ଶତ୍ରୁ ଦେଶର ଡ୍ରୋନ ଆକ୍ରମଣକୁ ନେଇ ଗୃହମନ୍ତ୍ରୀଙ୍କ ବୟାନ । ଡ୍ରୋନ-ନିରୋଧୀ ଜ୍ଞାନକୌଶଳର ବିକାଶ କରୁଛି ଡିଆରଡିଓ

195

କନକ ବ୍ୟୁରୋ : କିଛିଦିନ ହେବ ସୀମା ସେପଟୁ ଶତ୍ରୁଦେଶ ଭାରତୀୟ ସୀମାକୁ ଡ୍ରୋନ ପଠାଇ ଦେଶର ସୁରକ୍ଷା ବାହିନୀକୁ ଚ୍ୟାଲେଞ୍ଜ କରୁଛି । ଏହି ଚ୍ୟାଲେଞ୍ଜର ମୁକାବିଲା କରିବାକୁ ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥା (ଡିଆରଡିଓ) ପକ୍ଷରୁ ସ୍ୱଦେଶୀ ଡ୍ରୋନ ନିରୋଧୀ ଜ୍ଞାନ କୌଶଳର ବିକାଶ କରାଯାଉଛି ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ।

ସୀମା ସୁରକ୍ଷା ବାହିନୀର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଅମିତ ଶାହା କହିଛନ୍ତି କି ଶତ୍ରୁଦେଶ ପକ୍ଷରୁ ଡ୍ରୋନ ସହାୟତାରେ ଆକ୍ରମଣ କରିବାକୁ ଚେଷ୍ଟା କରୁଥିବା ନେଇ ଏହାର ମୁକାବିଲା କରିବାକୁ କେନ୍ଦ୍ର ସରକାର କେତେଗୁଡିଏ ପ୍ରକଳ୍ପକୁ ମଞ୍ଜୁର କରିଛନ୍ତି । ସେ କହିଛନ୍ତି କି ଡ୍ରୋନ ମାଧ୍ୟମରେ ବିସ୍ଫୋରକ, ଅସ୍ତଶସ୍ତ୍ର ଓ ନିଶାଦ୍ରବ୍ୟ ଚାଲାଣ କରିବା ଦେଶ ପାଇଁ ଏକ ବଡ ଆହ୍ୱାନ ସୃଷ୍ଟି କରିଛି । ଯଥାଶୀଘ୍ର ଏହି ଆହ୍ୱାନର ମୁକାବିଲା କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ସରକାର   ।

ସୂଚନାଯୋଗ୍ୟ ଯେ, ଗତ ଜୁନ ଶେଷ ସପ୍ତାହରେ ଜମ୍ମୁସ୍ଥିତ ଭାରତୀୟ ବାୟୁସେନା ଘାଟି ଉପରେ ଡ୍ରୋନ ଆକ୍ରମଣ, ତା’ପରେ ନିୟମିତ ବ୍ୟବଧାନରେ ଏଲଓସି ଓ ଅନ୍ତର୍ଜାତୀୟ ସୀମା ନିକଟରେ ସଂଦିଗ୍ଧ ଡ୍ରୋନ ଉଡ଼ିବା ପ୍ରତିରକ୍ଷା ବାହିନୀ ଓ ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଏହାର ମୁକାବିଲା ପାଇଁ ବାୟୁ ସେନା ପକ୍ଷରୁ ଦଶଟି ଡ୍ରୋନ ନିରୋଧୀ ବ୍ୟବସ୍ଥା ଖରିଦ କରିବାକୁ ପ୍ରକ୍ରିୟା ଆରମ୍ଭ କରାଯାଇଛି । ସେହିପରି ଏନଏସଜି ପକ୍ଷରୁ ଜମ୍ମୁରେ ଡ୍ରୋନ ନିରୋଧୀ ଉପକରଣ ଖଞ୍ଜା ଯାଇଛି ।