ଚାଲିଗଲେ ଚଷାପୁଅ । ମରି ନାହାନ୍ତି ମହାରଥୀ, ସରିନାହିଁ ରାଜନୀତି… ପଞ୍ଚଭୂତରେ ଲୀନ ହେଲେ ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀ । ନେତା-ଜନତା, ନିଜର-ପର, ଶାସକ-ବିରୋଧୀ, ସମାଜର ସବୁ ବର୍ଗକୁ ଛୁଇଁ ପାରିଥିଲେ ପ୍ରଦୀପ ।

1,674

କନକ ବ୍ୟୁରୋ: ଜନତାଙ୍କ ସହ ସାଥୀରେ ଥିବା ନେତା ଯେତେବେଳେ ଅଫେରା ବାଟକୁ ବାଛି ନିଏ, ସେତେବେଳେ କିଛି ଏହି ଭଳି ଚିତ୍ର ସାମ୍ନାକୁ ଆସେ । କିଏ କାନ୍ଦୁଛି, ତ ଆଉ କାହା ଆଖି ଛଳଛଳ । ଓଡ଼ିଶାର ରାଜନୀତିର ଜଣେ ଅଦ୍ୱିତୀୟ ନେତା ପ୍ରଦୀପ ମହାରଥୀଙ୍କ ବିୟୋଗ, ଯେମିତି ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି । ନେତା-ଜନତା, ନିଜର-ପର, ଶାସକ-ବିରୋଧୀ, ସମାଜର ସବୁ ବର୍ଗକୁ ଛୁଇଁ ପାରିଥିବା ପ୍ରଦୀପ, ପର କରି ପରପାରିକୁ ଚାଲିଯାଇଛନ୍ତି । ବାହୁଡ଼ା ବେଳର ଏହି ମୁହୁର୍ତ ହିଁ ପ୍ରମାଣ କରୁଛି କେଉଁଭଳି ନେତା ଥିଲେ ପ୍ରଦୀପ ।

ପ୍ରଦୀପ ମହାରଥୀ । ଜଣେ ଏମିତିଆ ନେତା ଥିଲେ, ଯିଏ ନିଜର ନାଁ ଓ ସାଜ୍ଞାଙ୍କୁ ଅକ୍ଷରେ ଅକ୍ଷରେ ପ୍ରମାଣିତ କରିଥିଲେ । ପ୍ରଦୀପ, ରାଜ୍ୟର ରାଜନୀତିର ଏକ ଅଲିଭା ଦୀପ ଭାବେ ନିଜ ସ୍ୱୃତି ଛାଡ଼ି ଯାଇଛନ୍ତି । ୭-୭ଥର ନିର୍ବାଚିତ ହୋଇଥିବା ନେତାଙ୍କୁ ତ’ ମହାରଥୀ ହିଁ କୁହାଯିବ । ପୁରୀ ରାଜନୀତିର ସେଥିଲେ ରଥୀ, ଅର୍ଥାତ୍ ଯୋଦ୍ଧା । ସେହି ଯୋଦ୍ଧା, ଆଜି ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ।
ବାସଭବନରୁ ଫାର୍ମ ହାଉସ । ସବୁଠି ଥିଲା ସେହି ଭାବବିହ୍ୱଳ ପରିବେଶ । ମହାରଥୀଙ୍କ ପାର୍ଥିବ ଶରୀର ଯେତେବେଳେ ବାହାରିଥିଲା, ଆପଣା ଛାଏଁ ଯୋଡ଼ି ହୋଇ ଯାଇଥିଲେ ସମର୍ଥକ । ନେତା ଥିଲେ, ଜନତା ଥିଲେ । ଆଉ ସମସ୍ତଙ୍କ ଚେହେରାରେ ଆପଣାର କାହାକୁ ହରାଇବାର ଦୁଃଖ ସ୍ପଷ୍ଟ ବାରି ହେଉଥିଲା ।

ଯେଉଁ ଦଳ ମହାରଥୀଙ୍କୁ ପରିଚୟ ଦେଇଥିଲା, କ୍ଷମତାର ଏକ ଶୀର୍ଷ ଆସନରେ ପହଂଚାଇଥିଲା, ସେହି ବିଜେଡି ଦଳର କାର୍ଯ୍ୟାଳୟରେ ବି ପହଂଚିଥିଲା ମହାରଥୀଙ୍କ ପାର୍ଥିବ ଶରୀର । ପ୍ରାୟ ତିନି ଦଶନ୍ଧୀ ନିଜର କର୍ମକ୍ଷେତ୍ର ପାଲଟିଥିବା ଓଡ଼ିଶା ବିଧାନସଭାରେ ମଧ୍ୟ ପହଂଚିଥିଲା ମହାରଥୀଙ୍କ ପାର୍ଥିବ ଶରୀର । ଆଉ ଶେଷରେ ପହଂଚିଥିଲା ପୁରୀ ସ୍ୱର୍ଗଦ୍ୱାର । ମହାରଥୀଙ୍କୁ ସ୍ୱର୍ଗଦ୍ୱାରରେ ଗାର୍ଡ ଅଫ ଅନର ଦିଆଯିବା ସହ ଶେଷକୃତ୍ୟ ସଂପନ୍ନ ହୋଇଛି । ତାଙ୍କ ପୁଅ ମୁଖାଗ୍ନି ଦେଇଛନ୍ତି । ଆଉ ପଂଚଭୂତରେ ଲୀନ ହୋଇଛନ୍ତି ପ୍ରଦୀପ ମହାରଥୀ ।