ଏମ୍‌ସିଏଲ୍ ବଢ଼ାଉଛି ପ୍ରଦୂଷଣ : ହେଉନି ବୃକ୍ଷରୋପଣ ; ୯ ବର୍ଷରେ ଲଗାଯାଇଛି ମାତ୍ର ୨୭୯୭ଟି ଗଛ

149

କନକ ବ୍ୟୁରୋ : କଳାହୀରାର ସହର ତାଳଚେର ସହରରେ ପ୍ରଦୂଷଣ ବୃଦ୍ଧିରେ କୋଇଲା ଖଣିଗୁଡ଼ିକ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି। ସବୁ ଯାକ ଖଣି ଏମିସିଏଲ୍ ଅଧୀନରେ ରହିଛି। କୋଇଲା ଖଣି ଯୋଗୁଁ ତାଳଚେର ଉପଖଣ୍ଡବାସୀ ପ୍ରଦୂଷଣର ବିଷବଳୟ ମଧ୍ୟରେ ଜୀବନ ଅତିବାହିତ କରୁଛନ୍ତି। ପରିବେଶ ସୁରକ୍ଷା ଦିଗରେ ଏବେ ଜଂଗଲ ସୁରକ୍ଷା ଓ ବୃକ୍ଷରୋପଣକୁ ସରକାର ଗୁରୁତ୍ବ ଦେଉଥିବା‌ ବେଳେ ଏମ୍‌ସିଏଲ୍ ତାଳଚେର କିନ୍ତୁ ଏ ଦିଗରେ ଠୋସ୍ ପଦକ୍ଷେପ ନେଉନାହିଁ। ବିଗତ ୯ ବର୍ଷ ମଧ୍ୟରେ ଏମ୍‌ସିଏଲ୍‌ ତାଳଚେର କ୍ଷେତ୍ର ପକ୍ଷରୁ ମାତ୍ର ୨୭୯୭ଟି ବୃକ୍ଷରୋପଣ କରାଯାଇଥିବା ବେଳେ ଏଥରୁ ୫ ବର୍ଷ ଆଦୌ ଗଛ ଲଗାଯାଇନଥିବା ଜଣାପଡ଼ିଛି।

ସୂଚନା ଅଧିକାର ଆଇନ ବଳରେ ପ୍ରାପ୍ତ ସୂଚନା ଅନୁସା‌ରେ, ଏମ୍‌ସିଏଲ୍ ତାଳଚେର କ୍ଷେତ୍ର ପକ୍ଷରୁ ୨୦୧୦-୧୧ ଆର୍ଥିକ ବର୍ଷରୁ ୨୦୧୮-୧୯ ଆର୍ଥିକ ବର୍ଷ ମଧ୍ୟରେ ମାତ୍ର ୨୭୯୭ଟି ଗଛ ଲଗାଯାଇଥିବା ବେ‌ଳେ ଏବାବଦକୁ ୧ ଲକ୍ଷ ୬୭ ହଜାର ୯୪୫ଟି ଗଛ ଲଗାଯାଇଛି। ୨୦୧୦-୧୧ ଆର୍ଥିକ ବର୍ଷରୁ ୨୦୧୩-୧୪ ବର୍ଷ ପର୍ଯ୍ୟନ୍ତ ଏମ୍‌ସିଏଲ୍ ଏହି ଅଂଚଳରେ ଆଦୌ ବୃକ୍ଷରୋପଣ କରିନାହିଁ। ୨୦୧୪-୧୫ ଆର୍ଥିକ ବର୍ଷରେ ମାତ୍ର ୬୭ଟି ଗଛ ଲଗାଯାଇଛି। ତେବେ ଏଥିପାଇଁ ବିଭାଗ ପକ୍ଷରୁ ଟଙ୍କାଟିଏ ଖର୍ଚ୍ଚ କରାଯାଇନାହିଁ। ୨୦୧୫-୧୬ ଆର୍ଥିକ ବର୍ଷରେ ବି ଗୋଟିଏ ବି ଗଛ ଲଗାଯାଇନାହିଁ। ୨୦୧୬-୧୭ ଆର୍ଥିକ ବର୍ଷରେ ସର୍ବାଧିକ ୨୧୦୦ଟି ଗଛ ଲଗାଯାଇଥିବା ବେଳେ ଏଥିପାଇଁ ୧ ଲକ୍ଷ ୨୭ ହଜାର ୭୯୦ ଟଙ୍କା ଖର୍ଚ୍ଚ କରାଯାଇଥିବା ଜଣାପଡ଼ିଛି। ସେହିପରି ୨୦୧୭-୧୮ ଆର୍ଥିକ ବର୍ଷରେ ୫୫୦ଟି ଗଛ ଲଗାଯାଇଥିବା ବେଳେ ଏବାବଦକୁ ୪୩ ହଜାର ୧୦୫ ଟଙ୍କା ଏବଂ ୨୦୧୮-୧୯ ଆର୍ଥିକ ବର୍ଷରେ ମାତ୍ର ୮୦ଟି ଗଛ ଲଗାଯାଇଛି। ତେବେ ଏଥିପାଇଁ ୭ ହଜାର ୫୦ ଟଙ୍କା ଖର୍ଚ୍ଚ କରାଯାଇଛି। ଏଭଳି ସ୍ଥିତିରେ ଏମ୍‌ସିଏଲ୍‌ ପକ୍ଷରୁ ପରିବେଶ ସୁରକ୍ଷା ଦିଗରେ କେତେ ଗୁରୁ୍ତ୍ବଦିଆଯାଉଛି, ତାହା ଅନୁମାନ କରାଯାଇପା‌ରେ।

