କରୋନାରୁ ସୁସ୍ଥ ହେଲେ ସୁର । କହିଲେ, ସଙ୍ଗରୋଧରେ ଏକୁଟିଆ ରହିବା ଜେଲ ଯନ୍ତ୍ରଣା ଠାରୁ ବି କଷ୍ଟଦାୟକ ।

164

କନକ ବ୍ୟୁରୋ : କରୋନା କବଳରୁ ମୁକୁଳିଲେ ସୁର । ମହାମାରୀକୁ ମାତ୍ ଦେଇ ସୁସ୍ଥ ହେଲେ ଜଟଣୀ ବିଧାୟକ ସୁରେଶ ରାଉତରାୟ । ଆଜି ସୁରଙ୍କର କରୋନା ରିପୋର୍ଟ ନେଗେଟିଭ ଆସିବା ପରେ ସମସ୍ତଙ୍କୁ ସାର୍ଟିଫିକେଟ ଦେଖାଇ ଖୁସି ବ୍ୟକ୍ତ କରିଛନ୍ତି ସୁର । ଏହାସହ ସୁର କହିଛନ୍ତି, ଜେଲ ଯନ୍ତ୍ରଣା ଠାରୁ ଅଧିକ କଷ୍ଟଦାୟକ ସଙ୍ଗରୋଧ ଭାବେ ଏକୁଟିଆ ହୋଇ ଘରେ ରହିବା । ଏହାସହ ତାଙ୍କ ସ୍ୱାସ୍ଥ୍ୟବସ୍ଥା ପାଇଁ ଭଗବାନ ନିକଟରେ ପ୍ରାର୍ଥନା କରିଥିବା ପ୍ରତିଟି ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି ସୁର ।

ଗତ ୧୭ ନଭେମ୍ବରରେ କରୋନାରେ ସଂକ୍ରମିତ ହୋଇଥିଲେ ବିଧାୟକ ସୁର ରାଉତରାୟ । ଉଭୟ ସୁର ଓ ତାଙ୍କ ପତ୍ନୀ ଏକାସଙ୍ଗରେ କରୋନାରେ ସଂକ୍ରମିତ ହୋଇଥିଲେ । ସୁରଙ୍କ ପତ୍ନୀ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ । ତେବେ ସଂକ୍ରମିତ ହେବା ପରେ ସୁର ବାହାରେ ବୁଲିବାକୁ ନେଇ ସମାଲୋଚନାର ଶିକାର ହୋଇଥିଲେ । କିନ୍ତୁ ପରେ ନିଜକୁ ସଙ୍ଗରୋଧରେ ରଖିଥିଲେ ସୁର । ଆଉ ଏବେ କରୋନାରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ସୁର ।

କରୋନାର ଦୁଇଟି ଲହର ଅତିକ୍ରମ କରିଥିଲେ ମଧ୍ୟ ସୁରଙ୍କୁ କରୋନା କବଳିତ କରିପାରିନଥିଲା । କରୋନା ଯେତେବେଳେ ଶୀର୍ଷ ସ୍ତରରେ ଥିଲା ସେତେବେଳେ ମଧ୍ୟ ସଂକ୍ରମଣକୁ ଖାତିର ନକରି ବାହାରେ ବୁଲୁଥିଲେ ସୁର । ଆଉ ତାହା ବି ପୁଣି ବିନା ମାସ୍କ ଓ ବିନା ସାମାଜିକ ଦୂରତାରେ । କରୋନା କାଳରେ ଯେତେବେଳେ ଅନ୍ୟ ନେତା ମାନେ ସରକାରଙ୍କ ଗାଇଡଲାଇନ ମାନିବା ସହ ଘରେ ରହୁଥିଲେ ସେତେବେଳେ ସୁରଙ୍କୁ ସବୁବେଳେ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଥିଲା । କେତେବେଳେ ହସ୍ପିଟାଲରେ ତ ପୁଣି କେତେବେଳେ ଲୋକଙ୍କ ଗହଣରେ । କିନ୍ତୁ କରୋନାର ଦ୍ୱିତୀୟ ଲହରରେ ଅକ୍ସିଜେନ ଅଭାବରୁ ମୃତ୍ୟୁସଂଖ୍ୟା ବଢିବା ପରେ ସୁର କିଛି ମାତ୍ରାରେ ସତର୍କ ହୋଇଥିଲେ । ମୁହଁରେ ମାସ୍କ ପିନ୍ଧି ଲୋକଙ୍କ ଗହଣକୁ ଯାଉଥିଲେ । ତେବେ ଗତ କିଛିଦିନ ହେବ କରୋନା ସଂକ୍ରମଣ କମିବା କାରଣରୁ ସୁରଙ୍କୁ ବିଭିନ୍ନ ସମୟରେ ଅନେକ ଲୋକଙ୍କ ଗହଣରେ ଦେଖିବାକୁ ମିଳୁଥିଲା । ଯେଉଁଥିପାଇଁ ସୁର ସଂକ୍ରମଣର ଶିକାର ହୋଇଥିବା କୁହାଯାଇଥିଲା ।