କଲେଜରୁ ବିଦା ହେବେ ନେତା! କଲେଜ ପରିଚାଳନା ପରିଷଦରେ ରହିବେନି ବିଧାୟକ କିମ୍ବା ମନ୍ତ୍ରୀ, କୋଚିଂ ସେଣ୍ଟରରେ ପାଠ ପଢାଇଲେ ଅଧ୍ୟାପକଙ୍କ ଉପରେ ହେବ କଡା କାର୍ଯ୍ୟାନୁଷ୍ଠାନ ।

813

କନକ ବ୍ୟୁରୋ : ରାଜନୀତି ମୁକ୍ତ ହେବ ଶିକ୍ଷାନୁଷ୍ଠାନ । ଏଣିକି କଲେଜ ପରିଚାଳନା ପରିଷଦରେ ରହିବେନି ନେତା କି ସ୍ଥାନୀୟ ବିଧାୟକ । ଶିକ୍ଷାବିତ୍, ଅଭିଭାବକ ଏବଂ ପୂର୍ବତନ ଛାତ୍ରଙ୍କୁ ଗଭର୍ଣ୍ଣିଂ ବଡି ସଦସ୍ୟ ଭାବେ ସ୍ଥାନ ଦିଆଯିବ । ସେହିଭଳି ସରକାରୀ ଅନୁଦାନପ୍ରାପ୍ତ କଲେଜ ଅଧ୍ୟାପକ ଆଉ ଘରୋଇ କୋଚିଂ ସେଣ୍ଟରରେ ପାଠ ପଢାଇପାରିବେ ନାହିଁ । ଧରାପଡିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଉଚ୍ଚଶିକ୍ଷା ବିଭାଗର ଏଭଳି ସଂସ୍କାର ଶିକ୍ଷା କ୍ଷେତ୍ରରେ ବଡ ପରିବର୍ତନ ଆଣିବ ବୋଲି ଆଶା କରାଯାଉଛି ।

ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ, ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ବିଧାୟକ ପ୍ରତାପ ଦେବ, ବିଧାୟକ ଅତନୁ ସବ୍ୟସାଚ୍ଚୀ ନାୟକ, ବିଧାୟକ ଶ୍ରୀକାନ୍ତ ସାହୁ । ଏଭଳି ଅନେକ ବିଧାୟକ, ମନ୍ତ୍ରୀ ଏପରିକି ରାଜନୀତିରେ ସମ୍ପୃକ୍ତ ଥିବା ବ୍ୟକ୍ତି ସ୍ଥାନୀୟ କଲେଜର ପରିଚାଳନା ପରିଷଦର ସଭାପତି ଭାବେ ଦାୟିତ୍ୱ ତୁଲାଉଛନ୍ତି । କିନ୍ତୁ ଏବେ ନିର୍ବାଚିତ ନେତାଙ୍କୁ ଆଉ କଲେଜ ପରିଚାଳନା ପରିଷଦରେ ସ୍ଥାନ ମିଳିବ ନାହିଁ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।
ବର୍ଷ ବର୍ଷ ଧରି କଲେଜ୍ ପରିଚାଳନା ସହ ସଂପୃକ୍ତ ରହୁଥିବା ନେତା ତଥା ସ୍ଥାନୀୟ ବିଧାୟକଙ୍କୁ ଏଣିକି ବାଦ୍ ଦିଆଯିବ । କଲେଜ ପରିଚାଳନା ପରିଷଦରେ ରହିବେନି ନିର୍ବାଚିତ ନେତା ।

ଶିକ୍ଷା କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଏବଂ ପରିଚାଳନା କ୍ଷେତ୍ରରେ ଦକ୍ଷତା ଥିବା ବ୍ୟକ୍ତିଙ୍କୁ କଲେଜ୍ ଗଭର୍ଣ୍ଣିଂ ବଡିର ସଭାପତି ଦାୟିତ୍ୱ ଦିଆଯିବ । ଶିକ୍ଷାବିତ, ଅଭିଭାବକ ଏବଂ ପୂର୍ବତନ ଛାତ୍ର ସଦସ୍ୟ ହେବେ । ଫଳରେ କଲେଜ ପରିଚାଳନା କ୍ଷେତ୍ରରେ ବ୍ୟାପକ ପରିବର୍ତନ ଆସିପାରିବ ଏବଂ ପରିଚାଳନା ପରିଷଦ ସୁଦୃଢ ହେବ । ସରକାରଙ୍କ ଏହି ନିଷ୍ପତି, ବର୍ଷ ବର୍ଷ ଧରି ନେତାଙ୍କ କବଜାରେ ରହୁଥିବା କଲେଜ୍ ରାଜନୀତି ଏବଂ ନେତାଙ୍କ ପ୍ରଭାବ କମାଇବ ବୋଲି ଆଶା କରାଯାଉଛି । ତେବେ ଏହି ନିଷ୍ପତିର ବଡ ପ୍ରଭାବ ପଡିବ ଶିକ୍ଷା କ୍ଷେତ୍ରରେ ଚାଲିଥିବା ରାଜନୀତି ଉପରେ ।

କଲେଜରେ ପାଠ ପଢାଇବା ସହ ଘରୋଇ ଟ୍ୟୁସନ ଏବଂ କୋଟିଂ ସେଂଟର ଚଳାଇଥିବା ସରକାରୀ ଅଧ୍ୟାପକଙ୍କ ଉପରେ ମଧ୍ୟ କଟକଣା ଲଗାଯାଇଛି । ଘରୋଇ କୋଚିଂ ଦେଉଥିଲେ ଏଣିକି ଅଧ୍ୟାପକଙ୍କୁ ଆଉ ନିସ୍ତାର ମିଳିବ ନାହିଁ । ଉଚ୍ଚ ଶିକ୍ଷା କୋଡ୍ ଅନୁସାରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଉଚ୍ଚ ଶିକ୍ଷା ବିଭାଗକୁ ସଂପୃକ୍ତ ଅଧ୍ୟାପକଙ୍କ ବାବଦରେ ସୂଚନା ଦେବାକୁ ଅଭିଭାବକଙ୍କୁ ଆହ୍ୱାନ ଦେଇଛନ୍ତି ମନ୍ତ୍ରୀ ।ଓଡିଶା ଅଭିଭାବକ ମହାସଂଘ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ନିଷ୍ପତି ଶିକ୍ଷା କ୍ଷେତ୍ରରେ ବଡ ସଂସ୍କାର ଆଣିବ ବୋଲି ଆଶା କରାଯାଉଛି ।