ପ୍ରଶାନ୍ତ ଜଗଦ୍ଦେବଙ୍କ ଗାଡି ନମ୍ବର ନେଇ ବଢ଼ୁଛି ବିବାଦ । ନମ୍ବର ବଦଲାଇ ଡିସକଭରୀ ଗାଡିକୁ କିଏ କରିଦେଲା କ୍ରେଟା ।

639

କନକ ବ୍ୟୁରୋ : ବଦଳିଗଲା ବାହୁବଳୀ ବିଧାୟକ ଲୋକଙ୍କ ଉପରେ ମଡାଇ ଦେଇଥିବା ଗାଡିର ନମ୍ବର । ଗତ ମାର୍ଚ୍ଚ ୧୨ତାରିଖରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଲ୍ୟାଣ୍ଡ ରୋଭର ଡିସକଭରୀ ଗାଡି ଲୋକଙ୍କ ଉପରେ ଚଢାଇ ଦେଇଥିଲେ । କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ପୋଲିସ ରିପୋର୍ଟରେ ଆଉ ଏକ ଗାଡିର ନମ୍ବର ଉଲ୍ଲେଖ ଅଛି, ଯାହା ଏକ ହ୍ୟୁଣ୍ଡାଇ କ୍ରେଟା ଗାଡିର ନମ୍ବର । କିଭଳି ଓ କେଉଁ ପରିସ୍ଥିତିରେ ନମ୍ବର ବଦଳିଲା ତାକୁ ନେଇ ପ୍ରଶ୍ନ ଉଠିଛି ।

ବଦଳିଗଲା ଗାଡି ନମ୍ବର । ଲ୍ୟାଣ୍ଡ ରୋଭର ହୋଇଗଲା କ୍ରେଟା । ଗତ ମାର୍ଚ୍ଚ ୧୨ରେ ବାଣପୁର ପଲଟଣ ପଡିଆରେ ଶୋଭାଯାତ୍ରା ଉପରେ ଗାଡି ଚଢାଇଦେଲେ ଚିଳିକା ବିଧାୟକ ପ୍ରଶାନ୍ତ ଜଗଦେବ । ୨୦ରୁ ଅଧିକ ବିଜେପି କର୍ମୀ ଓ ପୋଲିସ ଆହତ ହେଲେ । ବିଧାୟକ ମଧ୍ୟ ଜନତାଙ୍କ ଆକ୍ରୋଶର ଶିକାର ହେଲେ । ବିଧାୟକଙ୍କୁ ଲୋକେ ନିସ୍ତୁକ ମାଡ ମାରିବା ସହ ତାଙ୍କ ଦାମୀ ଗାଡିକୁ ଭଙ୍ଗାରୁଜା କରିଥିଲେ । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ପୋଲିସର ପ୍ରାଥମିକ ତଦନ୍ତ ରିପୋର୍ଟରେ ବଦଳିଯାଇଛି ବିଧାୟକଙ୍କ ଗାଡି ନମ୍ବର । ପ୍ରଶାନ୍ତ ଜଗଦ୍ଦେବଙ୍କ OD25K5775 ଲ୍ୟାଣ୍ଡ ରୋଭର ଡିସକଭରୀ ଗାଡିରେ ଏହି ମରଣାନ୍ତକ ଆକ୍ରମଣ କରିଥିବା ଘଟଣାସ୍ଥଳରେ ଉତୋଳନ ହୋଇଥିବା ଭିଡିଓରେ ସ୍ୱଷ୍ଟ ଦେଖାଯାଉଥିବା ବେଳେ ବେଳେ ପୋଲିସ ରିପୋର୍ଟରେ ଗାଡି ନମ୍ବର OD02AY5775 ଦର୍ଶାଯାଇଛି ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବାହୁବଳୀ ବିଧାୟକ ଲ୍ୟାଣ୍ଡ ରୋଭର ଗାଡିରେ ଏହି ଦୁର୍ଘଟଣା ଘଟାଇଥିବା ବେଳେ ଏବେ ପୋଲିସ ରେକର୍ଡରେ ଯେଉଁ ରେଜିଷ୍ଟ୍ରେସନ ନମ୍ବର ଲେଖିଛି ତାହା ଏକ ହ୍ୟୁଣ୍ଡାଇ କ୍ରେଟା ଗାଡିର । ପୋଲିସ କେଉଁ ଉଦ୍ଦେଶ୍ୟରେ ଏହି ଗାଡିର ନମ୍ବର ବଦଳାଇଛି ତାହା ଏବେ ବଡ ପ୍ରଶ୍ନ ।

ପ୍ରଶାନ୍ତ ଜଗଦେବ ଘଟଣା ଦିନ ବ୍ୟବହାର କରିଥିବା ଗାଡି କୁମାର ଦେବଦତ ନାମକ ବ୍ୟକ୍ତିଙ୍କ ନାମରେ ଥିବା ବେଳେ, ଏବେ ପୋଲିସ ଦର୍ଶାଇଥିବା ଗାଡି ଶିବାନୀ ଫୁଡ ପ୍ରଡକ୍ଟସ ନାମକ କମ୍ପାନୀ ନାମରେ ଥିବା ଜଣାପଡିଛି । ହେଲେ ଏହି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ଖୋର୍ଦ୍ଧା ଏସପି । ବିଧାୟକଙ୍କ ବର୍ବର କାଣ୍ଡର ଦୃଶ୍ୟକୁ ଘଟଣାସ୍ଥଳରେ ଥିବା ହଜାର ହଜାର ଲୋକ ମୋବାଇଲରେ ରେକର୍ଡ କରିଥିଲେ । ଗଣମାଧ୍ୟମରେ ମଧ୍ୟ ଏହି ଚିତ୍ର ବାରମ୍ବାର ପ୍ରଦର୍ଶିତ କରାଯାଇଥିଲା । ତେଣୁ ଏବେ ପ୍ରଶ୍ନ ଉଠୁଛି, କାହାକୁ ସୁରକ୍ଷା ଦେବାକୁ ପୋଲିସ ଗାଡି ନମ୍ବର ବଦଳାଇଲା ? ଗାଡି ନମ୍ବର ଭୁଲ ଦର୍ଶାଇ ମାମଲାକୁ ଦୁର୍ବଳ କରିବାକୁ ଉଦ୍ୟମ ହେଉନି ତ ?