କନକ ବ୍ୟୁରୋ : ନଭେମ୍ବରରେ ସ୍କୁଲ୍‌ ଖୋଲିବା ନେଇ ସରକାର ଆଜି ଠୋସ୍‌ ନିଷ୍ପତ୍ତି ଜଣାଇଲେ ନାହିଁ । ୧୫ ତାରିଖ ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବ ବୋଲି ଏସ୍‌ଆର୍‌ସି ନିର୍ଦ୍ଦେଶ ଜାରି କରିଛନ୍ତି । ସ୍କୁଲ୍‌ ସହ ସଂପୃକ୍ତ ବିଭିନ୍ନ ଅଂଶୀଦାରମାନଙ୍କ ସହ ଆଲୋଚନା କରି ଆବଶ୍ୟକ ଗାଇଡ୍‌ଲାଇନ୍ ପ୍ରସ୍ତୁତ କରିବ ବିଭାଗ । ତାହା ପରେ ସ୍କୁଲ୍‌ କେବେ ଠାରୁ ଖୋଲିବ ଓ କିପରି ଖୋଲିବ, ସେ ସମ୍ପର୍କରେ ବିଭାଗ ଘୋଷଣା କରିବ ।

Advertisment

ତେବେ କେବଳ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ନଜରରେ ରଖି ହିଁ ସ୍କୁଲ୍‌ ଖୋଲିବାକୁ ଯୋଜନା ହେବ ବୋଲି ସ୍ପଷ୍ଟ କରାଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନଭେମ୍ବର ୧୬ରୁ ସ୍କୁଲ୍‌ ଖୋଲିବା ପାଇଁ ନିଷ୍ପତ୍ତି ନେବ ନା ପୁଣି ଦି ଘୁଞ୍ଚିବ, ସେ ନେଇ ଦ୍ୱନ୍ଦ୍ୱ ଜାରି ରହିଛି । ସ୍କୁଲ୍‌ ଖୋଲିବା ସମ୍ପର୍କରେ ସାରା ରାଜ୍ୟରେ ବିଭିନ୍ନ ମହଲରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଶିକ୍ଷାବିତ ଓ ବିଭିନ୍ନ ବେସରକାରୀ ସ୍କୁଲ କର୍ତ୍ତୃପକ୍ଷ ସ୍କୁଲ ଖୋଲିବା ନିଷ୍ପତ୍ତିକୁ ସ୍ୱାଗତ କରିଥିବାବେଳେ ଅଭିଭାବକମାନେ କିନ୍ତୁ ଏହାକୁ ନେଇ ଅଧିକ ସତର୍କତା ଜରୁରି ବୋଲି ମତ ପ୍ରକାଶ କରିଛନ୍ତି ।

ଏ ସମ୍ପର୍କରେ ପ୍ରତିକ୍ରିୟା ରଖି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି ଯେ ୧୬ ତାରିଖରେ ବିଦ୍ୟାଳୟ ଖୋଲିବା ନେଇ ଏସ୍‌ଆର୍‌ସିଙ୍କ ଘୋଷଣା ଆମ ନଜରକୁ ଆସିଛି । ଏନେଇ ବିଭାଗ ଆଗରୁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲିବା ପ୍ରସଙ୍ଗକୁ ନେଇ ସମସ୍ତ ଅଂଶୀଦାର ଯଥା ଶିକ୍ଷାବିତ୍‌, ଅଭିଭାବକମାନଙ୍କ ସହ ଆଲୋଚନା କରି ଗାଇଡ୍‌ଲାଇନ୍‌ ପ୍ରସ୍ତୁତ କରିବାକୁ ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ବିଷୟରେ ଆଲୋଚନା ସରିବା ପରେ ଏସ୍‌ଓପି ପ୍ରସ୍ତୁତ କରି କେ‌ବେ ସ୍କୁଲ ଖୋଲିବ ତାହା ଘୋଷଣା କରାଯିବ।