କନକ ବ୍ୟୁରୋ: ବର୍ଷକୁ ବିଧାନସଭା ୬୦ ଦିନ ଚାଲିପାରୁନି, କିନ୍ତୁ ବିଧାୟକଙ୍କ ଦରମା ବଢାଇବା ପାଇଁ ଜୋରଦାର ଉଦ୍ୟମ ଚାଲିଛି । ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି କରିବାକୁ ଗଠିତ ହୋଇଥିବା ପରାମର୍ଶଦାତା କମିଟି ବାଚସ୍ପତିଙ୍କୁ ରିପୋର୍ଟ ପ୍ରଦାନ କରିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ କମିଟି ବିଧାୟକମାନଙ୍କ ଦରମା, ଭତା ଓ ପୂର୍ବତନ ବିଧାୟକଙ୍କ ପେନସନ ପାଖାପାଖି ଦୁଇ ଗୁଣ ବଢିବା ପ୍ରସ୍ତାବ ରହିଛି । ନିକଟରେ ବିଧାନସଭାର ଶୀତଅଧିବେଶନ ଧାର୍ଯ୍ୟ ସମୟର ୨୫ ଦିନ ପୂର୍ବରୁ ମୁଲତବୀ ହୋଇଥିଲା । ପଦ୍ମପୁର ନିର୍ବାଚନ ସମୟରେ ୩୦ରୁ ଅଧିକ ବିଧାୟକ ଗୃହରେ ଅନୁପସ୍ଥିତ ଥିଲେ । ଏଭଳି ସ୍ଥଳେ ବିଧାୟକଙ୍କ ଦରମା ବଢିବା କଥା କି ନୁହେଁ ତାଉପରେ ନୂଆ ବିତର୍କ ଆରମ୍ଭ ହୋଇଛି ।

Advertisment

ଦରମା କେମିତି ବଢେ? କିଏ ବଢାଏ? ଏ ପ୍ରଶ୍ନର ଉତ୍ତର ସାଧାରଣରେ ଏଇୟା ଆସେ ଯେ ଭଲ କାମ କଲେ ଦରମା ବଢିବ ଓ ଦରମା ବଢାଇବେ ଉପରିସ୍ଥ ଅଧିକାରୀ । କିନ୍ତୁ ନିଜ ଦରମା ନିଜେ ବଢାଇବା କଥା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ । କିନ୍ତୁ ନିଜେ କମିଟି ଗଠନ କରି ନିଜ ଦରମା ବଢାନ୍ତି ନିର୍ବାଚିତ ପ୍ରତିନିଧି ।

ଗଣତନ୍ତ୍ରର ମନ୍ଦିର ବିଧାନସଭା ଭିତରର ଚିତ୍ର ସବୁବେଳେ ଚର୍ଚ୍ଚାରେ ରହିଥାଏ । ଯେଉଁଠାରେ କାମ କମ୍, ଆଉ ହୋହାଲ୍ଲା ଅଧିକ ହେଉଛି । ଜନପ୍ରତିନିଧିଙ୍କ କାମ ହେଉଛି ବିଧାନସଭାରେ ନିଜ ନିର୍ବାଚନ ମଣ୍ଡଳୀ ବିଷୟରେ ସ୍ୱର ଉଠାଇବା । କିନ୍ତୁ ଏଠି ବିଧାୟକଙ୍କ ସ୍ୱର ବିଧାନସଭାକୁ ଘଣ୍ଟା ଘଣ୍ଟା ଧରି ସ୍ଥଗିତ କରିଥାଏ । ନିୟମ ଅନୁଯାୟୀ ବର୍ଷକୁ ୬୦ଦିନ ବିଧାନସଭା ଚାଲିବା ଦରକାର । କିନ୍ତୁ ୨୦୨୨ରେ ଚାଲିଛି ୪୦ ଦିନରୁ କମ । ଶୀତଅଧିବେଶନର  ସରିବାର ୨୫ ଦିନ ପୂର୍ବରୁ ବାଧାନସଭା ସ୍ଥଗିତ । ବିଧାୟକଙ୍କ ପାଇଁ ବିଧାନସଭା ନୁହେଁ ନିର୍ବାଚନ ଗୁରୁତ୍ୱପୂର୍ଣ୍ଣ ! ନିର୍ବାଚନ ସମୟରେ ୩୦ରୁ ଅଧିକ ବିଧାୟକ ଗୃହରେ ଅନୁପସ୍ଥିତ । ଏ ସବୁ ବିଧାୟକଙ୍କ ଦରମା ବଢିବା କଥା କି ନୁହେଁ ତାଉପରେ ପ୍ରଶ୍ନ ଚିହ୍ନ ଉଠାଇବ ନିଶ୍ଚୟ ।

ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି କରିବାକୁ ଗଠିତ ହୋଇଥିବା ପରାମର୍ଶଦାତା କମିଟି ବାଚସ୍ପତିଙ୍କୁ ରିପୋର୍ଟ ପ୍ରଦାନ କରିଛି । ବାଚସ୍ପତି ବିକ୍ରମକେଶରୀ ଆରୁଖଙ୍କୁ କମିଟିର ଅଧ୍ୟକ୍ଷ ବିଧାୟକ ଅମର ଶତପଥି ରିପୋର୍ଟ ପ୍ରଦାନ କରିଛନ୍ତି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ କମିଟି ବିଧାୟକମାନଙ୍କ ଦରମା, ଭତା ଓ ପୂର୍ବତନ ବିଧାୟକଙ୍କ ପେନସନକୁ ପାଖାପାଖି ଦୁଇ ଗୁଣ କରିବାକୁ ପ୍ରସ୍ତାବ ଦେଇଛି । ଗତ ମୌସୁମୀ ଅଧିବେଶନ ବେଳେ ବିଧାୟକମାନେ ଦରମା ଓ ପୂର୍ବତନ ବିଧାୟକମାନେ ପେନସନ ବୃଦ୍ଧି କରିବାକୁ ଦାବି କରିଥିଲେ ।

ବିଧାୟକ ଓ ସାଂସଦଙ୍କ ଦରମା ବଢିବା ପ୍ରସଙ୍ଗ ସବୁବେଳେ ବିବାଦରେ ରହିଆସିଛି । କିନ୍ତୁ ଅନେକଙ୍କ ମତରେ ଜନପ୍ରତିନିଧିଙ୍କ ଦରମା ଭଲ ହେବା ଦରକାର । କାରଣ ଜନପ୍ରତିନିିଧିଙ୍କୁ ନିଜ ନିର୍ବାଚନ ମଣ୍ଡଳୀକୁ ଯିବାକୁ ପଡେ, ଖର୍ଚ୍ଚ କରିବାକୁ ପଡେ,ବିଭିନ୍ନ ସମୟରେ ଜନପ୍ରତିନିଧିଙ୍କୁ ନିଜ ପକେଟ ଟଙ୍କା ଖର୍ଚ୍ଚ କରିବାକୁ ପଡେ । ଅନ୍ୟ ପଟେ ତଥ୍ୟ କହୁଛି ଦେଶର ୯୦ ପ୍ରତିଶତ ବିଧାୟକ କୋଟିପତି ଅଟନ୍ତି । ଯାହାକି ଏକ ବିରୋଧାଭାସ ଅଟେ ।

କିଛି ରାଜ୍ୟ ତୁଳନାରେ ଆମ ରାଜ୍ୟର ବିଧାୟକଙ୍କ ଦରମା କମ ଥିବା ବେଳେ କିଛି ରାଜ୍ୟ ତୁଳନାେ ଦରମା ଅଧିକ ରହିଛି । 

କେଉଁ ରାଜ୍ୟର ବିଧାୟକଙ୍କ ଦରମା କେତେ?

ତେଲେଙ୍ଗାନା ବିଧାୟକଙ୍କ ଦରମା ୨ଲକ୍ଷ ୭୫ହଜାର

ମହାରାଷ୍ଟ୍ରରେ ୨ ଲକ୍ଷ ୩୦ହଜାର

କର୍ଣ୍ଣାଟକରେ ୨ଲକ୍ଷ ୫ ହଜାର

ଝାଡ଼ଖଣ୍ଡରେ ୨ଲକ୍ଷ ୫ ହଜାର

ମେଘାଳୟରେ ୨ ଲକ୍ଷ ୨ହଜାର

ପଂଜାବରେ ୯୫ ହଜାର

ଦିଲ୍ଲୀରେ ୯୦ ହଜାର

ପଶ୍ଚିମବଙ୍ଗରେ ୮୧ହଜାର ୮ଶହ