କନକ ବ୍ୟୁରୋ : ବିଧାନସଭା ପରିସରରେ ପହଞ୍ଚିଲା ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ମରଶରୀର । ସମସ୍ତ ମନ୍ତ୍ରୀ ଓ ବିଧାୟକ ମହେଶ୍ୱରଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ବିଧାନସଭା ପରିସରରେ ମହେଶ୍ୱରଙ୍କୁ ଦିଆଗଲା ଗାର୍ଡ ଅଫ୍ ଅନର । ଏହାପୂର୍ବରୁ ବିଜେଡି କାର୍ଯ୍ୟାଳୟରେ ମହେଶ୍ୱରଙ୍କ ପାର୍ଥିବ ଶରୀରକୁ ଶେଷ ଦର୍ଶନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡି କାର୍ଯ୍ୟାଳୟରେ ଦଳୀୟ ନେତା ଓ କର୍ମୀ ମହେଶ୍ୱରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ବିଧାନସଭାରେ ଶେଷ ଦର୍ଶନ ପରେ ତାଙ୍କ ମହେଶ୍ୱରଙ୍କ ପାର୍ଥିବ ଶରୀରକୁ ପୁରୀ ନିଆଯିବ । ପୁରୀରେ ମହେଶ୍ୱରଙ୍କ ଅନ୍ତିମ ସଂସ୍କାର କରାଯିବ ।
ମହେଶ୍ୱର ମହାନ୍ତିଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ଟ୍ୱିଟ୍ କରି ବୈଜୟନ୍ତ ଲେଖିଛନ୍ତି, ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି, ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ରାଜନେତା ମହେଶ୍ୱର ମହାନ୍ତିଙ୍କ ବିୟୋଗ ଖବର ଶୁଣି ଦୁଃଖିତ ଓ ମର୍ମାହତ । ଦିବଙ୍ଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ ପରିବାର ବର୍ଗକୁ ସମବେଦନା ଜଣାଇଛନ୍ତି । ସେହିପରି ଓଡ଼ିଶା ପିସିସି ସଭାପତି ଶରତ ପଟ୍ଟନାୟକ ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଗଭୀର ଶୋକ ପ୍ରକାଶ କରିଛନ୍ତି ।
Follow Us