କୋର୍ଟରେ ହାଜର ହେଲେନି ବିଧାୟକ ପ୍ରତାପ ଜେନା । ଓକିଲଙ୍କ ଜରିଆରେ କୋର୍ଟରେ ହାଜର ହେବାକୁ ଆବେଦନ

188

କନକ ବ୍ୟୁରୋ: ଆଜି କୋର୍ଟରେ ହାଜର ହେଲେନି ବିଧାୟକ ପ୍ରତାପ ଜେନା । ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲାରେ ଆଜି କୋର୍ଟରେ ଶୁଣାଣି ହେବାକୁ ଥିବାବେଳେ ବିଧାୟକ ପ୍ରତାପ ଜେନା ନିଜେ ହାଜର ନହୋଇ ନିଜ ଓକିଲଙ୍କ ଜରିଆରେ କୋର୍ଟରେ ହାଜର ହେବାକୁ ଆବେଦନ କରିଛନ୍ତି । ସିଆରପିସି ୨୦୫ ଧାରାରେ ହାଜର ପାଇଁ ଆବେଦନ କରିଥିବା ଜଣାପଡିଛି । ଏହାସହ ପ୍ରତିପକ୍ଷଙ୍କ ପକ୍ଷରୁ ଆବେଦନ ଗ୍ରହଣ ନକରିବାକୁ ମଧ୍ୟ ସେ କୋର୍ଟଙ୍କୁ ଅପିଲ କରିଥିବା ଜଣାପଡିଛି ।

ସୂଚନା ମୁତାବକ, ଗତ ସେପ୍ଟେମ୍ବର ପ୍ରତାପଙ୍କ ବିରୋଧରେ ତଦନ୍ତ ଜାରି ରଖିବା ସହ ଭୁବନେଶ୍ୱର କୋର୍ଟକୁ ମାମଲା ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ତଥ୍ୟ, ପ୍ରମାଣ, ସାକ୍ଷୀଙ୍କ ବୟାନ ଆଧାରରେ ପ୍ରତାପଙ୍କ ବିରୋଧରେ ଆସିଥିବା ହତ୍ୟା ଅଭିଯୋଗର ତଦନ୍ତ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ୨୦୨୧ ଜାନୁଆରୀ ୩ ତାରିଖରେ ବିଜେପି ନେତା ତଥା ପୂର୍ବତ ମାହାଙ୍ଗା ବ୍ଳକ ଅଧ୍ୟକ୍ଷ କୁଳମଣି ବରାଳ ଏବଂ ତାଙ୍କର ଘନିଷ୍ଠ ସହଯୋଗୀ ଦିବ୍ୟସିଂଘ ବରାଳଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ପରେ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଥିବା ପ୍ରଫୁଲ ବିଶ୍ୱାଳଙ୍କ ଟାଙ୍ଗି-କଟକ ରାସ୍ତା ସନ୍ଦେହଜନକ ଭାବେ ଟ୍ରକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ଉଭୟ ମାମଲାରେ ପ୍ରତାପ ଜେନାଙ୍କ ହାତ ଥିବା ଅଭିଯୋଗ କରିଥିଲା ବିଜେପି ।