କରୋନା ଟିକାର ମିଶ୍ର ବ୍ୟବହାର ନେଇ ଚିନ୍ତା କରୁଛନ୍ତି କେନ୍ଦ୍ର ସରକାର : ଅନୁମତି ମିଳିଲେ ଦୁଇଟି ଡୋଜରେ ଯେକୌଣସି ଟିକା ନେଇପାରିବେ ଲୋକ

222

କନକ ବ୍ୟୁରୋ : କରୋନା ଟିକାର ମିଶ୍ର ବ୍ୟବହାର ନେଇ ଚିନ୍ତା କରୁଛନ୍ତି କେନ୍ଦ୍ର ସରକାର । ଅର୍ଥାତ ଜଣେ କୋଭାକ୍ସିନ ଟିକାର ପ୍ରଥମ ଡୋଜ୍ ନେଇଥିଲେ ମଧ୍ୟ ଦ୍ୱିତୀୟ ଡୋଜ୍ ଆକାରରେ କୋଭିସିଲ୍ଡ ଟିକା ନେଇପାରିବେ । ସେହିପରି କୋଭିସିଲ୍ଡ ନେଇ ଦ୍ୱିତୀୟ ଡୋଜ୍ କୋଭାକ୍ସିନ ନେଇପାରିବେ । ଏଠାରେ ଆମେ ସ୍ପଷ୍ଟ କରିବାକୁ ଚାହୁଁଛୁ ଯେ, ଏହା କେବଳ ବିଚାର ବିମର୍ଶ ପର୍ଯ୍ୟାୟରେ ରହିଛି । ଏଥିପାଇଁ କୌଣସି ନିଷ୍ପତ୍ତି ହୋଇନାହିଁ ।

ଟିକାକରଣ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଉଥିବା- ନ୍ୟାସନାଲ ଟେକ୍ନିକାଲ ଆଡଭାଇଜରି ଗ୍ରୁପ ଅନ ଇମ୍ୟୁନାଇଜେସନ୍- ଏନଟିଏଜିଆଇ ଏନେଇ ତର୍ଜମା କରୁଛି । ଏନେଇ ଇଂଲଣ୍ଡ ଓ ସ୍ପେନରେ ହୋଇଥିବା ପରୀକ୍ଷଣରୁ ସୁଫଳ ମିଳିଛି । ମିଶ୍ର ଟିକାକରଣ ଫଳରେ ମଧ୍ୟମରୁ ସାମନ୍ୟ ପ୍ରତିକ୍ରିୟା ଦେଖା ଦେଇଥିବାବେଳେ ଅନ୍ୟ କୌଣସି ସୁରକ୍ଷା ସଂପର୍କିତ ସମସ୍ୟା ଦେଖାଦେଇ ନଥିବା ଜଣାପଡିଛି । ତେଣୁ ଆମ ଦେଶରେ ମଧ୍ୟ ଏଭଳି ମିଶ୍ର ଟିକାକରଣ ନେଇ ନିଷ୍ପତ୍ତି ହୋଇପାରେ ।

ଏବେ ସହରାଂଚଳରେ କୋଭାକ୍ସିନ ଟିକା ଦିଆଯାଉଥିବାବେଳେ ଗ୍ରାମାଂଚଳରେ କୋଭିସିଲ୍ଡ ଟିକା ଦିଆଯାଉଛି । ହେଲେ ଟିକାର ଅଭାବ କାରଣରୁ ସାର୍ବଜନୀନ ଟିକାକରଣ ମନ୍ଥର ହୋଇଯାଇଛି । ତେଣୁ ଟିକା ଅଭାବକୁ ଦୂର କରି ଟିକାକରଣକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାର ଏଭଳି ବିକଳ୍ପ ଉପରେ ଅଧିକ ତର୍ଜମା ଆରମ୍ଭ କରିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।