କନକ ବ୍ୟୁରୋ : ବୁର୍ଲା ଭିମସାର ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବ୍ରହ୍ମପୁର ଏମକେସିଜି କଲେଜ ଛାତ୍ର । ଗତ ୪ ତାରିଖରେ ବୁର୍ଲା ମେଡିକାଲ କଲେଜ ଆଗରେ ଅଭାବନୀୟ ଘଟଣା ଘଟିଥିଲା । ଆନ୍ତଃ କଲେଜ କ୍ରୀଡା ଓ ସାଂସ୍କୃତିକ ଉତ୍ସବ ଇଉଫୋରିଆ କାର୍ଯ୍ୟକ୍ରମକୁ ଏମକେସିଜି ଛାତ୍ର ବୁର୍ଲା ଆସିଥିଲେ । ହେଲେ ସ୍ୱାଗତ କରିବା ଆଳରେ ସେମାନଙ୍କ ଉପରେ ଆକ୍ରମଣ କରାଯାଇଥିବା ଅଭିଯୋଗ କରିଛନ୍ତି । ପ୍ରଥମ ଥର ପାଇଁ ଏହି ମାମଲାରେ ମୁହଁ ଖୋଲିଛନ୍ତି ଏମକେସିଜି ଛାତ୍ର ।

Advertisment

ଅଭିଯୋଗ ଅନୁସାରେ ବୁର୍ଲା ମେଡିକାଲ ଆଗରେ ଏମକେସିଜିର ୬୫ ଜଣ ଛାତ୍ରଛାତ୍ରୀ ପହଁଚିବା ବେଳେ ତାଙ୍କୁ ସ୍ୱାଗତ କରିବାକୁ ବୁର୍ଲା ମେଡିକାଲର ପ୍ରାୟ ୪୦୦ ଛାତ୍ରଛାତ୍ରୀ ଆସିଥିଲେ । ବସକୁ ଠେଙ୍ଗାରେ ପିଟିବା ସହ ସେମାନଙ୍କ ଉପରକୁ ବାଲି ଓ ପଥର ମାଡ଼ କରିଥିଲେ । ଅଶାଳୀନ ଭାଷାରେ ଗାଳିଗୁଲଜ କରିବା ସହ ଶେଷରେ ଅଗ୍ନି ନିର୍ବାପକ ଗ୍ୟାସ ବସ୍ ଭିତକୁ ଛାଡିଥିଲେ ଓ ବସ୍ର କାଚ ବନ୍ଦ କରି ଦେଇଥିଲେ । ଫଳରେ ଏମକେସିଜିର ୬ ଜଣ ଛାତ୍ର ଆହତ ହୋଇଥିଲେ ଓ ଜଣେ ଛାତ୍ର ଆଇସିୟୁରେ ଭର୍ତି ହୋଇଥିବା କହିଛନ୍ତି ଏମକେସିଜି ଛାତ୍ର ସଂସଦ ସଭାପତି । ଏହାପରେ କ୍ରୀଡ଼ା ଓ ସାଂସ୍କୃତିକ ଉତ୍ସବରେ ଯୋଗ ନଦେଇ ଫେରି ଆସିଥିଲେ ବ୍ରହ୍ମପୁର ମେଡିକାଲ୍ କଲେଜର ଛାତ୍ରଛାତ୍ରୀ ।

ଘଟଣା ଶାନ୍ତିପୂର୍ଣ୍ଣ ସମାଧାନ ଚାହୁଁଥିଲେ, ତେଣୁ ସେମାନେ ଚୁପ ରହିଥିଲେ ବୋଲି କହିଛନ୍ତି ଏମକେସିଜି ଛାତ୍ର । ସେମାନେ ଏହା ମଧ୍ୟ କହିଛନ୍ତି, ବୁର୍ଲା ମେଡିକାଲ କଲେଜର ଡିନ୍ ଏ ନେଇ ଥାନାରେ ଏତଲା ଦେଇଥିଲେ । ଏମକେସିଜି ଛାତ୍ରଛାତ୍ରୀଙ୍କୁ କିଛି ଅଜଣା ଲୋକ ଆକ୍ରମଣ କରିଥିବା ଏତଲାରେ ଦର୍ଶାଇଥିଲେ । କିନ୍ତୁ କ୍ରୀଡ଼ା ଉତ୍ସବରେ ଭିଡିଓରେ ବୁର୍ଲା ମେଡିକାଲ କଲେଜର ଯେଉଁମାନଙ୍କ ଭିଜୁଆଲ୍ ରହିଛି, ସେହି ଛାତ୍ରମାନେ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ଏମକେସିଜି ଛାତ୍ର । ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏବଂ ଏମକେସିଜି କର୍ତୃପକ୍ଷ ମଧ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ଛାତ୍ର ସଂସଦ ସଭାପତି ।