କନକ ବ୍ୟୁରୋ: ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କର ଗତକାଲି ବିଳମ୍ବିତ ରାତିରେ ପରଲୋକ ଘଟିଛି। ଅସୁସ୍ଥତା ଯୋଗୁଁ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବରିଷ୍ଠ ବିଜେଡ଼ି ନେତା ପ୍ରଦୀପ ମହାରଥୀଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ ଗୁରୁତର ହୋଇପଡ଼ିଥିଲା। ଏହାପରେ ଭେଣ୍ଟିଲେଟର ସହାୟତାରେ ତାଙ୍କର ଚିକିତ୍ସା ଜାରି ରହିଥିଲା। ମାତ୍ର ଡାକ୍ତରମାନଙ୍କ ସବୁ ପ୍ରଚେଷ୍ଟା ସତ୍ତ୍ବେ ମହାରଥୀଙ୍କୁ ବଞ୍ଚାଇ ରଖିବା ସମ୍ଭବ ହୋଇ ନ ଥିଲା। ମୃତ୍ୟୁ ବେଳକୁ ତାଙ୍କ ନିକଟରେ ପତ୍ନୀ ପ୍ରତିଭା ମହାରଥୀ, ପୁତ୍ର ରୁଦ୍ରପ୍ରତାପ ଓ ଝିଅ ପଲ୍ଲବୀଙ୍କ ସମେତ ପରିବାରର ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ। ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବା ମାତ୍ରେ ପିପିଲି ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା। ଶେଷ ଦର୍ଶନ ଲାଗି ବହୁ ସମର୍ଥକ ହସ୍ପିଟାଲ ନିକଟକୁ ଆସିଥିଲେ।
ସ୍ବର୍ଗତଃ ମହାରଥୀ ପ୍ରଥମେ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ଏହାପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ତାଙ୍କୁ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଚିକିତ୍ସାରେ ରହି ସୁସ୍ଥ ହୋଇ ଘରକୁ ଫେରିଥିଲେ। ଏହାପରେ ପୁଣି ସେ ଅସୁସ୍ଥ ହୋଇପଡ଼ିଥିଲେ ଏବଂ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଥିବା ସମୟରେ କ୍ରମଶଃ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ଆରମ୍ଭ ହୋଇଥିଲା। ଶୁକ୍ରବାର ଦିନ ସେ ଗୁରୁତର ହୋଇପଡ଼ିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲ।। ଶନିବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀ ମହାରଥୀଙ୍କ ପରିବାର ଲୋକଙ୍କ ସହ ଫୋନରେ କଥା ହେବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ। ଏହା ସହିତ ମହାରଥୀଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନଙ୍କ ସହ ମଧ୍ୟ ମୁଖ୍ୟମନ୍ତ୍ରୀ କଥା ହୋଇ ତାଙ୍କୁ ଯଥାସମ୍ଭବ ସର୍ବୋତ୍ତମ ଚିକିତ୍ସା ପ୍ରଦାନ କରିବାକୁ ଅନୁରୋଧ କରିଥିଲେ।
ପୁରୀ ଜିଲ୍ଲାର ପିପିଲି ଅଞ୍ଚଳର ଅପ୍ରତିଦ୍ବନ୍ଦ୍ବୀ ନେତା ପ୍ରଦୀପ ମହାରଥୀଙ୍କ ରାଜନୈତିକ କ୍ୟାରିୟର ଛାତ୍ର ଜୀବନରୁ ଆରମ୍ଭ ହୋଇଥିଲା। ସେ ପୁରୀସ୍ଥିତ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ଛାତ୍ର ସଂସଦକୁ ନିର୍ବାଚିତ ହୋଇଥିଲେ। ଏହାପରେ ସେ ଜନତା ଦଳରେ ଯୋଗ ଦେଇ ୧୯୮୫ ମସିହାରେ ପିପିଲି ନିର୍ବାଚନ ମଣ୍ଡଳୀରୁ ଜନତା ପାର୍ଟିର ଟିକେଟରେ ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହାପରେ ସେ ମୋଟ ୭ ଥର ବିଧାୟକ ଭାବେ ଓଡ଼ିଶା ବିଧାନସଭାରେ ପିପିଲିକୁ ପ୍ରତିନିଧିତ୍ବ କରିଥିଲେ। ୧୯୯୦ରେ ଜନତା ଦଳ ଟିକେଟରେ ବିଜୟୀ ହୋଇଥିବା ବେଳେ ୨୦୦୦, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ରେ ବିଜୁ ଜନତା ଦଳ ଟିକେଟରେ ବିଧାୟକ ହୋଇଥିଲେ। ପିପିଲିକୁ ନିଜର କର୍ମକ୍ଷେତ୍ର ଭାବିଥିବାରୁ ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ହିଁ ସେ ସବୁଥର ନିର୍ବାଚନରେ ଲଢ଼ିଥିଲେ।
ଏଥି ସହିତ ସ୍ୱର୍ଗତ ପ୍ରଦୀପ ମହାରଥୀ ୨୦୧୧ ମସିହା ମେ’ ମାସ ୧୦ ତାରିଖରେ କୃଷି ମନ୍ତ୍ରୀ, ୨୦୧୪ ମେ’ ମାସ ୨୧ରେ କୃଷି, ମତ୍ସପାଳନ ଓ ପଶୁସଂପଦ ମନ୍ତ୍ରୀ, ୨୦୧୭ ମସିହା ମେ’ ମାସ ୭ ତାରିଖରେ ପଂଚାୟତରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ, ୨୦୧୭ ମସିହା ଡିସେମ୍ବର ୨୨ରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସପାଳନ ଓ ପଶୁ ସଂପଦ ମନ୍ତ୍ରୀ ଥିଲେ।
ସ୍ୱର୍ଗତ ମହାରଥୀ ୧୯୫୫ ମସିହା ଜୁଲାଇ ୪ ତାରିଖରେ ପୁରୀ ଜିଲ୍ଲା ପିପିଲିର ଖୋରାପଡ଼ାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପିତା ଥିଲେ ସ୍ୱର୍ଗତ ଗୋକୁଳା ନନ୍ଦ ମହାରଥୀ। ତାଙ୍କର ଧର୍ମପତ୍ନୀ ହେଉଛନ୍ତି ପ୍ରତିଭା ମହାରଥୀ। ପୁଅ ରୁଦ୍ର ପ୍ରତାପ ମହାରଥୀ ବି. ଟେକ୍ ଓ ଏମ୍ବିଏ ପାଠ୍ୟକ୍ରମ ଶେଷ କରିଥିବା ବେଳେ ଝିଅ ପଲ୍ଲବୀ ହେଉଛନ୍ତି ଜଣେ ଡାକ୍ତର।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/Screen-Shot-2020-10-04-at-7.10.23-AM.png)
/kanak/media/post_attachments/wp-content/uploads/2020/10/PRADEEP-MAHARATHY-1.jpg)