ବିଜେପିକୁ ମହାରଥୀଙ୍କ ମହାଚ୍ୟାଲେଞ୍ଜ: କହିଲେ, ସରକାରୀ ଜମି ହଡପର ସତ ଦେଖାଇଲେ ରାଜନୀତିରୁ ନେବି ସନ୍ୟାସ । ଶହେ କୋଟି ଦୂରର କଥା ଶହେ ଟଙ୍କାର ଜମି ଦୁର୍ନୀତି ନାହିଁ

455

କନକ ବ୍ୟୁରୋ: ମହାରଥୀଙ୍କ ନାଁରେ ବିଜେପି ସାଙ୍ଘାତିକ ଅଭିଯୋଗ ଆଣିବା ପ୍ରସଙ୍ଗ । ବିଜେପିକୁ ଖୁଲମଖୁଲା ଚ୍ୟାଲେଞ୍ଜ ଦେଲେ ପ୍ରଦୀପ ମହାରଥୀ । ସରକାରୀ ଜମି ହଡପ ନେଇ ବିଜେପି ସାଂଘାତିକ ଅଭିଯୋଗ କରିବା ପରେ ଚ୍ୟାଲେଞ୍ଜ ଦେଇଛନ୍ତି ପିପିଲି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀ ।

ତାଙ୍କ ନାଁରେ ଉଠିଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ଓ କପୋଳକଳ୍ପିତ ବୋଲି ମହାରଥୀ କହିଛନ୍ତି । ସାତ ଥର ବିଧାୟକ ଭାବେ ଜିତିଛି । ଶହେ କୋଟି ତ ଦୂରର କଥା ଶହେ ଟଙ୍କାର ଜମି ଦୁର୍ନୀତି ମୋ ନାଁରେ ନାହିଁ । ପିପିଲି କିମ୍ବା ଡେଲାଙ୍ଗରେ ଯଦି ମୁଁ ଜମି ରେଜିଷ୍ଟ୍ରସନ କରିଥିବା ପ୍ରମାଣିତ ହୁଏ ତେବେ ମୁଁ ବିଧାନସଭା ଆସିବିନି । ରାଜନୀତିରୁ ସନ୍ୟାସ ନେବି ବୋଲି ମହାରଥୀ କହିଛନ୍ତି ।

ତେବେ ଗତକାଲି ମହାରଥୀଙ୍କ ବିରୋଧରେ ବିଜେପି ସାଂଘାତିକ ଅଭିଯୋଗ ଆଣିଥିଲା । ନିଜ ଫାର୍ମ ହାଉସ ନିକଟରେ ଥିବା ସରକାରୀ ଜମିକୁ ମହାରଥୀ ମାଡି ବସିଥିବା ବିଜେପି ଆରୋପ କରିଥିଲା । ଚଞ୍ଚକତା କରି ୧୦୦ କୋଟିରୁ ଅଧିକ ଟଙ୍କାର ସରକାରୀ ଜମି ଅକ୍ତିଆର କରିଥିବା ପ୍ରେସମିଟ୍ କରି କହିଥିଲେ ଦଳର ନେତା ଗୋଲକ ମହାପାତ୍ର । ଆଉ ଆଜି ଏହାକୁ ଚ୍ୟାଲେଞ୍ଜ କରିଛନ୍ତି ପ୍ରଦୀପ ମହାରଥୀ ।