ନିଳଗୀରି ପହାଡ ନିକଟରେ ଥିବା ମିଥୁନଙ୍କ ସମେତ ଅନେକ ବଡ ବଡ ଲୋକଙ୍କ ରିସୋର୍ଟସ ଭାଙ୍ଗିବାକୁ ସୁପ୍ରିମକୋର୍ଟ ଲଗାଇଲେ ମୋହର

ଭଙ୍ଗାହେବ ମିଥୁନଙ୍କ ବେଆଇନ ରିସୋର୍ଟସ୍‌

5,397

କନକ ବ୍ୟୁରୋ : ତାମିଲନାଡୁରେ ବଲିଉଡ୍ କଳାକାର ମିଥୁନ ଚକ୍ରବର୍ତ୍ତିଙ୍କ ସମେତ ଅନ୍ୟ ବଡ ବଡ ଲୋକ ନିର୍ମାଣ କରିଥିବା ରିସୋର୍ଟସ୍ ଭାଙ୍ଗିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏସବୁ ରିସୋର୍ଟସ ସୁରକ୍ଷିତ ବନାଞ୍ଚଳରେ ବେଆଇନ ଭାବେ ନିର୍ମାଣ କରାଯାଇଥିବାରୁ ବୁଧୁବାର ଦିନ କୋର୍ଟ ଏହାକୁ ଭାଙ୍ଗିବାକୁ ଆଦେଶ ଦେଇଛନ୍ତି ।

ତାମିଲନାଡୁର ନିଳଗୀରି ପାହାଡ ନିକଟ ମଦୁମଲାଇ ଫରେଷ୍ଟ ରେଂଜରେ ମିଥୁନ ଚକ୍ରବର୍ତ୍ତିଙ୍କ ସମେତ ବହୁ ପ୍ରଭାବଶାଳୀ ବ୍ୟକ୍ତି ମାନେ ବେଆଇନ ଭାବେ ରିସୋର୍ଟସ୍ ନିର୍ମାଣ କରିଛନ୍ତି । ଏହି ବନାଞ୍ଚଳରେ ଯେତେବେଳେ ମୌସୁମୀର ପରିବର୍ତ୍ତନ ହୋଇଥାଏ ସେତେବେଳେ ହାତୀ ମାନେ ଯେଉଁ ରାସ୍ତାଦେଇ ଯାଇଥା’ନ୍ତି ସେହି ରାସ୍ତା ପାଖରେ ଏମାନେ ରିସୋର୍ଟସ ନିର୍ମାଣ କରିଛନ୍ତି । ରିସୋର୍ଟସ ନିର୍ମାଣ ହେବା ଫଳରେ ଲୋକ ସମାଗମ ବଢିବାରୁ ଏବେ ହାତୀ ମାନଙ୍କର ଯାତାୟତରେ ଅସୁବିଧା ହେଉଛି ।

୨୦୧୧ ରେ ମାଡ୍ରାସ ହାଇକୋର୍ଟ ଏହି ରିସୋର୍ଟସ ଗୁଡିକୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ମିଥୁନଙ୍କ ସମେତ ବହୁ ଲୋକ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ସେବେଠାରୁ ଏହି ମାମଲା ସୁପ୍ରିମକୋର୍ଟରେ ପଡି ରହିଥିଲା । ଏବେ ମାଡ୍ରାସ ହାଇକୋର୍ଟର ରାୟ ଉପରେ ସୁପ୍ରିମକୋର୍ଟ ମୋହର ଲଗାଇଛନ୍ତି ।

୨୦୧୧ ରେ ମାଡ୍ରାସ ହାଇକୋର୍ଟ ପର୍ଯ୍ୟାବରଣ ପ୍ରତି ବିପଦ ଥିବା ଦର୍ଶାଇ ମିଥୁନଙ୍କ ରିସୋର୍ଟ ସହିତ ଅନ୍ୟ କିଛି ରିସୋର୍ଟସ ଓ ହୋଟେଲ ଭାଙ୍ଗିବାକୁ ଅଦେଶ ଦେଇଥିଲେ । ହାଇକୋର୍ଟଙ୍କ ଏହି ଆଦେଶକୁ ଚ୍ୟାଲେଞ୍ଜ କରି  ସୁପ୍ରିମକୋର୍ଟରେ ଅପିଲ୍ କରିଥିଲେ । ସେ କହିଥିଲେ କି ଏହି ରିସୋର୍ଟସ୍ ମାଧ୍ୟମରେ ଅନେକ ଆଦିବାସୀ ଲୋକେ ରୋଜଗାର ପାଇ ପାରୁଛନ୍ତି  ଏହା ସହ ଏଠାରେ ଜନସମାଗମ ଲାଗିବା ଫଳରେ ଅବୈଦ୍ଧ ଭାବେ ହାତୀ ଶିକାର କରୁଥିବା ଶିକାରୀ ମାନଙ୍କର ପାର୍ଦୁଭାବ କମିଛି । ଏହି କାରଣ ଦର୍ଶାଇ ସେ ରିସୋର୍ଟସ ନଭାଙ୍ଗିବାକୁ କୋର୍ଟଙ୍କ ନିକଟରେ ଅନୁରୋଧ କରିଥିଲେ । ମିଥୁନଙ୍କ ଏହି ଅପିଲ୍ ନେଇ ମାଡ୍ରାସ୍ ହାଇକୋର୍ଟ ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ କି ଇକୋଟୋରିଜିମ୍ ନାମରେ ମିଥୁନ ବନାଇଥିବା ରିସୋର୍ଟସ୍ ଦ୍ୱାରା ପର୍ଯ୍ୟାବରଣକୁ କ୍ଷତି ପହଂଚାଉଛି । ଏହା ସହ ଏହା ବଙ୍ଗାଲ ହାତୀ ଅଭୟାରଣ୍ୟ କ୍ଷେତ୍ରରେ ପଡୁଛି ତେଣୂୁ ଏହି ଜମି ଉପରେ କେବଳ ବନ ବିଭାଗର ଅଧିକାର ରହିଛି ।

ଏହି ମାମଲାର ଶୁଣାଣି କରି ସୁପ୍ରିମକୋଟ ମିଥୁନଙ୍କ ସମେତ ଅନ୍ୟ ମାନଙ୍କର ରିସୋର୍ଟସ୍ ଓ ହୋଟେଲ ଭାଙ୍ଗିବାକୁ ଆଦେଶ ଦେଇଛନ୍ତି ।