ଦିଗପହଣ୍ଡିରେ ଜମୁଛି ପ୍ରଚାର ଲଢ଼େଇ: ବିଜେଡିର ବରିଷ୍ଠ ନେତା ସୂର୍ଯ୍ୟପାତ୍ରଙ୍କୁ ଟକ୍କର ଦେଉଛନ୍ତି ଅଭିନେତ୍ରୀ ପିଙ୍କି ପ୍ରଧାନ

ଏପଟେ ପଛରେ ନାହାଁନ୍ତି କଂଗ୍ରେସ ପ୍ରାର୍ଥୀ ପ୍ରଫୁଲ୍ଲ ପଣ୍ଡା

356

କନକ ବ୍ୟୁରୋ: ବ୍ରହ୍ମପୁର ଲୋକସଭା ଆସନ ଅଧିନରେ ଥିବା ଦିଗପହଣ୍ଡି ବିଧାନସଭା ଆସନ ପାଇଁ ଏଥର ବିଗ୍ ଫାଇଟ୍ ଦେଖିବାକୁ ମିଳିବ । ବିଜେଡିର ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ଟକ୍କର ଦେଉଛନ୍ତି ବିଜେପିରେ ଅଭିନେତ୍ରୀରୁ ନେତ୍ରୀ ପାଲଟିଥିବା ପିଙ୍କି ପ୍ରଧାନ । କର୍ମୀଙ୍କ ସହ ରାଲି କରିବା ନିଜର ପତିଆରା ପ୍ରଦର୍ଶନ କରୁଛନ୍ତି ସୂର୍ଯ୍ୟ ପାତ୍ର । ସେହିପରି ପିଙ୍କି ପ୍ରଧାନ ବାଇକ୍ ରାଲି କରି ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଚେଷ୍ଟା ଚଳାଇଛନ୍ତି । ନିଜେ ପିଙ୍କି ପ୍ରଧାନ ସ୍କୁଟି ଚଲେଇ ବାଇକ୍ ରାଲି କରୁଥିବା ଦେଖିବାକୁ ମିଳିଛି ।

ବିଜେଡିର ଦୁର୍ଗ କୁହାଯାଉଥିବା ଦିଗପହଣ୍ଡିରେ ବାଜିମାତ୍ କରିବା ଅନ୍ୟ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଏତେ ସହଜ ନୁହେଁ । ମୋହନାରୁ ଲଗାତର ୪ଥର ବିଧାୟକ ଓ ଦିଗପହଣ୍ଡିରୁ ଲଗାତର ୨ ଥର ବିଧାୟକ ଭାବେ ବିଜୟୀ ହୋଇଥିବା ସୂର୍ଯ୍ୟ ପାତ୍ରଙ୍କୁ ଚେକ୍ ଦେବାକୁ ବିଜେପି ପ୍ରାର୍ଥୀ ପିଙ୍କି ପ୍ରଧାନ ଫୁଲ୍ ଦମ୍ରେ ଲାଗିଛନ୍ତି । ସୂର୍ଯ୍ୟ ପାତ୍ର ୧୯୯୦ରୁ ୨୦୦୯ ଯାଏଁ ମୋହନା ବିଧାୟକ ଥିବା ବେଳେ ୨୦୦୯ରୁ ୨୦୧୯ରୁ ଦିଗପହଣ୍ଡି ବିଧାୟକ ଭାବେ ବିଜୟୀ ହୋଇଛନ୍ତି ।

ଦିଗପହଣ୍ଡି ନିର୍ବାଚନ ମଣ୍ଡଳିଟି ଦିଗପହଣ୍ଡି ବ୍ଲକ, ଦିଗପହଣ୍ଡି ଏନଏସି ଏବଂ କୁକୁଡାଖଣ୍ଡି ବ୍ଲକର ୧୬ଟି ପଂଚାୟତଙ୍କୁ ନେଇ ଗଠିତ । ଗତ ପଂଚାୟତ ନିର୍ବାଚନରେ ଏଠାରେ ବିଜେଡି ଭଲ ପ୍ରଦର୍ଶନ କରିଥିଲା । ମୋଟ୍ ୫ଟି ଜିଲ୍ଲା ପରିଷଦ ଜୋନ୍ରୁ ୪ଟି ବିଜେଡି ଖାତାକୁ ଯାଇଥିବା ବେଳେ ଗୋଟିଏ କଂଗ୍ରେସ ଦଖଲରେ ଅଛି ।