଜୀବନ ଯାପନ କଷ୍ଟ ହେବାରୁ ରାସ୍ତାକୁ ଓହ୍ଲାଇଛନ୍ତି ଲୋକେ । ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଅସନ୍ତୁଷ୍ଟ ଗ୍ରାମବାସୀ ।

ହାତରେ ପ୍ଲା-କାର୍ଡ ଧରି ଧାଡିରେ ମହିଳା ପୁରୁଷ । ଅନୁଗୁଳର ହଣ୍ଡପା ରେଳ ଷ୍ଟେସନ ନିକଟରେ ଥିବା ଏମଏମ୍ ଲଜିଷ୍ଟିକ କୋଇଲା ଡମ୍ପିଂୟାର୍ଡ ସ୍ଥାନାନ୍ତର ଦାବିରେ ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି ମାହେଶ୍ୱରୀ ଆଂଚଳିକ କ୍ଷତିଗ୍ରସ୍ତ ପ୍ରଜା ସଂଘ । ୪ଟି ପଞ୍ଚାୟତର ଲୋକେ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେବା ସହ ଅହୋରାତ୍ର ଆନ୍ଦୋଳନ କରିଛନ୍ତି । କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ଲୋକଙ୍କୁ ଡରାଇ ଧମକାଇ ଷ୍ଟକ ୟାର୍ଡରୁ କୋଇଲା ପରିବହନ କରୁଛନ୍ତି । ଯାହା ଫଳରେ ସ୍ଥାନୀୟ ଅଞ୍ଚଳରେ ପରିବେଶ ପ୍ରଦୂଷିତ ହେଉଥିବା ଅଭିଯୋଗ କରି ଲୋକେ ୨୦୨୦ ଡିସେମ୍ବର ମାସରୁ ଆନ୍ଦୋଳନ କରି ଆସୁଛନ୍ତି ।

ଜନବସତି ନିକଟରେ କୋଇଲା ଡମ୍ପିଂ ୟାର୍ଡ ରହିଛି । କୋଇଲା ପରିବହନ ଯୋଗୁଁ ଚାଷୀ ଜମି, ଗଛପତ୍ର, ପାଣି ପବନ ସବୁ କୋଇଲା ଗୁଣ୍ଡରେ ଆଚ୍ଛାଦିତ ହୋଇଯାଉଛି । ଫଳରେ ଜଳ, ଜମି, ଜୀବନ-ଜୀବିକା ସବୁ ପ୍ରଭାବିତ ହେଉଛି । ତେଣୁ ଏହାକୁ ତୁରନ୍ତ ବନ୍ଦ କରନ୍ତୁ ନହେଲେ ସ୍ଥାନାନ୍ତର କରନ୍ତୁ । ନଚେତ୍ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ହେବ ବୋଲି ମାହେଶ୍ୱରୀ ଆଞ୍ଚଳିକ କ୍ଷତିଗ୍ରସ୍ତ ପ୍ରଜାସଂଘ ଚେତାବନୀ ଦେଇଛି ।

ତେବେ ଏହି ଆନ୍ଦୋଳନକୁ ଦେଖିଲେ ପ୍ରଶ୍ନ ଉଠେ, ଜନବସତି ଭିତରେ କୋଇଲା ଡମ୍ପିଂୟାର୍ଡ କରିବାକୁ ଏମଏମ୍ ଲଜିଷ୍ଟିକକୁ ଅନୁମତି ଦେଲା କିଏ? ଯଦି ଅନୁମତି ମିଳିଛି ତେବେ ଲୋକଙ୍କ ଜୀବନ-ଜୀବିକା ପ୍ରତି ବିପଦ ଥିବା ଜାଣି ବି ଅନୁମତି ମିଳିଲା କେମିତି? ଡମ୍ପିଂୟାର୍ଡ ସ୍ଥାନାନ୍ତର ନେଇ ବାରମ୍ବାର ଦାବି ହେଉଛି, କିନ୍ତୁ ଜିଲ୍ଲା ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନାହିଁ କାହିଁକି?