କନକ ବ୍ୟୁରୋ: କଣ୍ଟାବାଞ୍ଜି ବିଧାୟକଙ୍କ ପୁଅ ବାପାଙ୍କ ସହ ସଭାସମିତିକୁ ଆସୁଥିଲେ । ଲୋକଙ୍କ ସହ ଚିହ୍ନା ପରିଚୟ ବଢାଉଥିଲେ । ବିଧାୟକଙ୍କ ପୁଅ ଭାବେ ଖାତିର ବି ରହିଥିଲା । ହେଲେ ସମସ୍ତଙ୍କ ସାମ୍ନାରେ ଗୁଣ୍ଡାଗର୍ଦି କରିବା ତାଙ୍କୁ ହରଡଘଣାରେ ପକାଇଛି ।
- ଦାଦାଗିରି ଦେଖାଇବା ମହଙ୍ଗା ହେଲା
- ବିଧାୟକଙ୍କ ପୁଅକୁ ବାନ୍ଧିଲା ପୁଲିସ
ଦାଦାଗିର ଦେଖାଇବା କଣ୍ଟାବାଞ୍ଜି ବିଧାୟକଙ୍କ ପୁଅଙ୍କୁ ମହଙ୍ଗା ପଡିଛି । କଣ୍ଟାବାଞ୍ଜିର ଆଲିସାନ ସିନେମା ହଲରେ ଇଂରାଜୀ କହି ରୋବାବ୍ ଝାଡୁଥିଲେ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ପୁଅ ଅମିତ ଓରଫ୍ ସେଜି ସାଲୁଜା । ଖାଲି ଏତିକି ନୁହେଁ ସାଙ୍ଗସାଥୀଙ୍କୁ ନେଇ ସିନେମା ହଲରେ ଭଙ୍ଗାରୁଜା କରିବା ସହ ମାଲିକଙ୍କୁ ପିସ୍ତଲ ଦେଖାଇ ମାରପିଟ ଆରମ୍ଭ କରିଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲା । ଆଉ ଅଭିଯୋଗ ପରେ ବେଲପଡା ପୁଲିସ ବିଧାୟକଙ୍କ ପୁଅ ସେଜି ସାଲୁଜାଙ୍କ ସହ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନଙ୍କ ନାଁରେ ଆଇପିସିର ଧାରା ୩୮୪ ଅର୍ଥାତ ବଳପୂର୍ବକ ଚାନ୍ଦା ଆଦାୟ, ୫୦୬ ଅର୍ଥାତ ଧମକ ଚମକ ଦେବା, ୩୫୩ – ସରକାରୀ କର୍ମଚାରୀଙ୍କୁ ଧମକଚମକ ଓ ଆର୍ମ୍ସ ଆକ୍ଟରେ ମାମଲା ରୁଜୁ ହୋଇଥିବା ଜଣାପଡିଛି ।
ଆଲିସାନ ସିନେମାହଲ ଗଣ୍ଡଗୋଳରେ ପିସ୍ତଲ ବ୍ୟବହାର ଅଭିଯୋଗ ହୋଇଥିବାରୁ ପୁଲିସ ସେଜି ଫିଟନେସ୍ ସେଣ୍ଟରରେ ଚଢାଉ କରି ବିଭିନ୍ନ ବିଦେଶୀ ବ୍ରାଣ୍ଡର ମଦ ଓ ନଗଦ ୧୯ ହଜାର ଟଙ୍କା ଜବତ କରିଛି । ସେପଟେ ପୁଅଙ୍କ ଗିରଫ ଦାରିକୁ ନେଇ ବିଧାୟକ ସନ୍ତୋଷ ସିଂ ସାଲୁଜା ପ୍ରତିକ୍ରିୟା ଦେଇଛନ୍ତି । ସିଧା ସଳଖ ପୁଲିସ ଡିଜିଙ୍କ ନିର୍ଦ୍ଦେଶରେ ଏସବୁ ହୋଇଥିବା ସେ ଅଭିଯୋଗ ଆଣିଛନ୍ତି ।
ବିଧାୟକଙ୍କ ପୁଅ ଅମିତ ଓରଫ ସେଜି ସାଲୁଙ୍କା ସମେତ ୬ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ପାଟଣାଗଡ ଏସଡିଜେଏମ କୋର୍ଟରେ ହାଜର କରିଥିଲା ପୁଲିସ । ଜାମିନ ନାମଞ୍ଜୁର ହେବା ପରେ ସେମାନଙ୍କୁ ପାଟଣାଗଡ ଜେଲ ହାଜତକୁ ପଠାଇ ଦିଆଯାଇଛି । ତେବେ ଆଲିସାନ ସିନେମା ହଲରେ ବିଧାୟକଙ୍କ ପୁଅ ଗଣ୍ଡଗୋଳ କରି ଗିରଫ ହେବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2023/02/6-1.jpg)