୮୦ ଦିନ ପରେ ନୀଳଗିରି ବିଧାୟକ ପୁଣି ସଂକ୍ରମିତ । ଜୁଲାଇ ୬ରେ ଆକ୍ରାନ୍ତ ହୋଇଥିଲେ, ଏବେ ପୁଣି ପଜିଟିଭ । କହିଲେ, ପୂର୍ବରୁ ନଥିଲା ଲକ୍ଷଣ, ଏବେ ହେଉଛି ଜର । ଉଠିଲା ପ୍ରଶ୍ନ, ସୁସ୍ଥ ହେବା ପରେ ପୁଣି ଥରେ ସଂକ୍ରମିତ ହେବାର ଆଶଙ୍କା ସମସ୍ତଙ୍କ ନିକଟରେ ରହୁଛି କି?

1,090

କନକ ବ୍ୟୁରୋ: ସୁକାନ୍ତ ନାୟକ, ନୀଳଗିରି ବିଧାୟକ । ରାଜ୍ୟର ପ୍ରଥମ ବିଧାୟକ ଭାବେ ସେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଜୁଲାଇ ୬ରେ କରୋନା ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ଏହି ଭାଜପା ନେତା । ହେଲେ ବିଧାନସଭା ଆରମ୍ଭର ଠିକ ପୂର୍ବରୁ କରୋନା ଟେଷ୍ଟ ବେଳେ ପୁଣି ଥରେ ସେ ପଜିଟିଭ ଥିବା ଜଣାପଡିଛି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସହ ଅନେକ ଅସମାହିତ ପ୍ରଶ୍ନ ତିଆରି କରୁଛି ।

ବିଧାୟକ ସୁକାନ୍ତ ନାୟକ କହିବା ଅନୁସାରେ, ଗତ କିଛି ଦିନ ହେଲା ତାଙ୍କ ଶରୀରରେ ଜ୍ୱରର ଲକ୍ଷଣ ଦେଖିବାକୁ ମିଳୁଥିଲା । ଯେହେତୁ ବିଧାନସଭା ଅଧିବେଶନ ପୂର୍ବରୁ ସମସ୍ତଙ୍କର କରୋନା ଟେଷ୍ଟ ବାଧ୍ୟତାମୂଳକ, ତେଣୁ ସେ ଟେଷ୍ଟ କରାଇବା ସମୟରେ ରିପୋର୍ଟ ପଜିଟିଭ ଆସିଛି । ବିଧାୟକ ଏହି କଥାକୁ ଯେତେ ସରଳରେ କହୁଛନ୍ତି, ତା ପଛର ଏକ ଜଟିଳ ଦିଗ ସାମ୍ନାକୁ ଆସୁଛି । କାରଣ ଆକ୍ରାନ୍ତ ହୋଇ ସୁସ୍ଥ ହେବାର ପ୍ରାୟ ୮୦ ଦିନ ପରେ ପୁଣି ତାଙ୍କ ଶରୀରକୁ ଲକ୍ଷଣ ଆସିଛି ଆଉ ସେ ପଜିଟିଭ ହୋଇଛନ୍ତି ।

ଏହି ତଥ୍ୟ ଅନେକ ପ୍ରଶ୍ନକୁ ସାମ୍ନାକୁ ଆଣୁଛି,
– ସୁସ୍ଥ ହେଲା ପରେ ପୁଣି ଥରେ ସେ ସଂକ୍ରମିତ ହୋଇଛନ୍ତି କି?
– ଶରୀରରେ ଡେଡ୍ ଭାଇରସ ଥିବାରୁ ପଜିଟିଭ ଦେଖାଇଲା କି?
– ପୁଣି ଥରେ ସଂକ୍ରମିତ ହେବାର ଆଶଙ୍କା ସମସ୍ତଙ୍କ ନିକଟରେ ରହୁଛି କି?
– କରୋନା ଭାଇରସରୁ ଜଣେ ସୁସ୍ଥ ହେଲା ବୋଲି କିଭଳି ଜାଣିବେ?
– ଆଂଟିବଡିର ଅବଧି ଶରୀରରେ କେତେ ଦିନ ଯାଏଁ ରହୁଛି?

ସାଧାରଣ ଭାବେ ଡାକ୍ତର କୁହନ୍ତି, ଜଣେ ପଜିଟିଭ ଚିହ୍ନଟ ହେବା ପରେ କିଛି ମାସ ପର୍ଯ୍ୟନ୍ତ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବାର ସମ୍ଭାବନା ଥାଏ । ହେଲେ ବିଧାୟକଙ୍କ କ୍ଷେତ୍ରରେ ବ୍ୟତିକ୍ରମ ହେଉଛି ଯେ, ସେ ପ୍ରାୟ ୮୦ ଦିନ ପରେ ପଜିଟିଭ ଚିହ୍ନଟ ହୋଇଛନ୍ତି । ବିଶ୍ୱ ସ୍ତରରେ ଯେଉଁ ରିସର୍ଚ୍ଚର ତଥ୍ୟ ସାମ୍ନାକୁ ଆସୁଛି, ତାକୁ ଭୁଲ ପ୍ରମାଣିତ କରୁଛି କି ଏହି ତଥ୍ୟ । ବୋଧହୁଏ ଏତେ ଦିନ ପରେ ଜଣେ ବ୍ୟକ୍ତି ପୁଣି ଥରେ ପଜିଟିଭ ଆସିବାର ରିପୋର୍ଟ ବିଶେଷଜ୍ଞଙ୍କୁ ଅଧିକ ରିସର୍ଚ୍ଚ କରିବାର ଖୋରାକ ଯୋଗାଇବ ।