ଆସାମ-ମିଜୋରାମ ସୀମା ବିବାଦ ଘଟଣା । ଆସାମ ସରକାରଙ୍କ ବିରୋଧରେ ଥାନାରେ ଏତଲା କଲେ ମିଜୋରାମ ସରକାର ।

174

କନକ ବ୍ୟୁରୋ: ଗତ ଜୁଲାଇ ୨୬ ତାରିଖରେ ସୀମା ବିବାଦକୁ ନେଇ ମୁହାଁମୁହିଁ ହୋଇଥିଲେ ଆସାମ-ମିଜୋରାମର ପୋଲିସ ଓ ସୀମାନ୍ତ ବାସୀ । ଏହି ଘଟଣାରେ ଆସାମ ପୋଲିସର ୬ ଜଣ ପୋଲିସ କର୍ମୀଙ୍କ ଜୀବନ ବି ଯାଇଛି । ତେବେ ଏହି ଘଟଣାକୁ ନେଇ ଶୁକ୍ରବାର ମିଜୋରାମ ସରକାରଙ୍କ ଆସାମ ଆଇଜି, ଡିଆଇଜି, କଚର ଏସପିଙ୍କ ସହ ଅନ୍ୟ ପ୍ରଶାସନିକ ଅଧିକାରୀ ଓ ୨୦୦ ଅଜଣା ବ୍ୟକ୍ତିଙ୍କ ନାଁରେ ଏତଲା ଦାଏର କରିଛନ୍ତି । ମିଜୋରାମର କୋଲାସିବ୍ ଜିଲ୍ଲାର ଭଏରଙ୍ଗଟେ ପୋଲିସ ଷ୍ଟେସନରେ ଏହି ଏତଲା ଦାଏର କରାଯାଇଛି । ଆସନ୍ତା ଅଗଷ୍ଟ ୧ ତାରିଖରେ ଥାନାରେ ହାଜର ହେବାକୁ କୁହାଯାଇଛି ।

ଦାଏର ହୋଇଥିବା ଏତଲାରେ ଉଲ୍ଲେଖ ରହିଛି , ଆସାମ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମିଜୋରାମ ପୋଲିସ ସହିତ ଆଲୋଚନାକୁ ଆସିନଥିଲା ଆସାମ ପୋଲିସ । କୋଲାସିବ ଏସପିଙ୍କୁ ଏହି ଅଞ୍ଚଳ ଆସାମରେ ଯାଉଛି ବୋଲି ସେମାନେ ବଳ ପ୍ରୟୋଗ କରି କହିଥିଲେ । ଆସାମ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ଏହି ସ୍ଥାନରେ ଏକ ପୋଲିସ କ୍ୟାମ୍ପ ତିଆରି ପାଇଁ ସେମାନେ ଆସିିଥିଲେ । ସେମାନେ ସାଙ୍ଗରେ ଟେଣ୍ଟ ଓ ଅନ୍ୟ ନିର୍ମାଣ ସାମଗ୍ରୀ ନେଇ ଆସିଥିଲେ । ଯାହା ସ୍ପଷ୍ଟ କରୁଛି ସେମାନେ ବଳପୂର୍ବକ ମିଜୋରାମର ଅଞ୍ଚଳ ଅକ୍ତିଆର କରିବାକୁ ଆସିଥିଲେ । ଆମ୍ବୁଲାନ୍ସ ସହିତ ପାଖାପାଖି ୨୦ଟି ଗାଡିରେ ଆସାମ ଅଧିକାରୀ ଓ ପୋଲିସ ଆସିଥିଲେ ।

ସେପଟେ ସୀମା ବିବାଦକୁ ନେଇ ଟୁଇଟ୍ କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । କୌଣସି ନିରପେକ୍ଷ ସଂସ୍ଥା ଜରିଆରେ ତଦନ୍ତକୁ ସ୍ୱାଗତ କରିବେ ବୋଲି କହିଛନ୍ତି ବିଶ୍ୱଶର୍ମା । ବିବାଦୀୟ କୁହାଯାଉଥିବା ଅଞ୍ଚଳ ଆସାମର ସାମ୍ବିଧାନିକ ଅଞ୍ଚଳରେ ଯାଉଛି । ଏନେଇ ସେ ମିଜୋରାମ ମୁଖ୍ୟମନ୍ତ୍ରୀଙ୍କ ଅବଗତ କରାଇଥିବା କହିଛନ୍ତି । ଗତ ଜୁଲାଇ ୨୬ ତାରିଖର ସୀମା ସଂଘର୍ଷ ଘଟଣା ପରଠାରୁ ଆସାମ ଓ ମିଜୋରାମ ମଧ୍ୟରେ ସୀମାରେ ବନ୍ଦ ହୋଇଯାଇଛି ଗାଡି ଚଳାଚଳ । ଫଳରେ ଆସାମ ପଟେ ଏବେ ଅନେକ ମାଲବାହି ଗାଡି ଅଟକି ରହି ଅନେକ ସମସ୍ୟାର ଶିକାର ହେଉଛନ୍ତି ।