ଆମକୁ ମିଳୁଛି ବିଜେପୁର ‘ବିବେକ’ ଭୋଟ: ପୂର୍ବରୁ ହାରିବା କଥା କହିଥିଲେ ଏବେ ଜିତିବା କଥା କହି ବୁଲିପଡିଲେ ସୁର

533

କନକ ବ୍ୟୁରୋ: ବିଜେପୁର ଉପନିର୍ବାଚନ ନେଇ କଥା ବଦଳାଇଲେ ସୁର । ପୂର୍ବରୁ ଦେଇଥିବା କଥାକୁ ବାଆଁରେଇ ବୁଲି ପଡିଲେ ବିଧାୟକ ସୁର ରାଉତରାୟ । ବିଜେପୁରରେ କଂଗ୍ରେସ ହାରୁଥିବା କଥା ସୁର ସ୍ୱୀକାର କରିଥିଲେ । ବିଜେପି, ବିଜେଡିର ଟଙ୍କା ଖର୍ଚ୍ଚ, ବଡ ବଡ ପୋଷ୍ଟର ଆଉ ଭୋଟ କିଣା କଥାକୁ ଦୃଷ୍ଟିରେ ରଖି କଂଗ୍ରେସ ବିଜେପୁରରେ ଜିତି ପାରିବନି ବୋଲି କିଛି ଦିନ ତଳେ ସୁର କହିଥିଲେ । ମାତ୍ର ଆଜି ମତଦାନ ଚାଲିଥିବା ବେଳେ କଥା ବଦଳାଇଛନ୍ତି ସୁର । ବିଜେପୁରରେ କଂଗ୍ରେସର ଜିତିବା ଆଶା ଉଜ୍ଜିବିତ ହେଉଛି ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି ।

ତେବେ ବିଜେପୁରର ବିବେକ ଭୋଟ ଆମ ଆଡକୁ ଆସୁଥିବା ଖବର ଆସୁଛି । ଲୋକେ ବିଜେପି, ବିଜେଡି ରାଲିରେ ଥାଇ ବି ମୋତେ ପ୍ରଚାର ବେଳେ ମାଡିଚାଲ ବୋଲି କହିଥିଲେ । ଗତ ୩ ଦିନର ପ୍ରଚାର ପରେ ଲୋକଙ୍କ ମତ, ଲୋକଙ୍କ ବିଶ୍ୱାସ ଆମ ଆଡେ ମୁହାଁଉଛି । ବିଜେପି, ବିଜେଡିର ଟଙ୍କା ଖର୍ଚ୍ଚ ଦେଖି ମୁଁ ଭୟଭୀତ ହୋଇଯାଇଥିଲି କି ବିଜେପୁରରେ ସେମାନେ ଜିତିବେ ମାତ୍ର ବିବେକ ଭୋଟ ଆମକୁ ମିଳୁଥିବାରୁ ଆମେ ସେଠାରେ ଜିତିବୁ ବୋଲି ଆଶା । ତେବେ ନବୀନ ବାବୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ପୂରଣ କରିନାହାନ୍ତି ତେଣୁ ଲୋକେ ଆମକୁ ଲୋଡୁଥିବା ସୁର କହିଛନ୍ତି ।

ସେପଟେ ବିଜେପୁରରେ କଂଗ୍ରେସର ସ୍ଥିତି ଭଲ ନଥିବା କଥା ସିଧାସିଧା ତାରା ବାହିନୀପତି ସ୍ୱୀକାର କରିଥିବା ବେଳେ ସୁରଙ୍କ ୟୁ ଟର୍ଣ୍ଣ କଂଗ୍ରେସର ପ୍ରକୃତ ସ୍ଥିତିକୁ କନଫ୍ୟୁଜ୍ କରୁଛି । ଏପରି ସ୍ଥଳରେ କାହା କଥା ସତ ହେଉଛି ଆଉ କାହା କଥା ମିଛ ତାହା ଫଳାଫଳ ଦିନ ସ୍ପଷ୍ଟ ହେବ ।