କନକ ବ୍ୟୁରୋ : ବ୍ରହ୍ମପୁର ମେଡିକାଲରେ ଅଜବ ଚିକିତ୍ସା । ସବୁ ରୋଗୀଙ୍କ ପାଇଁ ସମାନ ଖାଦ୍ୟ । ଡାଇରିଆ ରୋଗୀଙ୍କୁ ଦିଆଯାଉଛି କ୍ଷୀର ଓ ଅଣ୍ଡା ଭଳି ଗରିଷ୍ଠ ଖାଦ୍ୟ । ବିଭିନ୍ନ ରୋଗ ପାଇଁ ଭିନ୍ନ ଭିନ୍ନ ପଥି ରହିଥିବା ସମସ୍ତେ ଜାଣନ୍ତି । କେଉଁ ରୋଗ ହେଲେ କ'ଣ ଖାଇବେ ଓ କ'ଣ ଖାଇବେ ନାହିଁ ସେ ନେଇ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି । କିନ୍ତୁ ବ୍ରହ୍ମପୁର ବଡ ମେଡିକାଲରେ ଓଟଲା ଦୃଶ୍ୟ ଦେଖିବାକୁ ମିଳିଛି ।

Advertisment

ଡାକ୍ତରମାନେ ରୋଗୀଙ୍କୁ ଯାହା ଖାଇବାକୁ ବାରଣ କରୁଛନ୍ତି, ସେହି ଖାଦ୍ୟହିଁ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଦ୍ୱାରା ରୋଗୀଙ୍କୁ ଯୋଗାଇ ଦିଆଯାଉଛି । ଆଉ ଏଭଳି ଘଟଣା ବର୍ଷ ବର୍ଷ ଧରି ଚାଲି ଆସୁଛି । କନକ ନ୍ୟୁଜ୍ ପକ୍ଷରୁ ଘଟଣା ଖୁଲାସା କରାଯାଇଛି । ସାଧାରଣତଃ ହଇଜା ବା ଝାଡାବାନ୍ତି ହେଲେ ରୋଗୀ ମୁଖ୍ୟତଃ କ୍ଷୀର ଓ ଅଣ୍ଡା ଭଳି ଗରିଷ୍ଠ ଖାଦ୍ୟ ଖାଇବା ଉଚିତ ନୁହେଁ । ପାଉଁରୁଟି ଓ ବିସ୍କୁଟ ଭଳି ଖାଦ୍ୟ ନଖାଇ ଦୋରନ୍ଧା ଖାଦ୍ୟ ଏଭଳିକି ଚୁଡା ଓ କଦଳୀ ଖାଇବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି ।

ହେଲେ ଏମକେସିଜି ମେଡିକାଲର ଡାଇରିଆ ବିଭାଗର ରୋଗୀଙ୍କୁ ଡାକ୍ତରମାନେ ବାରଣ କରୁଥିବା ଅଣ୍ଡା, ପାଉଁରୁଟି, ବିସ୍କୁଟ ଓ କ୍ଷୀର ଭଳି ଖାଦ୍ୟ ଯୋଗାଇ ଦିଆଯାଉଛି । କିଛି ରୋଗୀ ବାଧ୍ୟରେ ସେହି ଖାଦ୍ୟ ଖାଉଥିବା ବେଳେ ବାକି ରୋଗୀଖାଦ୍ୟକୁ ଅନ୍ୟକୁ ଦାନ କରୁଛନ୍ତି । ନଚେତ ଘରୁ କିମ୍ବା ବାହାରୁ ଚୁଡା କିଣି ଖାଇବାକୁ ପଡୁଛି । ଯାହାକୁ ସ୍ୱିକାର କରିଛନ୍ତି ମେଡିକାଲ ଅଧିକ୍ଷକ । ଡାକ୍ତରଖାନାରେ ଦୀର୍ଘ ବର୍ଷ ଧରି ଡାଇଟିସିଆନ୍ ନଥିବା କାରଣରୁ ଏଭଳି ସମସ୍ୟା ଉପୁଜୁଥିବା କୁହାଯାଉଛି ।