କନକ ବ୍ୟୁରୋ: ଯାଜପୁର ଡୁବୁରିରେ କାର୍ଯ୍ୟକ୍ଷମ ହେଲା କୋଭିଡ ହସ୍ପିଟାଲ । ପ୍ରଥମ ପର୍ଯ୍ୟାୟରେ ୨୧ ଜଣ ଡାକ୍ତର, ୩୦ ଜଣ ଷ୍ଟାଫଙ୍କୁ ନେଇ ଏହା ଆରମ୍ଭ ହୋଇଛି । ପରବର୍ତ୍ତୀ ସମୟରେ ଆହୁରି ୨୮୦ ପାରା ମେଡିକାଲ ଷ୍ଟାଫଙ୍କୁ ନିଯୁକ୍ତି ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଏଥିସହିତ ଜିଲ୍ଲାରୁ ୨୦୦ ବ୍ୟକ୍ତିଙ୍କର ରକ୍ତ ନମୂନାରୁ କେବଳ ଜଣକର ପଜିଟିଭ ଚିହ୍ନଟ ହୋଇଥିବା ବେଳେ ବାକି ସମସ୍ତଙ୍କର ନେଗେଟିଭ ରିପୋର୍ଟ ଆସିଛି ।
ସେପଟେ ବ୍ରହ୍ମପୁର ଉପକଣ୍ଠ ଶୀତଳାପଲ୍ଳୀରେ ଥିବା ଟାଟା ହସ୍ପିଟାଲରେ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି । ଏହି ହସ୍ପିଟାଲରେ ୨୦୦ ଶଯ୍ୟା ରହିଥିବାବେଳେ ୧୫ ଟି ଭେଂଟିଲେଟରର ବ୍ୟବସ୍ଥା କରାଯାଇଛି । ଏହି ହସ୍ପିଟାଲରେ କରୋନା ଆକ୍ରାନ୍ତଙ୍କୁ ସ୍ୱତନ୍ତ୍ର ଭାବେ ଚିକିତ୍ସା କରାଯିବ । ସରକାରଙ୍କ ଗାଇଡଲାଇନ ଅନୁଯାୟୀ ଏହି ହସ୍ପିଟାଲକୁ ପ୍ରସ୍ତୁତ କରାଯାଇଛି । ଏହା ପୂର୍ବରୁ ଗତକାଲି ଗଜପତି ଜିଲ୍ଲାସ୍ଥିତ ସେଂଚୁରିଅନ୍ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ କରାଯାଇଥିଲା । ଏହାକୁ ମିଶାଇ ରାଜ୍ୟରେ ଏଯାଏଁ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ୧୭୯୭ ଶଯ୍ୟାର ବ୍ୟବସ୍ଥା ହୋଇସାରିଲାଣି
ସବୁଠାରୁ ବଡ଼ କଥା ହେଲା କି, ଏଣିକି ବ୍ରହ୍ମପୁର ଏମକେସିଜି ମେଡିକାଲରେ ହେବ କରୋନା ଟେଷ୍ଟ୍ । କାରଣ ସିଏମଆର ଏଥିପାଇଁ ଅନୁମତି ପ୍ରଦାନ କରିସାରିଛି । ରାଜ୍ୟ ସରକାର ଟୁଇଟ କରି ଲେଖିଛନ୍ତି ଯେ, ଓଡିଶାର ଦ୍ୱିତୀୟ ମେଡିକାଲ କଲେଜ ଭାବେ ଏଣିକି ଏମକେସିଜି ମେଡିକାଲରେ କରୋନା ଟେଷ୍ଟ କରାଯାଇପାରିବ । ଏଥିପାଇଁ ଦିଲ୍ଲୀ ଆଇସିଏମଆର ଅନୁମତି ପ୍ରଦାନ କରିଥିବା କହିଛନ୍ତି ରାଜ୍ୟ ସରକାର ।