କରୋନା ସଂକଟ ଭିତରେ ସରକାରଙ୍କ ବଡ ନିଷ୍ପତି: ଏଣିକି ମନଇଚ୍ଛା ଟାଙ୍କି ଫୁଲ୍ କରିପାରିବେନି ଗାଡି ଚାଳକ; ପେଟ୍ରୋଲ ପମ୍ପରେ କେତେ ତେଲ ଭରିବେ ଗ୍ରାହକ ଧାର୍ଯ୍ୟ ସୀମା ସ୍ଥିର କଲେ ସରକାର

ବାଇକ୍ ପାଇଁ ୫ ଏବଂ କାରରେ ସର୍ବାଧିକ ୧୦ ଲିଟର ପକାଇପାରିଲେ ପେଟ୍ରୋଲ ଆଉ ଡିଜେଲ

12,605

କନକ ବ୍ୟୁରୋ: କରୋନା ସଂକଟ ଭିତରେ ସରକାରଙ୍କ ବଡ ନିଷ୍ପତି । ଏଣିକି ଗାଡିରେ ନିଜ ଇଚ୍ଛା ମୁତାବକ ଭରିପାରିବେ ନାହିଁ ତେଲ୍ । ସେ ବାଇକ ହେଉ ଅବା ସ୍କୁଟର, କାର ହେଉ କିମ୍ବା ବସ୍ ତେଲ ଟାଙ୍କିରେ ଏଣିକି ଗାଡି ଚାଳକ କେତେ ଇନ୍ଧନ ଭରିବେ ତାର ଏକ ନିର୍ଦ୍ଦିଷ୍ଟ ସୀମା ଧାର୍ଯ୍ୟ କରିଛନ୍ତି ସରକାର । ତେବେ ଦୁଇ ଚକିଆ ଯାନ ପାଇଁ ୫ ଲିଟର ଏବଂ କାର ପାଇଁ ସର୍ବାଧିକ ୧୦ ଲିଟର ତେଲ ଭରିବା ନେଇ ଲିମିଟ୍ ସ୍ଥିର କରିଛନ୍ତି ସରକାର ।

ଗାଡି ଚାଳକଙ୍କ ପାଇଁ ବଡ ଖବର । ଏଣିକି ଗାଡି ଟାଙ୍କିରେ ମନଇଚ୍ଛା ଭରିପାରିବେନି ଇନ୍ଧନ । ଟାଙ୍କିରେ ତେଲ ଭରିବାକୁ ନେଇ ଏକ ନିର୍ଦ୍ଦିଷ୍ଟ ସୀମା ଧାର୍ଯ୍ୟ କରିଛନ୍ତି ସରକାର । ପେଟ୍ରୋଲ ପମ୍ପରେ ତେଲ ଭରିବା ସମୟରେ ଏବେ ଚାଳକଙ୍କୁ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ପରିମାଣର  ତେଲ ହିଁ ପକାଇବାକୁ ପଡିବ । ତେବେ କରୋନା କଟକଣାକୁ ନଜରରେ ରଖି ଏଭଳି ଏକ କଠୋର ନିଷ୍ପତି ଲାଗୁ କରିଛନ୍ତି ମିଜୋରାମ ସରକାର । ଏନେଇ ମିଜୋରାମ ସରକାରଙ୍କ ତରଫରୁ ମଙ୍ଗଳବାର ଏକ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି । ଏହି ବିଜ୍ଞପ୍ତିରେ କୁହାଯାଇଛି ଯେ, ଜଣେ ସ୍କୁଟି ଚାଳକ ନିଜ ଗାଡିରେ ସର୍ବାଧିକ ୩ ଲିଟର, ବାଇକ ପାଇଁ ୫ ଲିଟର, କାରରେ ସର୍ବାଧିକ ୧୦ ଲିଟର ଏବଂ ବସରେ ସର୍ବାଧିକ ୧୦୦ ଲିଟର ପର୍ଯ୍ୟନ୍ତ  ପେଟ୍ରୋଲ-ଡିଜେଲ ଭରିପାରିବେ ଚାଳକ । ତେବେ ମାଲ ପରିବହନ ଗାଡିଗୁଡିକୁ ଏହି କଟକଣାରୁ ବାଦ୍ ଦିଆଯାଇଛି ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, କରୋନା ମହାମାରୀ କାରଣରୁ ମିଜୋରାମର ଅନେକ ସ୍ଥାନରେ ଲକଡାଉନ କଟକଣା ଜାରି କରାଯାଇଛି । ଯାହା ଦ୍ୱାରା ରାଜ୍ୟରେ ଥିବା ସବୁ ପେଟ୍ରୋଲ ପମ୍ପମାନଙ୍କରେ ଇନ୍ଧନ ଠିକ୍ ଭାବରେ ପହଂଚିପାରୁନାହିଁ । ଫଳରେ ମିଜୋରାମରେ ବର୍ତ୍ତମାନ ତୈଳର ଘୋର ସଂକଟ ଦେଖାଦେଇଛି । ତେଣୁ କୋଭିଡ କଟକଣା ଭିତରେ ପେଟ୍ରୋଲ-ଡିଜେଲର ଅଭାବୀ ଯେଭଳି ଆଗକୁ ଆହୁରି ସଙ୍ଗିନ ନହେବ ସେଥିପାଇଁ ଏହାର ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ସରକାର । ସେପଟେ ତେଲକୁ ନେଇ କଟକଣା ଜାରି ହେବା ପରେ ମିଜୋରାମରେ ଥିବା ବିଭିନ୍ନ ପେଟ୍ରୋଲ ପମ୍ପମାନଙ୍କରେ ଏବେ ଲୋକଙ୍କର ନାହିଁ ନଥିବା ଭିଡ ଦେଖିବାକୁ ମିଳିଛି ।