ଅତାବିରା ବିଧାୟିକା ସ୍ନେହାଙ୍ଗୀନି ଛୁରିଆଙ୍କ ଗାଡିକୁ ଅଣ୍ଡାମାଡ : ବିଧାୟିକାଙ୍କ ଗାଡିକୁ ଅଣ୍ଡାମାଡ କଲେ କଂଗ୍ରେସ କର୍ମୀ

134

କନକ ବ୍ୟୁରୋ : ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ । ବରଗଡ଼ ଏକାମ୍ର ଛକରେ ବିଧାୟିକାଙ୍କ ଗାଡ଼ିକୁ ଅଣ୍ଡାମାଡ଼ କରିଛନ୍ତି କଂଗ୍ରେସ କର୍ମୀ । ଆଜି ଗବରଗଡ଼ରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଥିବା ବେଳେ ଏଭଳି ଘଟଣା ସାମ୍ନାକୁ ଆସିଛି ।

ପ୍ରତିବାଦ ରାଜନୀତିରେ ଏବେ ଅଣ୍ଡା ମାଡ । ମମିତା ମେହେର ହତ୍ୟା ପ୍ରସଙ୍ଗରେ ଶାସକ ଦଳକୁ ଘେରିବା ପାଇଁ ବିରୋଧୀ କଂଗ୍ରେସ ଓ ବିଜେପି ଅଣ୍ଡାମାଡକୁ ମୁଖ୍ୟ ଅସ୍ତ୍ର କରିଛନ୍ତି । ପଂଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିକୁ ବେଶ ଉଷୁମ କରିବାରେ ଲାଗିଛି ଏହି ଅଣ୍ଡାମାଡ଼ ।

ଅକ୍ଟୋବର ୧୯ –ମନ୍ତ୍ରୀ ଦିବ୍ୟଶଙ୍କର ବାସଭବନକୁ ଅଣ୍ଡାମାଡ଼
ଅକ୍ଟୋବର ୩୧ – କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ଗାଡ଼ି ଉପରେ ଅଣ୍ଡାମାଡ଼
୭ ନଭେମ୍ବର – ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଗାଡ଼ିକୁ ଅଣ୍ଡାମାଡ଼
୮ ନଭେମ୍ବର –ମନ୍ତ୍ରୀ ଟୁକୁନି ସାହୁଙ୍କ ଗାଡ଼ି ଉପରେ ଅଣ୍ଡମାଡ଼

ପ୍ରତିବାଦର ରାଜନୀତି ଯେତେବେଳେ ଅଣ୍ଡାମାଡ଼ର ରୂପ ନିଏ, ସେତେବେଳେ ଏପରି ଦୃଶ୍ୟ ବାରମ୍ବାର ଦେଖିବାକୁ ମିଳେ । ଅଣ୍ଡାକୁ ଅସ୍ତ୍ର କରି ପ୍ରତିବାଦ ପାଇଁ ରାସ୍ତାକୁ ଆସିଥାନ୍ତି ବିରୋଧୀ । ଆଉ ମମିତା ହତ୍ୟା ମାମଲାରେ ଏହି ରଣନୀତି ଆପଣାଇଛନ୍ତି ଉଭୟ ବିଜେପି ଓ କଂଗ୍ରେସ । ପଂଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିକୁ ବେଶ ଉଷୁମ କରିବାରେ ଲାଗିଛି ଏହି ଅଣ୍ଡାମାଡ଼ । କଳାହାଣ୍ଡି ନର୍ଲାରେ ମନ୍ତ୍ରୀ ଟୁକୁନି ସାହୁଙ୍କ ଗାଡି ଉପରକୁ ହୋଇଛି ଅଣ୍ଡାମାଡ । ଭବାନୀପାଟଣାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରୁ ମନ୍ତ୍ରୀ ଫେରିବା ବେଳେ ବିଜେପି କର୍ମୀ ତାଙ୍କୁ କଳା ପତାକା ଦେଖାଇବା ସହ ଅଣ୍ଡା ମାଡ କରିଛନ୍ତି ।

ସେହିପରି କଲମପୁରରେ ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ହୋଇଛି । ଦିନକ ପୂର୍ବରୁ ଜୁନାଗଡ ବିଧାୟକ ତଥା ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ନିଜ ନିର୍ବାଚନ ମଣ୍ଡଳୀରେ ଯାଉଥିବା ବେଳେ ମଧ୍ୟ ଅଣ୍ଡା ମାଡର ଶିକାର ହୋଇଥିଲେ । କୁହାଯାଉଛି, ଅଣ୍ଡାମାଡ଼ ନେଇ କୌଣସି ସଂଗୀନ ଦଫା ଲାଗିବାର ବ୍ରବସ୍ଥା ନଥିବାରୁ ବିରୋଧୀ ନେତା ଓ କର୍ମୀ ଏହି ବାଟରେ ପ୍ରତିବାଦ କରି ଆସୁଛନ୍ତି ।