ତାଳଚେର କୋଲ୍‌ କରିଡର୍‌ ‌ଯୋଗୁଁ କେବଳ ବାୟୁ ନୁହେଁ, ଜଳ ଆଉ ଜମି ବି ପ୍ରଦୂଷିତ ହେବାରେ ଲାଗିଛି। କୋଇଲା ପରିବହନ କାର୍ଯ୍ୟରେ ବ୍ୟବହୃତ ହଜାର ହଜାର ସଂଖ୍ୟକ ଟ୍ରକ୍‌ରୁ ନିର୍ଗତ ଧୂଆଁ ବାୟୁ ପ୍ରଦୂଷଣ କରୁଛି। କୋଇଲା ପରିବହନକାରୀ ଟ୍ରକ୍‌ରେ ପାଲ ଭିଡ଼ା ବ୍ୟବସ୍ଥା ରହିଛି। ଟଙ୍କା ଖର୍ଚ୍ଚ ହେଉଛି କିନ୍ତୁ, ବାସ୍ତବ କ୍ଷେତ୍ରରେ ଏଥିପ୍ରତି ଅଣଦେଖା କରାଯାଉଛି। ଏ ସଂକ୍ରାନ୍ତରେ ଅନେକ ଥର ସ୍ଥାନୀୟ ଲୋକେ ଜିଲ୍ଲାପାଳଙ୍କଠାରେ ଲିଖିତ ଅଭିଯୋଗ ହୋଇଥିଲେ ବି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ଫଳରେ କୋଇଲା ଗୁଣ୍ଡ ଉଡ଼ି ବାୟୁ ପ୍ରଦୂଷଣ କରୁଛି। ସିଏମପିଡିଆଇର ନଭେମ୍ବର, ଡିସେମ୍ବର ୨୦୧୭ ଓ ଜାନୁଆରି, ଫେବ୍ରୁଆରି ୨୦୧୮ର ତଥ୍ୟ ଅନୁଯାୟୀ ତାଳଚେରରେ ମାତ୍ରାଧିକ ପ୍ରଦୂଷଣ ହେଉଥିବା ଜଣାପଡ଼ିଥିଲା। ସେହିପରି ମାର୍ଚ୍ଚ ୨୦୧୮ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ସିପିସିବି) ପକ୍ଷରୁ ଗାନ୍ଧୀ ସାଗର ଓ ଡେରେଂଗଠାରେ କରାଯାଇଥିବା ସର୍ବେକ୍ଷଣରେ ପ୍ରଦୂଷଣର ମାତ୍ରା ବହୁତ ବେଶୀ ରହିଥିବା ଜଣାପଡ଼ିଛି। ଗତ ୨୦୧୮ ମସିହାରେ ଗ୍ରିନ୍‌ପିସ୍‌ ସଂସ୍ଥାର ଏକ ସର୍ବେକ୍ଷଣରୁ ତାଳଚେର ସହରାଂଚଳର ବିଶ୍ବର ସର୍ବାଧିକ ପ୍ରଦୂଷିତ ଅଂଚଳ ମଧ୍ୟରେ ଅନ୍ୟତମ ବୋଲି ଜଣାପଡ଼ିଥିଲା। ଜୁଲାଇ ୨୦୧୯ ମସିହାରେ ରାଜ୍ୟ ବିଧାନସଭାରେ ଉପସ୍ଥାପିତ ହୋଇଥିବା ଏକ ରିପୋର୍ଟରେ ବି ତା‌ଳଚେର ପ୍ରଦୂଷଣକୁ ନେଇ ଚିନ୍ତା ପ୍ରକଟ କରାଯାଇଥିଲା। ଓଡ଼ିଶା ସରକାରଙ୍କ ପକ୍ଷରୁ ଶିଳ୍ପାଂଚଳରେ ପ୍ରଦୂଷଣ ରୋକିବା ନିମନ୍ତେ ପରିବେଶ ପରିଚାଳନା କାର୍ଯ୍ୟକ୍ରମ ୧୯୯୫-୨୦୦୦ ପକ୍ଷରୁ ପ୍ରସ୍ତୁତ କରାଯାଇଥିଲା। ମାତ୍ର ତାହା ସଠିକ୍ ଭାବେ କାର୍ଯ୍ୟକାରୀ କରାଗଲା ନାହିଁ। ଏମ୍‌ସିଏଲ୍ ତାଳଚେର ଖଣି ଜରି‌ଆରେ ହଜାର ହଜାର କୋଟି ଟଙ୍କା ଲାଭ କରୁଥିବା ବେଳେ ପରିବେଶ ସୁରକ୍ଷା ଦିଗରେ ଅବହେଳା କରୁଛି। ଏଥି ସହିତ କେବଳ ସହରବାସୀ ନୁହେଁ, ନିଜ କର୍ମଚାରୀମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି ଜନସାଧାରଣରେ ଆଲୋଚନା ହେଉଛି।