କୋଭିଡ୍ କେୟାର ସେଣ୍ଟର ଉଦଘାଟନ ନେଇ ସାଂସଦ-ବିଧାୟକ ମୁହାଁମୁହିଁ । ଢେଙ୍କାନାଳ ସାଂସଦ ମହେଶ ସାହୁ ଓ ପାଲଲହଡା ବିଧାୟକ ମୁକେଶ ପାଲଙ୍କ ଭିତରେ କଥା କଟାକଟି ।

429

କନକ ବ୍ୟୁରୋ: ନୂଆ କୋଭିଡ କେୟାର ସେଣ୍ଟର ଉଦଘାଟନକୁ ନେଇ ସାଂସଦ-ବିଧାୟକ ମୁହାଁମୁହିଁ । ଅନୁଗୁଳ ଜିଲ୍ଲା ପାଲଲହଡା ଅଞ୍ଚଳରୁ ଆସିଛି ଏଭଳି ଖବର । ଢେଙ୍କାନାଳ ସାଂସଦ ମହେଶ ସାହୁ ପହଞ୍ଚିବାର ୧୫ ମିନିଟ୍ ପୂର୍ବରୁ ବିଧାୟକ ମୁକେଶ ପାଲ, ନୂତନ କୋଭିଡ କେୟାର ସେଂଟରକୁ ଉଦଘାଟନ କରି ସାରିଥିଲେ । ଏହାକୁ କେନ୍ଦ୍ର କରି ସାଂସଦ ଓ ବିଧାୟକଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା ।

ପାଲଲହଡା ସୁବର୍ଣ୍ଣପାଲି ଆଦର୍ଶ ବିଦ୍ୟାଳୟ ଠାରେ ନୂଆ କୋଭିଡ କେୟାର ସେଂଟର କରାଯାଇଛି । ଆଜି ସକାଳେ ଏହାକୁ ଉଦଘାଟନ କରାଯାଇଛି । ଗତକାଲି ଅନୁଗୁଳ ଜିଲ୍ଲାପାଳ ଏହାର ସ୍ଥିତି ଅନୁଧ୍ୟାନ କରିବା ପରେ ଆଜି ଉଦଘାଟନ କରିବା ଲାଗି ସମୟ ସ୍ଥିର ହୋଇଥିଲା । ଏଥିପାଇଁ ଢେଙ୍କାନାଳ ସାଂସଦ ମହେଶ ସାହୁ ଓ ପାଲଲହଡା ବିଧାୟକ ମୁକେଶ କୁମାର ପାଲଙ୍କୁ ନିମନ୍ତ୍ରଣ କରାଯାଇଥିଲା । ବିଧାୟକ ସାଢେ ୧୦ଟାରେ ପହଂଚି ଥିବା ବେଳେ ସାଂସଦଙ୍କ ଆସିବାରେ ବିଳମ୍ବ ହୋଇଥିଲା । ସାଂସଦ ନଥିବା ବେଳେ ବିଧାୟକ କୋଭିଡ କେୟାର ସେଂଟରର ଉଦଘାଟନ କରିଥିଲେ । ଉଦଘାଟନ ସରିବାର ୧୫ ମିନିଟ୍ ପରେ ସାଂସଦ ପହଂଚିଥିଲେ । ଏହାକୁ ନେଇ ସାଂସଦ ଅସନ୍ତୋଷ ପ୍ରକାଶ କରିବା ପରେ ଚାପା ଉତେଜନା ପ୍ରକାଶ ପାଇଥିଲା ।