ରୋଗୀଣା ଡାକ୍ତରଖାନାରେ ଉଜୁଡା ସ୍ୱାସ୍ଥ୍ୟସେବା । ମେଡିକାଲ ଛାତ ଫାଟି ଆଁ କରିଛି, ତଳ ମହଲାରେ ଠିଆ ହେଲେ ଉପର ମହଲା ଦିଶୁଛି । ଏମକେସିଜିର ଅସୁରକ୍ଷିତ କୋଠାରେ ଚାଲିଛି ରୋଗୀଙ୍କ ଚିକିତ୍ସା

153

କନକ ବ୍ୟୁରୋ: ରୋଗୀଣା ଡାକ୍ତରଖାନାରେ ଉଜୁଡା ସ୍ୱାସ୍ଥ୍ୟସେବା । ଭଙ୍ଗା ଓ ଦଦରା ଘରେ ଚାଲିଛି ରୋଗୀଙ୍କ ଚିକିତ୍ସା । ପାଦେ ପାଦେ ବିପଦ । ସବୁଠାରୁ ବଡ କଥା ହେଲା ସରକାରଙ୍କ ପକ୍ଷରୁ ଅସୁରକ୍ଷିତ ଘୋଷଣା ହୋଇଥିବା କୋଠାରେ ଚାଲିଛି ବ୍ରହ୍ମପୁର ବଡ ମେଡିକାଲର ୫ଟି ଗୁରୁତ୍ୱପୂର୍ଣ୍ଣ ବିଭାଗ । ମୋ ସରକାର କାର୍ଯ୍ୟକ୍ରମ ଜରିଆରେ ରାଜ୍ୟରେ ସ୍ୱାସ୍ଥ୍ୟ ସେବାରେ ସୁଧାର ଆଣିବା ପାଇଁ ସରକାର ଉଦ୍ୟମ କରୁଛନ୍ତି । କିନ୍ତୁ ସାରା ଦକ୍ଷିଣ ଓଡିଶାକୁ ଚିକିତ୍ସା ଯୋଗାଉଥିବା ଡାକ୍ତରଖାନାର ଅବସ୍ଥା ଦେଖିବା ପରେ ସରକାରୀ ଯୋଜନା ଉପରେ ପ୍ରଶ୍ନ ଉଠିବା ସ୍ୱାଭାବିକ ।

ଭଙ୍ଗା ଘରେ ଚିକିତ୍ସା । ଡାକ୍ତରଖାନାର ଛାତ ଫାଟି ଆଁ କରିଛି, ତଳମହଲାରେ ଠିଆ ହେଲେ ଉପର ମହଲା ଦେଖାଯାଉଛି । ଏଇ ଦେଖୁନାହାନ୍ତି, ଛାତି ଫାଟିଛି, କାନ୍ଥ ଫାଟିଛି, ପାଚେରୀ କଥା ତ ନକହିବା ଭଲ । ପୁରା ଚିତ୍ରକୁ ଦେଖିଲେ ଲାଗୁଛି ସତେ ଯେମିତି ଏକ ବଡ ଦୁର୍ଘଟଣାକୁ ଅପେକ୍ଷା କରିଛି ଡାକ୍ତରଖାନା! ଏ ଅବସ୍ଥା ହେଉଛି ଦକ୍ଷିଣ ଓଡି଼ଶାର ସବୁଠାରୁ ବଡ଼ ଡାକ୍ତରଖାନାର ।

 

ଏମକେସିଜି ଡାକ୍ତରଖାନାରେ ଡାକ୍ତରଙ୍କ ଚ୍ୟାମ୍ବରଠାରୁ ଆରମ୍ଭ କରି ରୋଗୀ ୱାର୍ଡ, ସବୁଠି ଭୟଙ୍କର ସ୍ଥିତି । ସବୁଠାରୁ ଆଶ୍ଚଯ୍ୟକର କଥା, ୨୦୧୩ ଫାଇଲିନ୍ ବାତ୍ୟା ସମୟରୁ ଏହି କୋଠାକୁ ଅସୁରକ୍ଷିତ ଘୋଷଣା କରିଛନ୍ତି ସରକାର । କିନ୍ତୁ ଆଜି ବି ଏହି ଦଦରା କୋଠାରେ ହୃଦରୋଗ, ସ୍ନାୟୁରୋଗ, ପ୍ଲାଷ୍ଟିକ ସର୍ଜରୀ, ୟୁରୋଲୋଜି ଓ ଶଲ୍ୟ ବିଭାଗର ଚିକିତ୍ସା କରାଯାଉଛି । ହୃଦରୋଗ ମାନେ ତ ଆପଣ ଜାଣିଥିବେ । ଜଣେ ହୃଦଗୋରୀ ଚିକିତ୍ସା ପାଇଁ ଆସି ଡାକ୍ତରଖାନାର ଏଭଳି ସ୍ଥିତି ଦେଖିବା ପରେ ତା’ଅବସ୍ଥା କଣ ହେଉଥିବ ଆପଣ ଅନୁମାନ କରିିପାରୁଥିବେ ।

ଯେବେ ଅସୁସ୍ଥ ହୁଏ ସ୍ୱାସ୍ଥ୍ୟସେବା । ସେଠି କି ଚିକିତ୍ସା ଆଶା କରିବେ ରୋଗୀ । ଡାକ୍ତରଖାନାର ଭଙ୍ଗା କୋଠାକୁ ଦେଖିବା ପରେ ଅନେକ ଦିଗକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ । ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି, ଏଠାରେ ଥିବା ହୃଦରୋଗ ବିଭାଗରେ ଗତ ୧୫ ବର୍ଷ ଭିତରେ ଗୋଟିଏ ବି ଅସ୍ତ୍ରୋପଚାର ହୋଇନାହିଁ । କାରଣ ଅସ୍ତ୍ରୋପଚାର ପାଇଁ ଉପଯୁକ୍ତ ଚିକିତ୍ସକ ନାହାନ୍ତି କି ଆବଶ୍ୟକୀୟ ଉପକରଣ ମଧ୍ୟ ନାହିଁ । ଏକଥା ଆମେ କହୁନାହୁଁ ବରଂ ବିଭାଗୀୟ ମୁଖ୍ୟ କହିଛନ୍ତି ।

କେବଳ ହୃଦରୋଗ ବିଭାଗ ନୁହେଁ ଏମକେସିଜିରେ ୟୁରୋଲୋଜି ବିଭାଗର ଚିକିତ୍ସା ଚାଲିଛି ନର୍ସଙ୍କ ଭରସାରେ । ହୃଦରୋଗ ବିଭାଗରେ ତ ତତକାଳ ଚିକିତ୍ସା ଯୋଗାଇବା ପାଇଁ ଜଣେ ଡାକ୍ତର ଅଛନ୍ତି, ୟୁରୋଲୋଜିରେ କେହି ନାହାନ୍ତି । ଯଦି ସମଗ୍ର ଦକ୍ଷିଣ ଓଡିଶାକୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଥିବା ବ୍ରହ୍ମପୁର ବଡ ମେଡିକାଲରେ ଅବସ୍ଥା ଏମିତି ଉପାନ୍ତ ବା ଅପହଂଚ ଇଲାକାର ଡାକ୍ତରଖାନା ଅବସ୍ଥା କଣ ହୋଇଥିବ ଥରେ ଚିନ୍ତା କରନ୍ତୁ ।