ବଢିବ ବିଧାୟକଙ୍କ ଦରମା! ବାଚସ୍ପତିଙ୍କୁ ରିପୋର୍ଟ ପ୍ରଦାନ କଲେ ପରାମର୍ଶଦାତା କମିଟି।

ବଢିବ ବିଧାୟକଙ୍କ ଦରମା! ବାଚସ୍ପତିଙ୍କୁ ରିପୋର୍ଟ ପ୍ରଦାନ କଲେ ପରାମର୍ଶଦାତା କମିଟି।

କନକ ବ୍ୟୁରୋ: ବଢିବ ବିଧାୟକଙ୍କ ଦରମା । ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି କରିବାକୁ ଗଠିତ ହୋଇଥିବା ପରାମର୍ଶଦାତା କମିଟି ବାଚସ୍ପତିଙ୍କୁ ରିପୋର୍ଟ ପ୍ରଦାନ କରିଛି । ବାଚସ୍ପତି ବିକ୍ରମକେଶରୀ ଆରୁଖଙ୍କୁ କମିଟିର ଅଧ୍ୟକ୍ଷ ବିଧାୟକ ଅମର ଶତପଥୀ ରିପୋର୍ଟ ପ୍ରଦାନ କରିଛନ୍ତି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ କମିଟି ବିଧାୟକମାନଙ୍କ ଦରମା, ଭତା ଓ ପୂର୍ବତନ ବିଧାୟକଙ୍କ ପେନସନକୁ ପାଖାପାଖି ଦୁଇ ଗୁଣ କରିବାକୁ ପ୍ରସ୍ତାବ ଦେଇଛି । ଗତ ମୌସୁମୀ ଅଧିବେଶନ ବେଳେ ବିଧାୟକମାନେ ଦରମା ଓ ପୂର୍ବତନ ବିଧାୟକମାନେ ପେନସନ ବୃଦ୍ଧି କରିବାକୁ ଦାବି କରିଥିଲେ ।

ଓଡ଼ିଶାରେ ବିଧାୟକଙ୍କ ଦରମା
- ବିଧାୟକଙ୍କ ଦରମା ଓ ଭତା ବାବଦରେ ୧ ଲକ୍ଷ ଟଙ୍କା ପାଉଛନ୍ତି
- ଦରମା ବାବଦକୁ ୩୫ହଜାର, ବିଭିନ୍ନ ଭତା ୬୫ହଜାର
- ଯାତାୟତ ଭତା ୧୫ହଜାର, ମେଡିକାଲ ଖର୍ଚ୍ଚ ୫ହଜାର
- ଟେଲିଫୋନ ବିଲ ୮ହଜାର, ସେକ୍ରେଟେରିଆଲ ଖର୍ଚ୍ଚ ୨୦ହଜାର
- ବିଦ୍ୟୁତ ଦେୟ ବାବଦକୁ ୫ହଜାର
- ଅନ୍ୟାନ୍ୟ ଭତା ମିଶାଇ ୧ ଲକ୍ଷ ଟଙ୍କା ମିଳୁଛି
- ପୂର୍ବତନ ବିଧାୟକଙ୍କୁ ୩୦ହଜାର ଟଙ୍କା ପେନସନ ମିଳୁଛି
- ୨୦୧୭ରେ ଶେଷ ଥର ପାଇଁ ବଢିଥିଲା ବିଧାୟକଙ୍କ ଦରମା

କେଉଁ ରାଜ୍ୟର ବିଧାୟକଙ୍କ ଦରମା କେତେ?
ତେଲେଙ୍ଗାନା ବିଧାୟକଙ୍କ ଦରମା ୨ଲକ୍ଷ ୭୫ହଜାର
ମହାରାଷ୍ଟ୍ରରେ ୨ ଲକ୍ଷ ୩୦ହଜାର
କର୍ଣ୍ଣାଟକରେ ୨ଲକ୍ଷ ୫ ହଜାର
ଝାଡ଼ଖଣ୍ଡରେ ୨ଲକ୍ଷ ୫ ହଜାର
ମେଘାଳୟରେ ୨ ଲକ୍ଷ ୨ହଜାର
ପଞ୍ଜାବରେ ୯୫ ହଜାର
ଦିଲ୍ଲୀରେ ୯୦ ହଜାର
ପଶ୍ଚିମବଙ୍ଗରେ ୮୧ହଜାର ୮ଶହ

ତେବେ ବିଧାୟକଙ୍କ ଦରମା ବୃଦ୍ଧି ନେଇ ଠିକ୍ ସେତେବେଳେ ବିତର୍କ ହେଉଛି, ଯେତେବେଳେ ବିଧାନସଭା ଅଧିବେଶନ ସରିବା ପୂର୍ବରୁ ସରିଯାଉଛି । ବିଧାୟକ ବିଧାନସଭାରେ ରହିବା ବଦଳରେ ନିର୍ବାଚନ ପ୍ରଚାର କରୁଛନ୍ତି । ଅର୍ଥମନ୍ତ୍ରୀଙ୍କ ବଦଳରେ ପଞ୍ଜାୟତିରାଜ ମନ୍ତ୍ରୀ ଅତିରିକ୍ତ ବଜେଟ ଉପସ୍ଥାପନ କରୁଛନ୍ତି । ବିଧାନସଭା ଗୃହରେ ଡଜନ ଡଜନ ବିଧାୟକ ଅନୁପସ୍ଥିତ ରହି ଦଳୀୟ କାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି । ସମାନ ଢଙ୍ଗରେ ଗୃହ ପରିଚାଳନାରେ ବିରୋଧୀ ବିଧାୟକ ସହଯୋଗ କରିବା ବଦଳରେ ହୋହଲ୍ଲାରେ ଦିନ ବିତିଯାଉଛି । ଏହିସବୁ ତଥ୍ୟ ହୁଏତ ଏମିତି ଲାଗୁଛି, ଯେମିତି କୌଣସି ସଂସ୍ଥାର କର୍ମଚାରୀ କାମ ନକରି ଦରମା ବୃଦ୍ଧି ପାଇଁ ଦାବି କରିବା । ଗତ ବିଧାନସଭା ଅଧିବେଶନ ମାତ୍ର ୮ ଦିନ ଚାଲିଥିବା ବେଳେ ୨୫ ଦିନ ପୂର୍ବରୁ ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖାଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe