ଜାତିର ଜନକ ମହାତ୍ମା ଗାନ୍ଧୀ ଏବଂ ଆରଏସଏସ୍ ମଧ୍ୟରେ ସଂପର୍କ ? ରାଜନୈତିକ ତିକ୍ତତାରେ ଲୁଚି ଯାଉଛି ସଂପର୍କ ।

337

ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ମଧ୍ୟରେ ତିକ୍ତ ସଂପର୍କକୁ ଦର୍ଶାଇ ଅନେକ ଚର୍ଚ୍ଚା ହେଉଛି । ନିକଟରେ ଜଣେ ରାଜନେତା ତାଙ୍କ ନିର୍ବାଚନୀ ଭାଷଣରେ କହିଥିଲେ ଯେ ଏଥର ଭୋଟରେ ଲୋକେ ମହାତ୍ମା ଗାନ୍ଧୀ ନଚେତ୍ ନାଥୁରାମ୍ ଗଡସେଙ୍କୁ ବାଛିବେ । ଅର୍ଥାତ୍ ଗାନ୍ଧୀ ଏବଂ ଆରଏସଏସ୍ ସଦସ୍ୟ ନାଥୁରାମ୍ ଗଡସେଙ୍କ ହାତରେ ମହାତ୍ମା ଗାନ୍ଧୀଙ୍କ ଜୀବନ ଯାଇଥିଲା । ଏଥିପାଇଁ ଗାନ୍ଧୀଜୀଙ୍କ ସହ ଆରଏସଏସର ସମ୍ପର୍କକୁ ଭିନ୍ନ ଭାବେ ବର୍ଣ୍ଣନା କରାଯାଇଛି । ସାଧାରଣରେ ବିଶ୍ୱାସ କରାଯାଏ ଯେ ଗାନ୍ଧୀଜୀ ଏବଂ ଆରଏସଏସ୍ ଚିନ୍ତାଧାରା ସଂପୂର୍ଣ୍ଣ ବିପରୀତ । କିନ୍ତୁ ବାସ୍ତବରେ ଯଦି ସଂଘ ପରିବାର ସହ ଗାନ୍ଧୀଜୀଙ୍କ ସମ୍ପର୍କକୁ ଭଲଭାବେ ଦେଖାଯାଏ ତେବେ ଏଥିରୁ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିବ ।

ଗାନ୍ଧୀଜୀଙ୍କ କେତେକ ନୀତି ଏବଂ ଚିନ୍ତାଧାରାକୁ ଆରଏସଏସ୍ ବିରୋଧ କରୁଥିଲେ ମଧ୍ୟ ଭାରତର ସ୍ୱାଧୀନତା ସଂଗ୍ରାମକୁ ଜୋରଦାର କରିବା ପାଇଁ ଗାନ୍ଧୀଜୀଙ୍କ ପ୍ରୟାସକୁ ଆରଏସଏସ୍ ସମର୍ଥନ କରିଥିଲା । ଆରଏସଏସର ପ୍ରତିଷ୍ଠାତା ଡ. ବି କେ ହେଡଗେୱାର ୧୯୨୧ ମସିହାରେ ଗାନ୍ଧୀଜୀଙ୍କ ଦ୍ୱାରା ହୋଇଥିବା ଅସହଯୋଗ ଆନ୍ଦୋଳନ ଏବଂ ୧୯୩୦ ରେ ଆଇନ୍ ଅମାନ୍ୟ ଆନ୍ଦୋଳନରେ ଜଣେ ସକ୍ରିୟ ସଦସ୍ୟ ରହିଥିଲେ । ଏଥିପାଇଁ ତାଙ୍କୁ ୨ ବର୍ଷ ଜେଲଦଣ୍ଡ ହୋଇଥିଲା । ମାର୍ଚ୍ଚ ୧୮ , ୧୯୨୨ ରେ ଗାନ୍ଧୀଙ୍କୁ ୬ ବର୍ଷ ଜେଲଦଣ୍ଡ ହୋଇଥିଲା । ଏହା ପରଠାରୁ ପ୍ରତିମାସର ୧୮ ତାରିଖକୁ ଗାନ୍ଧୀ ଦିବସ ଭାବେ ପାଳନ କରାଗଲା ।

ଗାନ୍ଧୀଜୀ ଯେତେବେଳେ ଜେଲରେ ଥିଲେ ସେ ସମୟରେ ତାଙ୍କର କିଛି ସମର୍ଥକ ଦେଶପ୍ରେମ ନାଁରେ ନିଜ ସ୍ୱାର୍ଥ ସାଧନ କରିବାକୁ ବିବାଦ ଆରମ୍ଭ ହୋଇଥିଲା । ଏ ସଂକ୍ରାନ୍ତ ବିସଙ୍ଗତିକୁ ହେଡଗେୱାର ୧୯୨୨ ଅକ୍ଟୋବରରେ ଗାନ୍ଧୀ ଦିବସରେ ତାଙ୍କ ଭାଷଣରେ ପ୍ରକାଶ କରିଥିଲେ । ସେହିପରି ୧୯୩୪ ରେ ଗାନ୍ଧୀଜୀ ଜମନାଲାଲ୍ ବଜାଜଙ୍କ ବାସଭବନରେ ରହୁଥିବାବେଳେ ସେ ଆରଏସଏସର ଏକ ଶିବିରକୁ ପରିଦର୍ଶନ କରିଥିଲେ । ସେ ସମୟରେ ସେ ଅନୁସୂଚିତ ଜାତି ଏବଂ ଜନଜାତି ସ୍ୱୟଂ ସେବକମାନଙ୍କୁ ଆରଏସଏସ ଶିବିରରେ ସ୍ଥାନ ପାଇଥିବା ଦେଖି ଖୁବ୍ ଖୁସି ହୋଇଥିଲେ । ସଂଘ ପରିବାରର ଏଭଳି କାର୍ଯ୍ୟକୁ ଗାନ୍ଧୀ ବହୁ ପ୍ରଶଂସା କରିଥିଲେ । ଏହିପରି ଅନେକ ଦୃଷ୍ଟାନ୍ତକୁ ନଜରକୁ ନେଲେ ଗାନ୍ଧୀ ଏବଂ ଆରଏସଏସ୍ ମଧ୍ୟରେ ସମ୍ପର୍କ ଖୁବ୍ ଭଲ ଥିଲା ବୋଲି ଜଣାପଡେ । ଆରଏସଏସର ଯୁଗ୍ମ ସାଧାରଣ ସଚିବ ମନମୋହନ ବୈଦ୍ୟଙ୍କ ଏକ ଲେଖାରୁ ଏ ବାବଦରେ ସୂଚନା ମିଳିଛି ।