ବିଜେପି ବିଧାୟକଙ୍କ ଦବଙ୍ଗଗିରି ! ପାଣି ବୋତଲ ପାଇଁ ଥାନା ଭିତରେ କନଷ୍ଟେବଳକୁ ମାରିଲେ ଚାପୁଡା ।

52

ପୂର୍ବରୁ ଅନେକ ଥର ବିଭିନ୍ନ ରାଜନେତାଙ୍କ ଗୁଣ୍ଡାରାଜ ବିଷୟରେ ସୋସିଆଲ ମିଡିଆ ହେଉ କିମ୍ବା ଗଣମାଧ୍ୟ ସବୁଠି ଚର୍ଚ୍ଚା ହୋଇଛି । ହେଲେ ମଧ୍ୟପ୍ରଦେଶ ଦେବାସ ଜିଲ୍ଲା ବାଗଲି ନିର୍ବାଚନ ମଣ୍ଡଳୀ ବିଜେପି ବିଧାୟକ ଚମ୍ପାଲାଲ ଦେଓଡାଙ୍କ ଗୁଣ୍ଡାରାଜ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ ଆପଣ । ସମାନ୍ୟ ପାଣି ବୋତଲ ପାଇଁ ଥାନା ଭିତରେ ପସି ବିଧାୟକ ଜଣକ କନଷ୍ଟେବଳକୁ ଚାପୁଡା ମାରିଥିବା ଅଭିଯୋଗ ହୋଇଛି । ତେବେ ବିଧାୟକଙ୍କ ଏଭଳି ଦବଙ୍ଗଗିରି ଥାନା ଭିତରେ ଲାଗିଥିବା ସିସିଟିଭିରେ ରେକର୍ଡ ହୋଇ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସୁଚନା ମୁତାବକ ଦେବାସ ଠାରୁ ୧୧୦ କିଲୋମିଟର ଦୂରରେ ଥିବା ଉଦୟନଗର ଥାନରେ ନିଜର ସମର୍ଥକଙ୍କ ସହ ଯାଇ ଏଭଳି କାଣ୍ଡ ଘଙ୍କାଇଛନ୍ତି ବିଜେପି ବିଧାୟକ ଚମ୍ପାଲାଲ । ଏନେଇ ଲିଖିତ ଅଭିଯୋଗ କରିଛନ୍ତି ମାଡ ଖାଇଥିବା କନଷ୍ଟେବଳ ସନ୍ତୋଷ ଇବନାତୀ । କନଷ୍ଟେବଳ ସନ୍ତୋଷଙ୍କ କହିବା ମୁତାବକ ବିଧାୟକ ଚମ୍ପାଲାଲଙ୍କ ପୁତୁରା ଥାନାକୁ ଆସି ଥାନା ହାଜତରେ ଥିବା ଜଣେ ଅଭିଯୁକ୍ତଙ୍କ ଠାରୁ ପାଣି ବୋତଲ ନେଇଥିଲେ ଏବଂ ଏହାର ଉଦ୍ଦେଶ୍ୟ କଣ ବୋଲି ପଚାରିବାରୁ ବିଧାୟକଙ୍କ ପୁତୁରା ଗାଳିଗୁଲଜ କରିଥିଲେ । ଏହାର କିଛି ସମୟ ପରେ ବିଜେପି ବିଧାୟକ ଚମ୍ପାଲାଲ ତାଙ୍କର ସମର୍ଥକଙ୍କ ସହ ଯାଇ କିଛି ନ ବୁଝି କନଷ୍ଟେବଳଙ୍କୁ ଚାପୁଡା ପରେ ଚାପୁଡା ମାରି ଚାଲିଲେ ।

କେବଳ ବିଧାୟକ ନୁହେଁ ବରଂ ତାଙ୍କ ସମର୍ଥକମାନେ ମଧ୍ୟ କନଷ୍ଟେବଳ ସନ୍ତୋଷକୁ ମାଡ ମାରିଥିବା ଅଭିଯୋଗ ହୋଇଛି । ଯାହାର ସମ୍ପୂର୍ଣ୍ଣ ଘଟଣାବଳୀ ଏବେ ଥାନାରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି । କନଷ୍ଟେବଳ ସନ୍ତୋଷଙ୍କ ଲିଖିତ ଅଭିଯୋଗ ପରେ ଉଦୟନଗର ଥାନା ଆଇଆଇସି ଶିବ ରଘୁବଂଶୀ ଏନେଇ ତଦନ୍ତ କରୁଥିବା ଜଣାପଡିଛି । ଆଇଆଇସିଙ୍କ କହିବା ମୁତାବକ ବିଜେପି ବିଧାୟକ ଚମ୍ପାଲାଲ ଏବଂ ତାଙ୍କ ଅଧିକାରୀଙ୍କ ବିରୁଦ୍ଧରେ ଆଇପିସ ଧାରା- ୩୫୩,୩୩୨,୨୯୪,୫୦୬ ଓ ୩୪ ନିୟମ ଆଧାରରେ ମାମଲା ରୁଜୁ କରାଯାଇଛି । ତେବେ ପୁରା ଘଟଣାର ତଦନ୍ତ ପ୍ରକ୍ରିିୟା ଆରମ୍ଭ ହୋଇଥିବାବେଳେ ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଥାନା ଅଧିକାରୀ କହିଛନ୍ତି । ରାଜନୈତିକ ଦଳର ନେତାମାନେ ନିଜର କ୍ଷମତା ବଳରେ ଏଭଳି କାଣ୍ଡ ଘଟାଇବା ନିଶ୍ଚିନ୍ତ ନିନ୍ଦନୀୟ ।