କନକ ବ୍ୟୁରୋ: ଆଇପିଏଲ ମେଗା ନିଲାମରେ ଅଷ୍ଟ୍ରେଲୀୟ ଖେଳାଳିଙ୍କ ଦବଦବା । ୧୬ବର୍ଷର ଇତିହାସରେ ସମସ୍ତ ରେକର୍ଡ ଭାଙ୍ଗିଲେ ୨ଅଷ୍ଟ୍ରେଲିଆ ଖେଳାଳି । ୨୪କୋଟି ୭୫ଲକ୍ଷରେ ମିଚେଲ ଷ୍ଟାର୍କଙ୍କୁ କେକେଆର କିଣିଥିବା ବେଳେ ପ୍ୟାଟ କମିନ୍ସଙ୍କୁ ୨୦.୫୦କୋଟିରେ କିଣିଛି ଆଇପିଲଲ ଟିମ୍ ସନରାଇଜର୍ସ ହାଇଦ୍ରାବାଦ ।

Advertisment

ଉଭୟଙ୍କ ବେସ ପ୍ରାଇସ୍ ୨କୋଟି ରହିଥିବା ବେଳେ ଦୁଇଜଣ ଯାକ ୨୦କୋଟିରୁ ଅଧିକ ଟଙ୍କାରେ ନିଲାମ ହୋଇଛନ୍ତି । ପ୍ରଥମେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ ମଧ୍ୟରେ ଷ୍ଟାର୍କଙ୍କୁ କିଣିବାକୁ ୯.୪ କୋଟି ଟଙ୍କାରେ ବିଡ଼ ଆରମ୍ଭ ହୋଇଥିବା ବେଳେ ପରେ ଗୁଜରାଟ ଟାଇଟନ୍ସ ଏବଂ କୋଲକାତା ନାଇଟ ରାଇର୍ଡସ ଏହି ରେସରେ ସାମିଲ ହୋଇଥିଲେ । ଶେଷରେ ୨୪କୋଟି ୭୫ଲକ୍ଷରେ ମିଚେଲ ଷ୍ଟାର୍କଙ୍କୁ ନିଜ ଟିମରେ ସାମିଲ କରିଛି କେକେଆର । ସେହିପରି କମିନ୍ସଙ୍କ ବେସ ପ୍ରାଇସ ୨କୋଟି ରହିଥିବା ଆରମ୍ଭରୁ ରୟାଲ ଚ୍ୟାଲେଂଜର୍ସ ବାଙ୍ଗାଲୋର ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା । ଶେଷରେ ୨୦.୫୦କୋଟି ଟଙ୍କାରେ କମିନ୍ସଙ୍କୁ ନେଇଛି ସନରାଇଜର୍ସ ହାଇଦ୍ରାବାଦ । କମିନ୍ସଙ୍କ ପରେ ନ୍ୟୁଜିଲ୍ୟାଣ୍ଡ ଅଲରାଉଣ୍ଡର ଡାରିଲ ମିଚେଲ ମଧ୍ୟ ମାଲାମାଲ ହୋଇଛନ୍ତି । ତାଙ୍କୁ ୧୪ କୋଟି ଟଙ୍କାରେ କିଣିଛି ଚେନ୍ନାଇ ସୁପର କିଙ୍ଗ୍ସ ।

ସେହିପରି ଭାରତୀୟ ପେସର୍ ହର୍ଷଲ ପଟେଲଙ୍କୁ ୧୧.୭୫ କୋଟି ଟଙ୍କାରେ କିଣିଛି କିଙ୍ଗସ ଇଲେଭେନ ପଂଜାବ । ପ୍ରଥମ ପର୍ଯ୍ୟାୟ ନିଲାମୀରେ ୱେଷ୍ଟଇଣ୍ଡିଜ ବ୍ୟାଟର୍ ରୋଭମ୍ୟାନ୍ ପାୱେଲଙ୍କୁ ରାଜସ୍ଥାନ ରୟାଲ୍ସ ୭.୪୦ କୋଟି ଟଙ୍କା, ଅଷ୍ଟ୍ରେଲିଆର ଟ୍ରାଭିସ୍ ହେଡ୍ଙ୍କୁ ୬.୮୦ କୋଟି ଟଙ୍କାରେ ସନରାଇଜର୍ସ ହାଇଦ୍ରାବାଦ, ଦକ୍ଷିଣ ଆଫ୍ରିକାର ଗେରାଲ୍ଡର କୋଏଜିଙ୍କୁ ୫ କୋଟି ଟଙ୍କାରେ ମୁମ୍ବାଇ ଇଣ୍ଡିଆନ୍ସ, ଇଂଲଣ୍ଡ ଅଲରାଉଣ୍ଡର କ୍ରିସ୍ ୱକ୍ସଙ୍କୁ ୪.୨୦ କୋଟି ଟଙ୍କା ଏବଂ ଇଂଲଣ୍ଡ ବ୍ୟାଟର୍ ହ୍ୟାରୀ ବ୍ରୁକଙ୍କୁ ୪କୋଟି ଟଙ୍କାରେ କିଣିଛି ଦିଲ୍ଲୀ କ୍ୟାପିଟାଲ । ପ୍ରଥମ ଥର ପାଇଁ ବିଦେଶରେ ନିଲାମୀ ପ୍ରକ୍ରିୟା ଅନୁଷ୍ଠିତ ହେଉଥିବା ବେଳେ ୭୩ଟି ସ୍ଲଟ ପାଇଁ ନିଲାମରେ ସାମିଲ ହୋଇଛନ୍ତି ୩୩୩ଜଣ ଖେଳାଳି ।